ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମହାନଦୀ ତଳ ମୁଣ୍ଡରେ ବନ୍ୟା କାମୁଥିବାବେଳେ ଉପର ମୁଣ୍ଡରେ ବର୍ଷା ଜଟିଳ ସମସ୍ୟା ସୃଷ୍ଟି କରିଛି। ଛତିଶଗଡ଼ ଓ ଓଡ଼ିଶାର ମହାନଦୀ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ଏଥିପାଇଁ ହୀରାକୁଦର ମୋଟ ୧୭ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏହି ପାଣି ମହାନଦୀର ତଳମୁଣ୍ଡରେ ମଧ୍ୟ ପହଞ୍ଚିବାର ସମ୍ଭାବନା ରହିଛି।

ହୀରାକୁଦରେ ଶନିବାର ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦.୫୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୯୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨ ହଜାର ୫୦୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହୀରାକୁଦରେ ଶୁକ୍ରବାର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଶନିବାର ସକାଳେ ଆଉ ୫ଟି ଗେଟ୍ ଖୋଲାଯାଇଛି।

ଗତ ବୁଧବାର ଓ ଗୁରୁବାର ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ସେଠାରେ ହାରାହାରି ୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହାପରେ ଛତିଶଗଡ଼ ମହାନଦୀରେ ଥିବା କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଦେଇଛି। ଏଥିପାଇଁ ଅଧିକରୁ ଅଧିକ ପାଣି ହୀରାକୁଦକୁ ଆସୁଛି।

ହୀରାକୁଦରୁ ଜଳ ନିଷ୍କାସନ ଜାରି ରହିଥିବାବେଳେ ମୁଣ୍ଡଳି ବ୍ୟରେଜ ଦେଇ ମହାନଦୀରେ ୪ ଲକ୍ଷ ୨୦ ହଜାର ୮୨୪ ହାଜର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବରମୂଳରେ ୨ ଲକ୍ଷ ୬୨ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।

ବର୍ତ୍ତମାନ ମହାନଦୀ ତଳମୁଣ୍ଡରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଆଦି ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୁଧୁରିଛି। ଏହି ସମୟରେ ଯଦି ଅଧିକ ହୀରାକୁଦରୁ ଅଧିକ ଜଳ ଆସିବ ତେବେ ବନ୍ୟା ନିୟନ୍ତ୍ରଣ କରିବାରେ ସମସ୍ୟା ଦେଖାଯିବ।

Tags: #HirakudDam #HeavyRainfall #WaterlevelRise #Mahanadi #Flood #Odisha

 

Comment