ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜନ୍ମିତ ଅନ୍ତର୍ଜାତୀୟ ଖାତିସମ୍ପନ୍ନ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କର କାନାଡାର ଏଡମୋଣ୍ଟନ ସହରଠାରେ ପରଲୋକ ଘଟିଛି।

ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଗନ୍ନାଥ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଶେଷ କରିବା ପରେ ପାଟଣା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଥିଲେ। ସେଠାରୁ ସେ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳରେ ଅଧ୍ୟାପନା କରିଥିଲେ। ପରେ ସେ ଲଣ୍ଡନ ୟୁନିଭର୍ସିଟିରେ ପଢ଼ିବାର ସୁଯୋଗ ପାଇଥିଲେ। ସେ ଆମେରିକା ଏବଂ ୟୁରୋପ ସହ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭିଜିଟିଙ୍ଗ ଫାକଲ୍ଟି ଭାବେ କାର୍ଯ୍ୟ କରିଥିଲେ।

ପରେ ପ୍ରଫେସର ଡକ୍ଟର ଜଗନ୍ନାଥ ଦାସ କାନାଡାର ଅଲବର୍ଟ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ସେ ସେଣ୍ଟର ଫର ଡେଭେଲପମେଣ୍ଟାଲ ଆଣ୍ଡ ଲର୍ଣ୍ଣିଂ ଡିଜାବିଲିଟିଜର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପ୍ରଫେସର ଦାସ କାନାଡାରେ ବସବାସ କରୁଥିଲେ।

କଗ୍ନିଭିଟ ସାଇକୋଲଜିରେ ଗବେଷଣା ଏବଂ ଅବଦାନ ଲାଗି ସେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ କାନାଡାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ କାନାଡା’ ଦ୍ୱାରା ସମ୍ମାନିତ କରାଯାଇଛି।

ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଭୁବନେଶ୍ୱରଠାରେ ଜେପି ଦାସ ଲର୍ଣ୍ଣିଂ କ୍ଲିନିକ ପ୍ରତିଷ୍ଠା କରିଥିଲେ। ଏହା ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରୁଛି।

ପ୍ରଫେସର ଡକ୍ଟର ଜଗନ୍ନାଥ ଦାସ ଥିଲେ ଜଣେ ଗବେଷକ ତଥା ସାମାଜିକ କର୍ମୀ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Tags: #ProfJPDas #Psychologist #PassedAway #Canada

Comment