ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ, ଶିକ୍ଷାବିତ, ନାଟ୍ୟକାର ତଥା ଉଦ୍‌ଘୋଷକ ପଦ୍ମଶ୍ରୀ ରଜତ କରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ତାଙ୍କର ହୃଦଘାତରେ ବିୟୋଗ ହୋଇଛି।

ପ୍ରଦ୍ମଶ୍ରୀ ରଜତ କରଙ୍କ ବିୟୋଗ ଖବରରେ ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ଶ୍ରୋତା ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ସାରସ୍ଵତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପଦ୍ମଶ୍ରୀ ରଜତ କରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି।

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଉଦ୍‌ଘୋଷକ ଭାବେ ବେଶ୍ ଲୋକପ୍ରିୟ ଥିଲେ ପଦ୍ମଶ୍ରୀ ରଜତ କର। ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକ ମେହେନ୍ଦୀପୀରରେ ସେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘଦିନ ହେଲା ସେ ଭୁବନେଶ୍ଵରରେ ରହିଆସୁଥିଲେ। ୧୯୫୩ ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତି ବିଭାଗରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ। ବିଶ୍ଵବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ସେ ନୂଆଦିଲ୍ଲୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନରୁ ସ୍ଵତନ୍ତ୍ର ସାର୍ଟିଫିକେଟ କୋର୍ସ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ। ଏସସିଇଆରଟିର ନିର୍ଦ୍ଦେଶକ ଭାବେ ପଦ୍ମଶ୍ରୀ ରଜତ କର ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ।

୧୯୮୬ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଏସସିଇଆରଟି ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ। ୨୦୦୨ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଇଜେଡସିସିର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ, ରାଜ୍ୟ ଏସଆରଇସିର କାର୍ଯ୍ୟନର୍ବାହୀ ସଦସ୍ୟ, ରାଜ୍ୟ ଏସଆରଇସିର ପରାମର୍ଶଦାତା କମିଟି ସଦସ୍ୟ ସାଙ୍ଗକୁ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ସାହିତ୍ୟର ଜଣେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ସେ ନିଜ ଜୀବନକାଳ ମଧ୍ୟରେ ଅନେକ ପୁରସ୍କାର ଏବଂ ସମ୍ମାନ ଗ୍ରହଣ କରିଛନ୍ତି। ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରଠାରୁ ଆରମ୍ଭ କରି ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ପ୍ରାପ୍ତ କରିଛନ୍ତି। ୨୦୨୧ ମସିହାରେ ରଜତ କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ତାଙ୍କର ଅତୁଳନୀୟ ଅବଦାନ ନିମନ୍ତେ ସେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ୨୦୧୭ ମସିହାରେ ସମ୍ମାନସୂଚନ ଡକ୍ଟରେଟ ଉପାଧି ପ୍ରାପ୍ତ କରିଥିଲେ। ଏହାସହ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ସମ୍ମାନୀତ ହୋଇଛନ୍ତି।

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ସଂସ୍କୃତି ଜଗତ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଲେଖାଲେଖିରେ ବ୍ୟସ୍ତ ରହୁଥିଲେ। ଅନର୍ଗଳ ବକ୍ତବ୍ୟ ଦେଇ ଚାଲିଥିଲେ। ତାଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

Tags: #DrRajatKar #PadmashreeRajatKar #Odisha #Literature #Culturer #PadmshreeAwardee

Comment