ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଗତ ଦୁଇ ଦିନ ହେଲା ଏହାକୁ ନେଇ ଅଙ୍କ କଷା ଚାଲିଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ସରକାର ଗଢ଼ିବା ପାଇଁ ବିଜେପି-ଶିବସେନାକୁ ବହୁମତ ମିଳିଥିଲେ ମଧ୍ୟ ଶିବସେନାର ଫିପ୍ଟି-ଫିପ୍ଟି ପଲିସିରେ ବିଜେପି ଛନ୍ଦି ହେଉଛି।

ଶିବସେନାର ଫିପ୍ଟି-ଫିପ୍ଟି ପଲିସିକୁ ମାନିବ କି ନାହିଁ ତାକୁ ନେଇ ବିଜେପି ଶିବିରରେ ମନ୍ଥନ ଚାଲିଛି।

ବିଜେପି-ଶିବସେନା ମେଣ୍ଟ ୧୬୧ ଆସନ ପାଇଛନ୍ତି। ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ମିଳିଛି ୫୬ ଆସନ। ସଂଖ୍ୟା ଦୃଷ୍ଟିରୁ ବିଜେପିର ପଲ୍ଲା ଭାରି ରହିଛି। କିନ୍ତୁ ଶିବସେନା ଏହାକୁ ଗ୍ରହଣ କରିବାକୁ ନାରାଜ। ଫିପ୍ଟି-ଫିପ୍ଟି ଫର୍ମୁଲା ପ୍ରୟୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଛି। ଫଳରେ ବିଜେପି ଅକଳିଆରେ ପଡ଼ିଛି।

ବିଜେପି ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହୁଁଛି। ହେଲେ ଶିବସେନା ନିଜ ପାଖରେ ମୁଖ୍ୟମନ୍ତ୍ରୀ ଗାଦି ରଖିବାକୁ ଦାବି କରୁଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ଏଥର ନିର୍ବାଚନ ଜିତିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହୁଁଛି ଦଳ। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରୁନି।

ଗୁରୁବାର ଫଳାଫଳ ବାହାରିବା ପରେ ଉଦ୍ଧବ ଠାକ୍‌ରେ କହିଥିଲେ, ‘‘ଏଥର ବଡ଼ ଭାଇ ସାନ ଭାଇ କଥା ଶୁଣାଯିବନି। ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସହ ଯାହା ଆଲୋଚନା ହୋଇଥିଲା ସେହି ଅନୁସାରେ ସରକାର ଗଠନ କରାଯିବ।’’

ଏବେ ହରିୟାଣାରେ ସରକାର ଗଠନ ପାଇଁ ବିଜେପି ନେତାମାନେ ବ୍ୟସ୍ତ ଅଛନ୍ତି। ହରିୟାଣା ଅଡୁଆ ତୁଟିବା ପରେ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ପ୍ରୟାସ କରିବ। ଏହାସହ ଶିବସେନା ସହ ଆଲୋଚନା କରିବ ବିଜେପି।

LEAVE A REPLY

Please enter your comment!
Please enter your name here