ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ବୁଧବାର ରୁଚି ସୋୟା କମ୍ପାନିକୁ କିଣିଛି। ସୋୟା ଫୁଡ୍‌ ବ୍ରାଣ୍ଡ ନ୍ୟୁଟ୍ରେଲା ଏବଂ ଖାଇବା ତେଲ ନିର୍ମାତା କମ୍ପାନି ‘ରୁଚି ସୋୟା’ ବ୍ୟାଙ୍କ ଋଣ ଶୁଝି ନପାରି ଦେବାଳିଆ ଅବସ୍ଥାରେ ଥିଲା। ବୁଧବାର ପତଞ୍ଜଳୀ ୪,୩୫୦ କୋଟି ଟଙ୍କା ଋଣ ଶୁଝି ରୁଚି ସୋୟାକୁ ନିଜ ଅଧିନକୁ ଆଣିଛି। ଏହା ପତଞ୍ଜଳୀର ସବୁଠାରୁ ବଡ଼ ଅଧିଗ୍ରହଣ ବୋଲି କୁହାଯାଉଛି।

ଏହି ଅଧିଗ୍ରହଣରେ ରୁଚି ସୋୟାର ଖାଇବା ତେଲ ବ୍ରାଣ୍ଡ ମହାକୋଶ ଏବଂ ରୁଚି ଗୋଲ୍ଡ ପତଞ୍ଜଳୀ ଅଧିନକୁ ଚାଲିଆସିଛି। ବର୍ତ୍ତମାନ ରୁଚି ସୋୟାର ଦେଶରେ ୨୦ଟି ପ୍ଲାଣ୍ଟ ଥିବା ବେଳେ ୧୧.୫୦ ଲକ୍ଷ ରିଟେଲ ଆଉଟଲେଟ ମାଧ୍ୟମରେ କମ୍ପାନି ନିଜର ସାମଗ୍ରୀ ବିକ୍ରି କରୁଛି।

ଦେଶର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଶୁଝି ନପାରିବାରୁ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ରୁଚି ସୋୟାକୁ ଦେବାଳିଆ ଘୋଷଣା କରିଥିଲା। ବର୍ତ୍ତମାନ ପତଞ୍ଜଳୀ ଏହାକୁ ନିଜ ଅଧିନକୁ ଆଣିଛି। ରୁଚି ସୋୟାକୁ କିଣିବା ପରେ ପତଞ୍ଜଳୀ ୧୪ ପ୍ରତିଶତ ବଜାର ଅଂଶଦାନ ସହିତ ଦ୍ୱିତୀୟ ବୃହତମ ଖାଇବା ତେଲ ପ୍ରସ୍ତୁତ କମ୍ପାନି ହୋଇପାରିଛି। ୧୯ ପ୍ରତିଶତ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଅଦାନୀ ୱିଲ୍‌ମର।

LEAVE A REPLY

Please enter your comment!
Please enter your name here