ବିଭୂତି ପଟ୍ଟନାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ରେଭେନ୍ସା କଲେଜରେ ସାଇନ୍ସ ପଢ଼ିଲା ବେଳେ ଖରାଛୁଟିରେ ଦୁଇଜଣ କିଶୋର ବନ୍ଧୁଙ୍କ ସହ ଦୁଇଚକିଆ ସାଇକେଲ ଚଢି କଟକରୁ ପେସାୱାର ପ୍ରାୟ ଦୁଇ ହଜାର ମାଇଲ ସ୍ଥଳପଥ ଅତିକ୍ରମ କରି ସେ ଦୁଃସାହସିକତାର ନୂତନ ରେକର୍ଡ଼ ସୃଷ୍ଟି କରିଥିଲେ।

ସେତେବେଳେ ତାଙ୍କର ବୟସ ମାତ୍ର ଷୋଳ ବର୍ଷ। କିନ୍ତୁ ମାଟି ଉପରେ ସାଇକେଲ ଗଡ଼ାଇ କଟକରୁ ପେସାୱାର ସହରରେ ପହଂଚିସାରିଲା ପରେ, ମାଟି ଛାଡ଼ି ଆକାଶରେ ଉଡ଼ିବା ନିଶା ତାଙ୍କ ଛାତ୍ରମନକୁ ଆଚ୍ଛନ୍ନ କରି ରଖିଥିଲା। ଲାଗିଗଲା ଉଡ଼ାଜାହାଜ ପାଇଲଟ ହେବାର ନିଶା। କିନ୍ତୁ ଓଡ଼ିଶାରେ ପାଇଲଟ ଟ୍ରେନିଂ ନେବାର କୌଣସି ସୁବିଧା ନଥିଲା। ସେଥିପାଇଁ ସେ ରେଭେନ୍ସାରେ ବିଏସ୍‌ସି ପଢ଼ିଥିବା ବେଳେ ପାଇଲଟ ଟ୍ରେନିଂ ନେବାପାଇଁ ଦିଲ୍ଲୀ ଚାଲିଯାଇଥିଲେ। ଅର୍ଥାଭାବ ତାଙ୍କର ପଥରୋଧ କରିପାରିନଥିଲା। ନିଜ ଅଦମ୍ୟ ଇଚ୍ଛା ଓ କର୍ତ୍ତବ୍ୟନିଷ୍ଠା ବଦଳରେ ବିଜୁ କେବଳ ଦିଲ୍ଲୀ ଫ୍ଲାଇଂ ଟ୍ରେନିଂ ସେଣ୍ଟରରୁ କୃତିତ୍ୱର ସହ ପାଇଲଟ ଟ୍ରେନିଂ ନେଇ ଉତ୍ତୀର୍ଣ୍ଣ ହୋଇନଥିଲେ, ଟ୍ରେନିଂ ଶେଷ ହେବା ମାତ୍ରେ ଜଣେ ସୁଦକ୍ଷ ପାଇଲଟ ଭାବରେ ବ୍ରିଟିଶ ରୟାଲ ଫୋର୍ସରେ ଜଣେ ବୈମାନିକ ଭାବରେ ଯୋଗ ଦେଇଥିଲେ।

କିନ୍ତୁ ବ୍ରିଟିଶ ରୟାଲ ଏୟାର ଫୋର୍ସରେ ପାଇଲଟ ଭାବରେ କାମ କରି ଅର୍ଥ ରୋଜଗାର କରିବା ତାଙ୍କର ଲକ୍ଷ୍ୟ ନଥିଲା। ବ୍ରିଟିଶ ବିରୋଧୀ ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ନିଜ ମାତୃଭୂମିର ସ୍ୱାଧୀନତା ପାଇଁ ଅଗଷ୍ଟ ବିପ୍ଳବୀମାନଙ୍କୁ ନିଜ ଜୀବନ ବିପନ୍ନ କରି ସହାୟତା କରିବାରେ ଦ୍ୱିଧାବୋଧ କରିନଥିଲେ। ୧୯୪୨ ଅଗଷ୍ଟ ୯ ତାରିଖ ଦିନ ବମ୍ବେ କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସକମାନଙ୍କୁ ଭାରତଛାଡ଼ ଡାକରା ଦେଲା ପରେ ତୁଙ୍ଗ କଂଗ୍ରେସ ନେତାମାନଙ୍କୁ ଗିରଫ କରି ସରକାର ଜେଲରେ ଭର୍ତ୍ତି କରିଦେଇଥିଲେ।

କିନ୍ତୁ କଂଗ୍ରେସ ଭିତରେ ଥିବା ସୋସାଲିଷ୍ଟମାନେ ଭୂମିଗତ ହୋଇ ବ୍ରିଟିଶ ସରକାରଙ୍କୁ ଅଚଳ କରିଦେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଜୟପ୍ରକାଶ ନାରାୟଣ, ଡକ୍ଟର ରାମମନୋହର ଲୋହିଆ, ଅଶୋକ ମେହଟ୍ଟା, ଅରୁଣା ଆସଫ ଅଲ୍ଲୀ ପ୍ରମୁଖ ସୋସାଲିଷ୍ଟ ନେତାମାନଙ୍କୁ ଗୋପନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା ଲାଗି ବୈମାନିକ ବିଜୁ ପଟ୍ଟନାୟକ ବ୍ରିଟିଶ ସରକାରଙ୍କ ବିମାନକୁ ବ୍ୟବହାର କରୁଥିଲେ। କିନ୍ତୁ ଗୋଇନ୍ଦା ସୂତ୍ରରୁ ବ୍ରିଟିଶ ସରକାର ଏହା ଜାଣିଲା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ୧୯୪୩ ମସିହା ଜାନୁଆରୀ ୧୩ ତାରିଖ ଦିନ ଗିରଫ କରି ଜେଲରେ ଭର୍ତ୍ତି କରିଦେଇଥିଲେ।

ତାଙ୍କର ଏହି ପ୍ରଗାଢ଼ ଦେଶପ୍ରେମ, ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ଚାକିରି ହରାଇ ଜେଲବରଣ ତାଙ୍କୁ ଜବାହରଲାଲ ନେହରୁଙ୍କ ଭଳି ତୁଙ୍ଗ କଂଗ୍ରେସ ନେତାମାନଙ୍କ ବିଶ୍ୱାସଭାଜନ କରିଦେଇଥିଲା। ସ୍ୱାଧୀନତା ପରେ କଂଗ୍ରେସର ଜଣେ ସଂଗ୍ରାମୀ ସିପାହୀ ଭାବରେ ଦେଶର ରାଜନୀତି ଓ ଦେଶ ନିର୍ମାଣରେ ବିଜୁ ପଟ୍ଟନାୟକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପାକିସ୍ତାନ କାଶ୍ମୀର ଆକ୍ରମଣ କଲାବେଳେ ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶରେ ସେ ଶେଷରେ ଭାରତୀୟ ସୈନିକମାନଙ୍କୁ ବିମାନରେ ଶ୍ରୀନଗରରେ ଅବତରଣ କରାଇ ପ୍ରଶଂସା ଅର୍ଜନ କରିଥିଲେ। ସେହିପରି ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ ଆକ୍ରମଣ ବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାରଙ୍କୁ ବିଜୁ ପଟ୍ଟନାୟକ ଜାକର୍ତ୍ତାରୁ ରେଙ୍ଗୁନ ଏବଂ ସେଠାରୁ ନୂଆଦିଲ୍ଲୀକୁ ଉଡ଼ାଇ ଆଣି ନିଜ ଚରମ ସାହସିକତାର ପରିଚୟ ଦେଇଥିଲେ।

ପ୍ରଥମ ସାଧାରଣ ନିର୍ବାଚନରେ ସେ ଗଞ୍ଜାମ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀ ଏବଂ ଦ୍ୱିତୀୟ ସାଧାରଣ ନିର୍ବାଚନରେ ସୋରଡା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ୬୭ଟି ଆସନରେ ଉପଯୁକ୍ତ ହୋଇଥିଲା ବେଳେ ଗଣତନ୍ତ୍ର ପରିଷଦ ମାତ୍ର ୩୧ଟି ଆସନ ଲାଭ କରିଥିଲା। ତେଣୁ କଂଗ୍ରେସ ସ୍ୱାଧୀନ ସଭ୍ୟମାନଙ୍କ ସମର୍ଥନରେ ଓଡ଼ିଶାରେ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା। କିନ୍ତୁ ୧୯୫୭ ଦ୍ୱିତୀୟ ସାଧାରଣ ନିର୍ବାଚନରେ କଂଗ୍ରେସ ଛପନଟି ଆସନ ଦଖଲ କରିଥିଲାବେଳେ ଗଣତନ୍ତ୍ର ପରିଷଦ ୫୨ଟି ସ୍ଥାନରେ ବିଜୟୀ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନ ତୁଳନାରେ ୨ୟ ସାଧାରଣ ନିର୍ବାଚନରେ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ମଧ୍ୟରେ ଆସନ ସଂଖ୍ୟା ଦୃଷ୍ଟିରୁ ବ୍ୟବଧାନ ୨୬ରୁ ଚାରିକୁ କମିଆସିବା ଫଳରେ ଉଭୟ ଦଳ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ୧୩ ଜଣ ସଭ୍ୟଙ୍କୁ ନିଜ ପଟକୁ ଆଣି ସରକାର ଗଠନ ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ।

ଏହି ସରକାର ଗଠନ ପ୍ରଚେଷ୍ଟାରେ ଅଧିକ ସଂଖ୍ୟକ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ହାସଲ କରି ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିଥିଲା। ସ୍ୱାଧୀନ ସଭ୍ୟମାନଙ୍କ କଂଗ୍ରେସ ପ୍ରତି ସମର୍ଥନ ହାସଲ କରିବାରେ ବିଜୁ ପଟ୍ଟନାୟକଙ୍କର ଏକ ବଳିଷ୍ଠ ଭୂମିକା ଥିଲା। ତେଣୁ ସରକାର ଗଠନ ପରେ ଗଣତନ୍ତ୍ର ପରିଷଦର ନେତା ଶୈଳେନ୍ଦ୍ର ନାରାୟଣ ସିଂହଦେଓ କଂଗ୍ରେସ ଦଳରୁ କେତେଜଣ ସଭ୍ୟଙ୍କୁ ମନ୍ତ୍ରିତ୍ୱର ମୋହ ଦେଖାଇ ନିଜ ପଟକୁ ଆଣିବା ପାଇଁ ଯେତେବେଳେ ଉଦ୍ୟମ ଆରମ୍ଭ କରିଦେଲେ, ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା।

ସେତେବେଳେ ଦଳବିରୋଧି ଆଇନ୍ ପାସ୍ ହୋଇନଥିଲା। ଜଣେ ବିଧାୟକ ଯେଉଁ ଦଳ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଛି, ସେ ନିଜ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗଦେଲେ ତାଙ୍କର ବିଧାନସଭା ସଭ୍ୟ ପଦ ହରାଇବାର ପ୍ରଶ୍ନ ନଥିଲା। ଏହାର ସୁଯୋଗ ନେଇ ମହତାବଙ୍କ ମନ୍ତ୍ରିମଣ୍ଡଳର ଜଣେ ଉପମନ୍ତ୍ରୀ ଅନୁପ ସିଂହଦେଓ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହେବା ଲୋଭରେ କଂଗ୍ରେସ ଛାଡ଼ି ଗଣତନ୍ତ୍ର ପରିଷଦରେ ଯୋଗଦେବେ ବୋଲି ଘୋଷଣା କରିଦେଲେ। ତାଙ୍କ ଦେଖାଦେଖି କଂଗ୍ରେସ ହରିଜନ ବିଧାୟକ ମୋହନ ନାୟକ ଏବଂ ଆଦିବାସୀ ବିଧାୟକ ଘାସିରାମ ମାଝୀ କଂଗ୍ରେସ ଛାଡ଼ୁଥିବା ଖବର ମୁଖ୍ୟମନ୍ତ୍ରୀ ମହତାବଙ୍କ ଆଖିରୁ ନିଦ କାଢ଼ିନେଇଥିଲା।

ଅନୁପ ସିଂହଦେଓ ଥିଲେ କଳାହାଣ୍ଡି ରାଜପରିବାର ଜାମାତା। ତାଙ୍କୁ ଗଣତନ୍ତ୍ର ପରିଷଦର ନେତା କଳାହାଣ୍ଡି ମହାରାଜା ତାଙ୍କ ସରକାରୀ ବାସଭବନରୁ ନେଇ ସୁନ୍ଦରଗଡ଼ ରାଜା ଉଦିତ ନାରାୟଣ ସିଂହଦେଓଙ୍କ ଘରେ ଲୁଚାଇ ରଖିଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଉଡ଼ା ଖବର ଉପରେ ବିଶ୍ୱାସ ରଖି ପୋଲିସ ଉଦିତ ନାରାୟଣଙ୍କ ଘରେ ଖାନତଲାସ କରିବା ପାଇଁ ସାହସ କଲାନାହଁ। ଉପମନ୍ତ୍ରୀ ଅନୁପ ସିଂହଦେଓଙ୍କୁ ଉଦ୍ଧାର କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମହତାବ ଦୁଃସାହସୀ ବିଜୁ ପଟ୍ଟନାୟକ ଉପରେ ନ୍ୟସ୍ତ କରିଥିଲେ।

ମନ୍ତ୍ରୀ ଚୋରି କରି ଗଡ଼ଜାତ ରାଜାମହାରାଜମାନେ କଂଗ୍ରେସ ମନ୍ତ୍ରିମଣ୍ଡଳ ଭାଙ୍ଗିବା ଔଦ୍ଧତ୍ୟ ବିଜୁ ପଟ୍ଟନାୟକଙ୍କର ସହ୍ୟ ହେଲାନାହିଁ। ଖବରପାଇ ସେ ସୁନ୍ଦରଗଡ଼ ରାଜାଙ୍କ ବାରଣ ନମାନି ତାଙ୍କ ଘରେ ଜବରଦସ୍ତ ପ୍ରବେଶ କରିଥିଲେ।  ଯେଉଁ ଘରେ ଅନୂପ ସିଂହଦେଓ ଭିତରପଟୁ କବାଟ ବନ୍ଦ କରି ରହିଥିଲେ, ସେହି ଘର ଦରଜାରେ ବିଜୁ ପଟ୍ଟନାୟକ ଧକ୍କା ଦେବା ଫଳରେ ଦରଜା ଖୋଲିଗଲା ଏବଂ ଭାରସାମ୍ୟ ରକ୍ଷା କରିନପାରି ଅନୁପ ସିଂହଦେଓ ଟିକେ ମୁହଁମାଡ଼ି ପଡ଼ିଯାଇଥିଲେ। ତାଙ୍କର ଏ ଶୋଚନୀୟ ଅବସ୍ଥା ଦେଖି ସୁନ୍ଦରଗଡ଼ ରାଜା ଏବଂ ତାଙ୍କର ଅନୁଗତ  କର୍ମୀମାନେ ଅନୁପ୍ରବେଶକାରୀ ବିଜୁ ବାବୁଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ଜାମା ଚିରିଯାଇଥିଲା।

ତାଙ୍କୁ ଜୀବନରୁ ମାରିଦେବା ପାଇଁ କଳାହାଣ୍ଡି ମହାରାଜା ବନ୍ଧୁକ ଆଣିବାକୁ ଉପର ମହଲାକୁ ଗଲାବେଳେ ସେ ଅନୁପ ସିଂହଦେଓଙ୍କୁ ଛାଡ଼ି ପଳାଇଆସିଥିଲେ। ତାଙ୍କ ପାଖରୁ ସବୁକଥା ଶୁଣିଲା ପରେ ପୋଲିସ କଳାହାଣ୍ଡି ମହାରାଜା, ସୁନ୍ଦରଗଡ଼ ରାଜା ଏବଂ ଗଣତନ୍ତ୍ର ପରିଷଦ ନେତା ହରିହର ପଟେଲଙ୍କୁ ଗିରଫ କଲାପରେ ଅନୁପ ସିଂହଦେଓ କଂଗ୍ରେସରୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିଲେ। ମହତାବଙ୍କ ମନ୍ତ୍ରିମଣ୍ଡଳ ଅନିବାର୍ଯ୍ୟ ପତନରୁ ରକ୍ଷା ପାଇଯାଇଥିଲା।

ତା’ ପରଦିନ ଓଡ଼ିଶା ବିଧାନସଭାରେ ପୂର୍ବଦିନ ରାତିରେ ଘଟିଯାଇଥିବା ଘଟଣାକୁ ମହାଭାରତ ଯୁଦ୍ଧ ଶେଷରେ ହସ୍ତିନାପୁରର ଦୃଶ୍ୟ ସହିତ ତୁଳନା କରି ଇଂରାଜୀରେ ବିଜୁ ପଟ୍ଟନାୟକ ଯେଉଁ ଭାଷଣ ଦେଇଥିଲେ, ତାହା ଓଡ଼ିଶା ବିଧାନସଭା ଇତିହାସରେ ଏକ ଅବିସ୍ମରଣୀୟ ଭାଷଣର ମାନ୍ୟତା ଲାଭ କରିଥିଲା।

ସାଇକେଲ ଚଢ଼ାରୁ ଆକାଶରେ ଉଡ଼ା, ଶିଳ୍ପପତିରୁ ରାଜନୀତି ସବୁ କ୍ଷେତ୍ରରେ ବିଜୁ ପଟ୍ଟନାୟକ ଥିଲେ ଜଣେ ସ୍ୱାଭିମାନୀ, ଅନନ୍ୟ ଓଡ଼ିଆ। ତାଙ୍କର ତୁଳନା ସେ ନିଜେ। ସମୁଦାୟ ଆଠ ଥର ଓଡ଼ିଶା ବିଧାନସଭା, ୪ ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଥିଲେ ପାଞ୍ଚଟି ଆସନରୁ ନିର୍ବାଚିତ ଲଢ଼ି ଗୋଟିଏ ସୁଦ୍ଧା ଆସନରୁ ଜିତିପାରି ନଥିବା ରାଜନେତା ହେଉଛନ୍ତି ବିଜୁ ପଟ୍ଟନାୟକ।

ସ୍କୁଲ, କଲେଜ ଓ ଛାତ୍ର ଜୀବନରେ ଖେଳକୁଦ ପ୍ରତିଯୋଗିତାରେ ବହୁ ରେକର୍ଡ଼ ଅଧିକାରୀ ହୋଇଥିବା ବିଜୁପଟ୍ଟନାୟକ ଭାରତୀୟ ରାଜନୀତିରେ ମଧ୍ୟ ରେକର୍ଡ଼ ମେକର ଓ ରେକର୍ଡ଼ ବ୍ରେକର ଭାବରେ ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ। ସେଥିପାଇଁ ତାଙ୍କ ଭଳି ଜଣେ ବ୍ୟକ୍ତି ଓଡ଼ିଶା ମାଟିରେ ଶହେବର୍ଷ ତଳେ ଜନ୍ମ ହୋଇଥିଲେ ବୋଲି ଭାବିଲେ ମନ ଅହଂକାରରେ ଉତ୍‌ଫୁଲ୍ଲ ହୋଇଉଠେ।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)

LEAVE A REPLY

Please enter your comment!
Please enter your name here