ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କରୋନା ପାଇଁ ଓଡ଼ିଶା ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା। ଆଇନଜୀବୀ ବିଜୟ କୁମାର ରଗଡ଼ କରୋନା ଭାଇରସର ଉଚିତ୍ ମୁକାବିଲା କରିବା ନେଇ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।

ସେ ତାଙ୍କର ଆବେଦନରେ କହିଛନ୍ତି ଯେ, ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ। ଏହାର ଉପକୂଳ ଦେଇ ପ୍ରତିଦିନ ଅନେକ ପାଣି ଜାହାଜ ଯିବା ଆସିବା କରୁଛନ୍ତି। ଅନେକ ସମୟରେ ସେହି ଜାହାଜରୁ ବିଭିନ୍ନ ସାମଗ୍ରୀ ମଧ୍ୟ ଆମ ରାଜ୍ୟକୁ ଆସୁଛି। ତେଣୁ ଏହାଦ୍ୱାରା ଆମ ରାଜ୍ୟକୁ କରୋନା ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି। ତେଣୁ କରୋନା ଭାଇରସର ମୁକାବିଲା ପାଇଁ ଏହି ଜାହାଜ ଯେଭଳି ଓଡ଼ିଶାର କୌଣସି ବନ୍ଦରକୁ ନଆସନ୍ତି ସେ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ତାଙ୍କର ଆବେଦନରେ କହିଛନ୍ତି। ଏଥିସହିତ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସେଭଳି କୌଣସି ପ୍ରସ୍ତୁତି କରିନଥିବା ସେ କହିଛନ୍ତି। ତେଣୁ ବିପଦ ନଟଳିବା ପର୍ଯ୍ୟନ୍ତ ହାଇକୋର୍ଟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ଏହି ମାମଲାରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗୋପାଳପୁର ପୋର୍ଟ ଅଧ୍ୟକ୍ଷ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗକୁ ପକ୍ଷଭୁକ୍ତ କରିଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ବିଶ୍ୱରେ କରୋନା ଭାଇରସ ବିପର୍ଯ୍ୟୟକୁ ଡାକି ଆଣିଛି। ଯେଉଁ କାରଣରୁ ସାରା ବିଶ୍ୱରେ ଏଥିରେ ସାଢ଼େ ଚାରି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତ ମଧ୍ୟ ଏହା କବଳରୁ ମୁକ୍ତ ନୁହେଁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here