ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟପାଳଙ୍କ ବିରୋଧରେ ଆସିଥିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
  • ନାଗାଲାଣ୍ଡ ବିଜେପି ପକ୍ଷରୁ ହୋଇଥିଲା ଅଭିଯୋଗ
  • ଅଭିଯୋଗକୁ ଶସ୍ତା ଓ ଅପରିପକ୍ୱ କହିଲା ରାଜ୍ୟପାଳଙ୍କ ଅଫିସ

ଭାରତୀୟ ଜନତା ପାର୍ଟିର ଏକ ଅଭିଯୋଗକୁ ଓଡିଶା ରାଜ୍ୟପାଳ ଡକ୍ଟର ଏସ୍ ସି ଜମିର ଖଣ୍ଡନ କରିଛନ୍ତି। ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ସେ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ବିଜେପି ଆଣିଥିଲା। ଏହା ଏକ ଅନୁମାନ କେବଳ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି।

ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ ଜାତୀୟ ଗଣମାଧ୍ୟମ ଉଦେଶ୍ୟରେ ଦିଆଯାଇଛି। ଏହି ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଓଡ଼ିଶା ରାଜ୍ୟପାଳ କୌଣସି ପ୍ରକାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ନାହାନ୍ତି। ବିଜେପିର ନାଗାଲାଣ୍ଡ ଶାଖା ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଛି ତାହା ‘ଶସ୍ତା ଓ ଅପରିପକ୍ୱ’। ଏଥି ସହିତ ଡକ୍ଟର ଜମିର ନିର୍ବାଚନ କମିଶନଙ୍କୁ ମଧ୍ୟ ଏହି ଅଭିଯୋଗ ପଛରେ ଥିବା ସତ୍ୟତାକୁ ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି।

ପାଞ୍ଚ ଥର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଥିବା ଡକ୍ଟର ଜମିର ନିକଟରେ ତାଙ୍କ ନିଜ ସହର ମକକଚୁଙ୍ଗ ଯାଇଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ଗସ୍ତ କେବଳ ଏକ ଘଟଣାକ୍ରମ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି।

ନାଗାଲାଣ୍ଡ ବିଜେପି ଓ ତାହାର ସହଯୋଗୀ ଦଳ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି ଡକ୍ଟର ଜମିରଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ ପାଖରେ ଫେରାଦ ହୋଇଥିଲେ। ଏହି ଅଭଯୋଗରେ କୁହାଯାଇଥିଲା ଯେ ଡକ୍ଟର ଜମିର ନାଗା ପିପୁଲସ ଫ୍ରଣ୍ଟ ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ଡକ୍ଟର ଜମିରଙ୍କ ପୁଅ ସି ଅପୋକ ଜମିର ନାଗାଲାଣ୍ଡ ପିପୁଲସ ଫ୍ରଣ୍ଟ ଟିକେଟରେ ମକକଚୁଙ୍ଗ ନିର୍ବାଚନମଣ୍ଡଳୀରେ ଲଢ଼େଇ ମଇଦାନକୁ ଓହ୍ଲାଇଛନ୍ତି।

LEAVE A REPLY

Please enter your comment!
Please enter your name here