ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦୁଆ ବରକୁ ଛି କରି ଦେଇଥିବା ଟାଙ୍ଗରପାଲି ଅଞ୍ଚଳର ମଙ୍ଗୁଳା କନ୍ୟା ଶେଷରେ ସାମାଜିକ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଟାଙ୍ଗରପାଲି ଥାନାରେ ସୋମବାର ରାତିରେ କେତେକ ସାମାଜିକ କର୍ମୀ ଏବଂ ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେ ମନା କରିଥିବା ବରକୁ ବାହା ହୋଇଛନ୍ତି। ଥାନାରେ ମାଳ ଅଦଳ ବଦଳ କରି ଶଙ୍କର ପଣ୍ଡାଙ୍କୁ ଜୀବନ ସାଥୀ କରିଛନ୍ତି ସଂପୃକ୍ତ ମଙ୍ଗୁଳା କନ୍ୟା।

ରବିବାରର ଘଟଣା। ବନ୍ଧମୁଣ୍ଡା ଅଞ୍ଚଳର ଶଙ୍କର ପଣ୍ଡା ଟାଙ୍ଗରପାଲି ଥାନା ଅଞ୍ଚଳର ସାରନଗରୀକୁ ବାହା ହୋଇ ଆସିଥିଲେ। ଜଗନ୍ନାଥ ମନ୍ଦିରରେ ବାହାଘର ପାଇଁ ହୋଇଥିଲା ବ୍ୟବସ୍ଥା। ହେଲେ ବର ଏବଂ ବରଯାତ୍ରୀ ମଦ୍ୟପାନ କରି ଉନ୍ମତ୍ତକାଣ୍ଡ ଘଟାଇଥିଲେ। ଭୋଜି ଭଲ ହୋଇ ନଥିବାକୁ କେନ୍ଦ୍ର କରି ବରଯାତ୍ରୀ ଖାଦ୍ୟ ଫୋପାଡ଼ିଥିଲେ।

ବେଦିରେ ବସିଥିବା ବର ଶଙ୍କର ପଣ୍ଡା ମଧ୍ୟ ନିଶାରେ କନ୍ୟାର ଭାଇ ଏବଂ ବାପାଙ୍କୁ ବେଜିତ କରିବାକୁ ପଛାଇ ନଥିଲେ। ବରର ଏଭଳି ବ୍ୟବହାରରେ କନ୍ୟା ଘର ଲୋକେ କ୍ଷୁବ୍ଧ ହୋଇଥିଲେ। ଶେଷରେ କନ୍ୟା ମଦୁଆ ବରକୁ ବାହା ହେବା ପାଇଁ ମନା କରି ଦେଇଥିଲେ। ଏନେଇ ଟାଙ୍ଗରପାଲି ଥାନାରେ କନ୍ୟା ଅଭିଯୋଗ କରିବା ସହ ବର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।

ପୋଲିସ ବର ଏବଂ ତାଙ୍କ ମଝିଆଁ ଭାଇକୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ସୋମବାର ସନ୍ଧ୍ୟାରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ କନ୍ୟାକୁ ବୁଝାଇବା ପାଇଁ ଲାଗିପଡ଼ିଥିଲେ ପରିବାରବର୍ଗ। ସାମାଜିକ ଚାପ ଏବଂ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ବାହା ହେବା ପାଇଁ ମନା କରିଥିବା ମଙ୍ଗୁଳା କନ୍ୟା ଶେଷରେ ସେହି ମଦୁଆ ବରକୁ ବାହା ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here