ଭାସ୍କର ପରିଚ୍ଛା
ସାମ୍ପ୍ରତିକ ସମୟରେ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ବିଭୂତି ପଣ୍ଡା ଏକ ପରିଚିତ ନାମ। ଜୀବନର ଅସଂଖ୍ୟ ଘଟଣାବଳୀକୁ ଉପନ୍ୟାସର ରଙ୍ଗ ଦେଇ ଗଢ଼ି ତୋଳିବାରେ ସେ ସିଦ୍ଧହସ୍ତ। ତାଙ୍କ ଉପନ୍ୟାସଗୁଡ଼ିକରେ ସମାଜର ସାଧାରଣ ଓ ଅସାଧାରଣ ଚରିତ୍ରମାନେ ଜୀବନ୍ୟାସ ପାଇଥାନ୍ତି। ‘ମଣ୍ଟୁ’ ସେହିଭଳି ଏକ ଚରିତ୍ର ଯାହାକୁ ନେଇ ବିଭୂତି ପଣ୍ଡାଙ୍କ ଉପନ୍ୟାସଗୁଡ଼ିକ କେନ୍ଦ୍ରିତ।
‘ନଯା ନଯା ନଚିକେତା’ ବିଭୂତି ପଣ୍ଡାଙ୍କ ତୃତୀୟ ଉପନ୍ୟାସ ବା ଯାହାକୁ କୁହାଯାଏ ସିକ୍ୱେଲ। ପୂର୍ବରୁ ତାଙ୍କର ଆଉ ଦୁଇଟି ଉପନ୍ୟାସ ପ୍ରକାଶ ପାଇଛି: ‘ମୁଁ ବେଲାଳସେନ’ ଓ ‘ଭାନୁମତୀପୁରରୁ ଭାରତବର୍ଷ’। ଆଲୋଚ୍ୟ ଉପନ୍ୟାସ ‘ନଯା ନଯା ନଚିକେତା’ ପଶ୍ଚିମା ୨୦୧୭ର ପୂଜା ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ଏବେ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଛି।
ଉପନ୍ୟାସର ପୃଷ୍ଠଭୂମି ଭାରତର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଓ ବିଶେଷ କରି ସତୁରୀ ଦଶକର ପଶ୍ଚିମ ଓଡ଼ିଶାରେ ଘଟିଥିବା ଛାତ୍ର ଆନ୍ଦୋଳନ ଏବଂ ତମାମ ଘଟଣା। ବିଭୂତି ପଣ୍ଡାଙ୍କ ଛାତ୍ର ଜୀବନର କିଛି ଉଲ୍ଲେଖନୀୟ ଘଟଣା ପୂର୍ବ ଦୁଇଟି ଉପନ୍ୟାସର ବିଷୟବସ୍ତୁ ହୋଇଥିବା ବେଳେ ନଚିକେତା ଉପନ୍ୟାସରେ ତାର ଏକ ବିସ୍ତୃତ ଚିତ୍ରପଟ୍ଟ ଆଖିରେ ପଡ଼େ।
ଲେଖକ ‘ନିଜକଥା’ରେ ଉଲ୍ଲେଖ କରିଛନ୍ତି: “ଭାରତର ସ୍ଵାଧୀନତା ପରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହେଲା। ନୂତନ ସରକାର ଇଂରେଜ ଶାସନ ଅମଳରେ ପ୍ରଚଳିତ ଶିକ୍ଷାନୀତି ଓ ଶିକ୍ଷାୟତନଗୁଡ଼ିକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସ୍ୱାବଲମ୍ବନଶୀଳ ଯୁବକ ବା ନାଗରିକ ସୃଷ୍ଟି ପାଇଁ ବିଶିଷ୍ଟ ଶିକ୍ଷାବିତଙ୍କୁ ନେଇ ବିଭିନ୍ନ ସମୟରେ କମିସନ ଗଠନ କଲେ। ମାତ୍ର ସତରେ କଣ ଦେଶର ପୁନଃଗଠନ ପାଇଁ ସେପରି କିଛି ନୂତନ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ହୋଇ ପାରିଲା? ସେହିଭଳି ଏକ ପ୍ରଶ୍ନ ଦେଶର ନାଗରିକ ତଥା ସଚେତନ ବୁଦ୍ଧିଜୀବୀଙ୍କ ମାନସ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରେ। ମନରେ ଆସି ଉଭା ହୋଇଯାଏ ଅତୀତର ଛାତ୍ର ଜୀବନ ତଥା ଅଧ୍ୟାପନା କାଳରେ ଘଟିଥିବା କିଛି କିଛି ଘଟଣା।”
ଉପନ୍ୟାସର ପୃଷ୍ଠଭୂମି ସମ୍ବଲପୁର ସହର। ଅଶୋକ ମାମୁଁଙ୍କ ସହ ମଣ୍ଟୁଙ୍କ କଥୋପକଥନ ଭିତରେ ଉପସନ୍ୟାଟି ଗତି କରେ। ଉପନ୍ୟାସର ଘଟଣା ଓ ଚରିତ୍ରମାନେ ସେହି କଥାବାର୍ତ୍ତା ଭିତରେ ସହଜ ଭାବରେ ଉତୁରି ଆସନ୍ତି। ଷାଠିଏ ଦଶକର ଓଡ଼ିଶାର ଛାତ୍ର ଆନ୍ଦୋଳନ, ଅଶୀ ଦଶକର ସମ୍ୱଲପୁର ବନ୍ୟା, ସେହି ସମୟରେ ଘଟିଥିବା ଚାନ୍ଦା ଆଦାୟ ଘଟଣା, ମାରୱାଡ଼ି ବ୍ୟବସାୟୀଙ୍କ ସହ ଛାତ୍ର ନେତାଙ୍କ ସଂଘର୍ଷ, ବିଭିନ୍ନ କଲେଜରେ ସୃଷ୍ଟି ହୋଇଥିବା ଅଶାନ୍ତି, ତତ୍କାଳୀନ ଆଇନ ଶୃଙ୍ଖଳା ପରିସ୍ଥିତି, ରାଜଧାନୀରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଛାତ୍ରଙ୍କ ଉପରେ ଆକ୍ରମଣ, ଛାତ୍ର ଆନ୍ଦୋଳନ ସମଗ୍ର ପଶ୍ଚିମ ଓଡ଼ିଶାକୁ ବ୍ୟାପିବା, ଓଡ଼ିଶାର ରାଜନୀତି ଓ ସେଥିରେ ବିଭିନ୍ନ ନେତୃବୃନ୍ଦଙ୍କ ଭୂମିକା, ବସ୍ ମାଲିକଙ୍କ ଦୌରାତ୍ମ୍ୟ ଯୋଗୁ ନବେ ଦଶକର ବଲାଙ୍ଗିର ରାଜେନ୍ଦ୍ର କଲେଜ ଅଶାନ୍ତି, ମଣ୍ଡଳ କମିସନ ରିପୋର୍ଟ ଓ କ୍ୟାମ୍ପସ ବିଶୃଙ୍ଖଳା ଆଦି ବିଭିନ୍ନ ଘଟଣାକୁ ନେଇ ରଚିତ ଏହି ଉପନ୍ୟାସ ପାଖାପାଖି ପଚାଶ ବର୍ଷର ଭାରତ ଏବଂ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଇତିହାସର ମୂକସାକ୍ଷୀ।
ଉପନ୍ୟାସରେ ସମ୍ବେଦନଶୀଳ ଘଟଣାଗୁଡ଼ିକୁ କେବଳ ସ୍ମରଣ କରାଯାଇଛି ତାହା ନୁହେଁ ସେ ସବୁ ଘଟଣାର ନାୟକମାନଙ୍କୁ ମଧ୍ୟ ଲେଖକ ମନେ ପକାଇଛନ୍ତି – ସେ ସୂର୍ଯ୍ୟ ବହିଦାର ହୁଅନ୍ତୁ କି ପ୍ରଫେସର ରାଘବନ ହୁଅନ୍ତୁ କି ଡକ୍ଟର ତାପସ କବି। ଉପନ୍ୟାସରେ କିଛି ରାଜନୈତିକ ବ୍ୟକ୍ତିଙ୍କ କଥା ବି ଉଲ୍ଲେଖ କରାଯାଇଛି ଯଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏବଂ ପୂର୍ବତନ ରାଜ୍ୟପାଳ ବିଶ୍ଵମ୍ବର ନାଥ ପାଣ୍ଡେ।
ବିଭୂତି ପଣ୍ଡାଙ୍କ ଉପନ୍ୟାସଗୁଡ଼ିକରେ ପୌରାଣିକ, ଐତିହାସିକ, ଲୌକିକ ଏବଂ ଧାର୍ମିକ ଉଦ୍ଧୃତି ଏବଂ ଉଲ୍ଲେଖ ବି ପ୍ରଚୁର ଦେଖିବାକୁ ମିଳେ। ଏଥିପାଇଁ ଘଟଣା ଓ ଚରିତ୍ରର ପୂର୍ବାପର ସମ୍ପର୍କ ମଧ୍ୟ ଉପନ୍ୟାସରେ ଅନାୟାସରେ ପ୍ରତିଷ୍ଠା ହୋଇପାରିଥାଏ। ଏହି ଉପନ୍ୟାସରେ ମଧ୍ୟ ସେ ସବୁ ସମ୍ଭବ ହୋଇ ପାରିଛି।
ସାଧାରଣତଃ, ଐତିହାସିକ ଉପନ୍ୟାସର କାହାଣୀକୁ ବିଶ୍ୱାସ କରିବା ପଛରେ ଗୋଟିଏ ବଡ଼ କାରଣ ହେଉଛି ତାର ଭୌଗୋଳିକ ପୃଷ୍ଠଭୂମି। ଯେହେତୁ ଉପନ୍ୟାସର ପରିକଳ୍ପନା ପ୍ରକୃତ ସ୍ଥାନ ଓ ଏକ ନିର୍ଦିଷ୍ଟ ସମୟ ଭିତ୍ତିରେ ହୋଇଥାଏ, ପାଠକର ମାନସପଟ୍ଟରେ ସେହି ସମୟ ଓ ଚରିତ୍ରମାନେ ଆପେ ଆପେ ନାଚି ଉଠନ୍ତି।
ଐତିହାସିକ ଉପନ୍ୟାସ ଲେଖିବା ଏକ କଷ୍ଟସାଧ୍ୟ ବ୍ୟାପାର କାରଣ ଔପନ୍ୟାସିକଙ୍କୁ ଉଭୟ ଗବେଷଣା ଓ ସୃଜନଶୀଳତା ଭିତରେ ଏକ ଭବ୍ୟ ସନ୍ତୁଳନ ଆଣିବାକୁ ହୁଏ। ଏହି ଧରଣର ଉପନ୍ୟାସରେ ଘଟଣା ଓ ସମୟର ଅବତାରଣା ପାଇଁ ଲେଖକଙ୍କୁ ପ୍ରଚୁର ସୁଯୋଗ ମିଳିଥାଏ।
ଐତିହାସିକ ଉପନ୍ୟାସର ଲେଖକଙ୍କ ବିଚାରବୋଧରେ ଅଙ୍ଗୀକାର, ସାଧୁତା ଓ ନିରପେକ୍ଷତା ମଧ୍ୟ ବହୁଳଭାବେ ରହିବା ଆବଶ୍ୟକ ହୋଇଥାଏ। ବିଭୂତି ପଣ୍ଡାଙ୍କ ଉପନ୍ୟାସ ‘ନଯା ନଯା ନଚିକେତା’ରେ ଏସବୁ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇଛି ବୋଲି ବୁଝିବାକୁ ହେବ।
ଏହି ଉପନ୍ୟାସରେ ପୌରାଣିକ ଭାବସତ୍ତା, ଇତିହାସ ଚେତନା, ଆତ୍ମପ୍ରତ୍ୟୟ, ଦେଶପ୍ରେମ ମଧ୍ୟ ଆଖିରେ ପଡ଼େ। ଏଥି ସହିତ ଆଳଙ୍କାରିକ ଶବ୍ଦପ୍ରୟୋଗ ଏବଂ ଚାତୁର୍ଯ୍ୟପୂର୍ଣ୍ଣ ଶୈଳୀ ବିପୁଳ ପରିମାଣରେ ପରିଲକ୍ଷିତ ହୁଏ।
‘ନଯା ନଯା ନଚିକେତା’ କେବଳ ଏକ ସଫଳ ଉପନ୍ୟାସ ତା’ ନୁହେଁ, ବିଗତ ଅର୍ଦ୍ଧ ଶତାବ୍ଦୀର ଓଡ଼ିଶାର ଘଟଣାବଳୀକୁ ଯେଉଁମାନେ ମନେ ପକାଇବା ପାଇଁ ଚାହାଁନ୍ତି ଏହି ଉପନ୍ୟାସଟି ସେହି ଅନ୍ୱେଷଣରେ ସହାୟକ ହେବ ଏଥିରେ ଦ୍ଵିମତ ନାହିଁ।
ନଯା ନଯା ନଚିକେତା
ବିଭୂତି ପଣ୍ଡା
ପଶ୍ଚିମା ପବ୍ଲିକେସନ୍ସ
ଭୁବନେଶ୍ୱର ୭୫୧୦୧୨