ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ଯେଉଁଥିରେ ଏନଡିଏ, ମହାମେଣ୍ଟଠାରୁ ଯଥେଷ୍ଟ ଆଗରେ ରହିଛି। ତେବେ ସବୁଠୁ ଖାସ୍ କଥା ହେଉଛି, ଜେଡିୟୁ ଅପେକ୍ଷା ବିଜେପି ବିହାର ନିର୍ବାଚନରେ ଅଧିକ ସିଟ୍ ଜିତିବ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ଯଦି ଏନଡିଏ ନିର୍ବାଚନରେ ଜିତାପଟ ହାସଲ କରେ ତେବେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେ ନା ବିଜେପି ଅନ୍ୟ କେଉଁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ବିଜେପି ନେତା କୈଳାସ ବିଜୟବର୍ଗୀ ଏହାକୁ ନେଇ କହିଛନ୍ତି ଯେ, ଏଥର ବିହାର ନିର୍ବାଚନରେ ମୋଦୀଙ୍କ ମ୍ୟାଜିକ୍ କାମ କରିଛି। ସନ୍ଧ୍ୟା ସୁଦ୍ଧା ସରକାର ଗଠନ ଓ ନେତୃତ୍ୱ ଚୟନକୁ ନେଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ବିଜୟବର୍ଗୀଙ୍କ ଏହି ବୟାନ ପରେ ବିହାରରେ ଏନଡିଏର ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ନୀତିଶଙ୍କୁ ଛାଡ଼ି ଦଳ ଅନ୍ୟ କେଉଁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦେଇପାରେ ବୋଲି କୁହାଯାଉଛି।ଅନ୍ୟପଟେ ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଏହି କଥାକୁ ସିଧାସିଧା ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ଏନଡିଏ ଏଥର ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ନେତୃତ୍ୱ ନେଇ ପୂର୍ବରୁ କହିସାରିଛନ୍ତି। ଏନଡିଏ ବିହାରରେ ବିଜୟୀ ହେଲେ ନୀତିଶ ହିଁ ଏହାର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି।

ଅପରାହ୍ଣ ୩ଟା ସୁଦ୍ଧା ଏନଡିଏ ୧୨୧ ସିଟରେ ଆଗୁଆ ଥିବା ସହିତ ମହାମେଣ୍ଟ ୧୦୯ ସିଟରେ ଆଗୁଆ ରହିଛି। ସେହିପରି ବିଜେପି ସର୍ବାଧିକ ୭୧ଟି ଆସନରେ ଲିଡ୍ ହାସଲ କରିଥିବାବେଳେ ଆରଜେଡି ୬୭, ଜେଡିୟୁ ୪୫ ଏବଂ କଂଗ୍ରେସ ୨୨ଟି ଆସନରେ ଆଗୁଆ ରହିଛନ୍ତି। ତେଣୁ ବିହାରରେ ବିଜେପି ସବୁଠୁ ବୃହତ ଦଳର ମାନ୍ୟତା ପାଇବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here