ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏନ୍ଡିଏରେ ସାମିଲ ହେଉଛନ୍ତି ସାଂସଦ ନଥିବା ଦଳ, ମୋଦୀଙ୍କର ହି ରଣନୀତି ପଛରେ ଣ ରହିଛି ରହସ୍ୟ?

‘ଏନ୍‌ଡିଏ’ ବନାମ ‘ଇଣ୍ଡିଆ’ ଲଢ଼େଇ ହେବ ୨୦୨୪ରେ। ମଙ୍ଗଳବାର ଦିନ ବିରୋଧୀ ଏକତା ବୈଠକରେ ‘ଇଣ୍ଡିଆ’ର ଗଠନ ହୋଇଥିବା ବେଳେ ଦିଲ୍ଲୀରେ ହୋଇଥିବା ଏନ୍‌ଡିଏ ବୈଠକରେ ୩୮ ଦଳ ଯୋଗ ଦେଇଥିଲ। ବିଜେପି ଏବେ ବି ୧ ନମ୍ବର ଦଳ ହୋଇଥିବା ବେଳେ ଏନ୍‌ଡିଏକୁ ସାଂସଦ ନଥିବା ଆଞ୍ଚଳିକ ଦଳଗୁଡ଼ିକର ଆବଶ୍ୟକତା କ’ଣ ପଡ଼ିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୪ ଓ ୨୦୧୯ ତୁଳନାରେ ୨୦୨୪ରେ ଯାହା ବିରୋଧରେ ବିଜେପିକୁ ଲଢ଼ିବାକୁ ପଡ଼ିବ ସେ ମେଣ୍ଟର ଶକ୍ତି ବୃଦ୍ଧି ହୋଇଛି। କହିବାକୁ ଗଲେ ୟୁପିଏ ଅପେକ୍ଷା ‘ଇଣ୍ଡିଆ’ ଏକ ଶକ୍ତିଶାଳୀ ମେଣ୍ଟ। ଏହି ମେଣ୍ଟର ସହଯୋଗୀମାନେ ଭିନ୍ନ ଭିନ୍ନ ରାଜ୍ୟରେ ଶକ୍ତିଶାଳୀ ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା କମ ବୋଲି ବିଜେପି ଚିନ୍ତା କରୁଛି। ତେଣୁ ବିଜେପିକୁ ଶକ୍ତି ବୃଦ୍ଧି ବା ଭୋଟ୍ ପ୍ରତିଶତ ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ସାଂସଦ ନଥିବା ଦଳ ସଂଖ୍ୟା ଦୃଷ୍ଟିରୁ ଶୂନ ଭଳି ଦେଖାଯାଉଥିଲେ ମଧ୍ୟ ସମୀକରଣ ଦୃଷ୍ଟିରୁ ଅନେକ ଗୁରୁତ୍ଵ ରହିଛି। ଏନ୍‌ଡିଏ ବୈଠକରେ ସାମିଲ ହୋଇଥିବା ୩୮ ଦଳ ମଧ୍ୟରୁ ୨୫ ଦଳର ସଂସଦରେ ପ୍ରତିନିଧିତ୍ଵ ନଥିଲେ ମଧ୍ୟ ସେମାନଙ୍କର ନିଜ ରାଜ୍ୟରେ କିଛି ଭୋଟ୍ ରହିଛି। ଏହି ଭୋଟ ଭାଗ ଉପରେ ବିଜେପିର ନଜର ରହିଛି। କାରଣ ଏହି ଭୋଟ୍ ହିଁ ସିଟ୍‌ ରୂପାନ୍ତରଣରେ ସହଯୋଗ କରିବ ବୋଲି ବିଜେପିର ଷ୍ଟ୍ରାଟେଜିଷ୍ଟ କହିଛନ୍ତି।

ଗତ ନିର୍ବାଚନରେ ବିହାରରେ ବିଜେପିର ସହଯୋଗୀ ଥିଲା ଜେଡିୟୁ। ଦେଶରେ ପଡ଼ିଥିବା ମୋଟ୍ ଭୋଟର ୧.୪୫ ପ୍ରତିଶତ ଭୋଟ୍ ହେଲା ଜେଡିୟୁର। ଜେଡିୟୁର ଏହି ୧.୪୫ ପ୍ରତିଶତ ଭୋଟ୍ ବିଜେପିକୁ ବିହାରରେ ଭଲ ଫଳ ଦେଇଥିଲା। ବିଜେପି ଏଠାରୁ ୧୭ଟି ସିଟ୍ ଜିତିଥିଲା ଓ ଜେଡିୟୁ ୧୬ଟି ସିଟ୍ ଜିତିଥିଲା। ଜେଡିୟୁର ଭୋଟ୍ ସମର୍ଥନ ହରାଇଲେ ବିଜେପିକୁ ୧୭ଟି ସିଟ୍‌ ହରାଇବାର ଆଶଙ୍କା ରହିଛି।

ତେଣୁ ଏଠାରୁ ହରାଉଥିବା ଦୁଇ ପ୍ରତିଶତ ଭୋଟ୍ ଅନ୍ୟ ଦଳକୁ ମିଶାଇ ଭରଣା କରିବା ଲକ୍ଷ୍ୟରେ ରହିଛି ବିଜେପି। ବିଜେପିର ୨୩ ପ୍ରତିଶତ ଭୋଟ୍ ରହିଥିବାବେଳେ ବିରୋଧୀ ମେଣ୍ଟର ଭୋଟ୍ ପ୍ରତିଶତ ଏବେ ଦୁଇଗୁଣ ହୋଇଯାଇଛି। ତେଣୁ ଯେକୌଣସି ପରିସ୍ଥିତିରେ ହେଉ ଏଲ୍‌ଜେପିର ଦୁଇ ଗୋଷ୍ଠୀକୁ ଏକାଠି କରିବାକୁ ଚେଷ୍ଟା ଚଳାଇଛନ୍ତି ନରେନ୍ଦ୍ର ମୋଦୀ। କାରଣ ଏହି ଦୁଇ ଗୋଷ୍ଠୀ ମିଶିଲେ ୮ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବିଜେପି ପାଇଁ ଜୀତନରାମ ମାଞ୍ଝୀଙ୍କ ଦଳର ବହୁତ ଆବଶ୍ୟକତା ରହିଛି।

ସେହିପରି ମହାରାଷ୍ଟ୍ରରେ ଶିବସେନାର ଭୋଟ୍ ବି ହରାଇବ ବିଜେପି। ସିନ୍ଦେଙ୍କ ଶିବସେନା ଓ ଅଜିତ ପଓ୍ଵାରଙ୍କ ଏନ୍‌ସିପିକୁ ମିଶାଇ ଏହାର ଭରଣା କରିବାକୁ ଚେଷ୍ଟା କରିବ ବିଜେପି। ଏହା ନହେଲେ ବିଜେପିକୁ ଏଠାରୁ ଜିତିଥିବା ୧୮ଟି ଆସନ ହରାଇବାକୁ ପଡ଼ିପାରେ। ପଞ୍ଜାବରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଶିରୋମଣି ଅକାଳି ଦଳର ସମର୍ଥନ ଦରକାର ପଡ଼ିବ ବିଜେପିକୁ।

ରାଜନୀତି ସମୀକ୍ଷକଙ୍କ ମତରେ ବିଭିନ୍ନ ରାଜ୍ୟରେ ପୂର୍ବ ନିର୍ବାଚନ ତୁଳନାରେ ବିଜେପି ଖରାପ ପ୍ରଦର୍ଶନ କରିବାର ଆଶଙ୍କା ରହିଛି। ତେଣୁ ୨/୪ ପ୍ରତିଶତ ଭୋଟ୍ ସେପଟକୁ ପଳାଇଲେ ବିଜେପିର ପୂରା ଗଣିତ ଖରାପ ହୋଇଯାଇପାରେ। ତେଣୁ ଏହି ଛୋଟ ଦଳଗୁଡ଼ିକୁ କାନ୍ଧରେ ବସାଇବାକୁ ବିଜେପି ଚାହୁଁଛି।

ପଶ୍ଚିମବଙ୍ଗରେ କଂଗ୍ରେସ-ଟିଏମ୍‌ସି-ବାମଦଳ ମେଣ୍ଟ ପାଇଁ ବିଜେପିକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଏଠାରେ ବିଜେପିକୁ ୨୦୧୯ ନିର୍ବାଚନରେ ୪୦.୬୪ ପ୍ରତିଶତ ଭୋଟ୍ ମିଳିଥିବାବେଳେ ୪୩.୬୯ ଭୋଟ୍ ମିଳିଥିଲା। ଯଦି କଂଗ୍ରେସର ୫.୬୭ ଓ ୬.୩୪ ପ୍ରତିଶତ ଭୋଟ୍ ମିଶିଲେ ମେଣ୍ଟର ଭୋଟ୍ ୫୪ ପ୍ରତିଶତ ଟପିଯିବ ତେବେ ସ୍ଵାଭାବିକ ଭାବେ ବିଜେପି ସାଂଘାତିକ ଭାବେ ଘାଟା ସହିବ ବୋଲି ଆକଳନ କରିଛନ୍ତି ରାଜନୀତି ପଣ୍ଡିତମାନେ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ବେଶ୍ ଉତ୍ସାହିତ ରହିଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେପି ୨୮ରୁ ୨୫ ଆସନ ଜିତିଥିଲା। କିନ୍ତୁ ବିଧାନସଭା ନିର୍ବାଚନ ପରେ ବିଜେପି ଏଠାରୁ ୧୫ ପର୍ଯ୍ୟନ୍ତ ଆସନ ହରାଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି। ତେଣୁ ବିଜେପିକୁ ଜେଡିଏସର ସମର୍ଥନ ମଧ୍ୟ ଲୋଡ଼ା।

ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଯଦି ବିଜେପି ୫୦/୬୦ ଆସନ ହରାଏ ତେବେ ଏହାର ଭରଣା ଆଦୌ ଉତ୍ତର ଭାରତୀୟ ରାଜ୍ୟ ଓ ଗୁଜୁରାଟରୁ ହେବାର ସମ୍ଭାବନା ନାହିଁ। କାରଣ ଏସବୁ ରାଜ୍ୟରୁ ବିଜେପି ସର୍ବାଧିକ ଆସନ ଜିତିକି ହିଁ ଆସିଥିଲା।

ଓଡ଼ିଶାର ବିଜେଡି ଓ ଆନ୍ଧ୍ରରେ ସହଯୋଗୀ ପାଇବାର ସମ୍ଭାବନା ଦେଖିପାରୁନି ବିଜେପି। ସେଥିପାଇଁ ଏଠାରେ ନିର୍ବାଚନ ପୂର୍ବରୁ କିଛି ବୁଝାମଣା ହେବାର ବିଶେଷ ସମ୍ଭାବନା ନାହିଁ। ତେଣୁ କିଛି ଆବଶ୍ୟକତା ପଡ଼ିଲେ ନିର୍ବାଚନ ପରବର୍ତ୍ତୀ କଥାବାର୍ତ୍ତା ପାଇଁ ବିଜେପି ଯୋଜନା କରିଥିବା ଦିଲ୍ଲୀରେ ଚର୍ଚ୍ଚା ହେଉଛି।

Tags: #Politics #IndianPolitics #NDA #BJP #PoliticalStrategy

Comment