ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାକଡ଼ରେ ଥିବା ଦୁଇଟି ଏଟିଇଏମ୍କୁ କାଟି ୪୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାକୁ କଳା ରଙ୍ଗର ସ୍ପ୍ରେ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।
ଏହି ଏଟିଏମ୍ ଲୁଟ ଘଟଣା ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଛି। ଆଳି ଥାନା ପୋଲିସ ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଳି ଥାନା ପତ୍ରପୁର ରାସ୍ତା ନିକଟରେ ଥିବା ଏସ୍ବିଆଇର ଦୁଇଟି ଏଟିଏମରୁ ଏହି ଲୁଟ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା।
ଘଟଣା ସମ୍ପର୍କରେ ଜଣାପଡିବା ପରେ ଏଟିଏମରେ ଟଙ୍କା ଭରୁଥିବା ସଂସ୍ଥାର ଅଧିକାରୀ ଆଳି ପୋଲିସକୁ ଖବର ଦେଇଥିଲେ। ଆଳି ଥାନା ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରୁଥିବାବେଳେ ଜିଲ୍ଲା ପୋଲିସ ପକ୍ଷରୁ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ ଏହାର ତଦନ୍ତ ଭାର ନେଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଥିବାବେଳେ ସନ୍ଧାନୀ କୁକୁରକୁ ତଦନ୍ତ କାର୍ଯ୍ୟରେ ଲଗାଯାଇଛି।
ଅନ୍ୟପଟେ ସିସିଟିଭିର ଏକ୍ସପର୍ଟମାନଙ୍କୁ ଏହି ଘଟଣାରେ ଅଧିକ ଅନୁସନ୍ଧାନ ପାଇଁ ଡାକିଛି ପୋଲିସ। ଏହି ଲୁଟେରାମାନଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।