ଓଡ଼ିଶାଲାଇଭ ବ୍ୟୁରୋ

ସୁନ୍ଦରତା ତଥା ତ୍ୱଚାର ଔଜଲ୍ଲ୍ୟତା ବଜାୟ ରଖିବା ପାଇଁ ଅନେକ ମହିଳା ବିଭିନ୍ନ ପ୍ରକାର କସମେଟିକ୍ ଉତ୍ପାଦ ବ୍ୟବହାର କରିଥାନ୍ତି। ଯାହାକି ସେମାନଙ୍କର ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଖରାପ କରିଥାଏ। କସମେଟିକ୍ ସାମଗ୍ରୀ ବ୍ୟହବାର ବଦଳରେ ଆପଣ କିଛି ପ୍ରାକୃତିକ ଉପାୟ ବି ଗ୍ରହଣ କରିପାରିବେ।

ଉଜ୍ଜ୍ୱଳ ତ୍ୱଚା ପାଇଁ ଆମ୍ବ ଖାଇବା ଉପରେ ଗୁରୁତ୍ୱ ଦିଅନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ ଯାହାକି କୋଲାଜେନ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଥାଏ। ଏହି କୋଲାଜେନ୍ ଯୋଗୁ ହିଁ ତ୍ୱଚା ସୁନ୍ଦର ଦେଖାଯାଇଥାଏ।

ସେହିପରି ନିୟମିତ ଭାବେ ଅଣ୍ଡା ଖାଇବାକୁ ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ। ଆମ୍ବ ସମୟରେ ପ୍ରାତଃଭୋଜନରେ କିଛି ଆମ୍ବ ଜୁସ୍ ସହିତ ଗୋଟିଏ ଅଣ୍ଡାର ଆମ୍ଲେଟ୍ ଆପଣଙ୍କ ପାଇଁ ଉପଯୁକ୍ତ ପ୍ରାତଃଭୋଜନ ହୋଇପାରିବ।

ଟମାଟୋରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଚାରିଟି ଗୁରୁତ୍ୱପୂର୍ଣ୍ଣ କାରୋଟେନଏଡ୍(ଆଲ୍ଫା କାରୋଟିନ୍, ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍) ପ୍ରଚୁର ପରିମାଣରେ ମହଜୁଦ ଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହିତ କର୍କଟ ରୋଗ ଏବଂ ହୃଦ୍‌ରୋଗରୁ ରକ୍ଷା କରେ। ଅଲିଭ୍ ତେଲରେ ଟମାଟୋକୁ ରୋଷେଇ କଲେ ତାର ଗୁଣ ଅପରିବର୍ତ୍ତିତ ରହିଥାଏ।

ଗ୍ରୀନ୍ ଟି’ରେ ପ୍ରଚୁର ପରିମାଣରେ କାଟେଚିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ। ଯାହାକି ହୃତପିଣ୍ଡକୁ ସୁସ୍ଥ ରଖେ। ଏହା ମଧ୍ୟ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ପରୋକ୍ଷରେ ଏହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ। ତେବେ ଏହି ଗ୍ରୀନ୍ ଟି’ରେ କେଇ ବୁନ୍ଦା ଲେମ୍ବୁରସ ପକାଇ ପିଇଲେ କାଟେଚିନ୍‌ରେ ସ୍ତର ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ।

-ପ୍ରାତଃଭୋଜନରେ କୌଣସି ପ୍ରକାର ଟୋଷ୍ଟ ଖାଉଥିଲେ ତା ଉପରେ ଟିକେ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ। ଏହା ଆପଣଙ୍କର ରକ୍ତରେ ଶର୍କରାର ମାତ୍ରାକୁ ସନ୍ତୁଳିତ ରଖିବ। ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଯାହାଦ୍ୱାରାକି ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।

-ପ୍ରତ୍ୟହ ଖାଇବାରେ ପିଆଜ, ରସୁଣକୁ ସାମିଲ କରନ୍ତୁ। ଏହାଦ୍ୱାରା ଧମନୀରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ। ଶରୀରରୁ ଦୂଷିତ ପଦାର୍ଥ ବାହାରିବାକୁ ତ୍ୱଚା ଚମକି ଉଠେ।

LEAVE A REPLY

Please enter your comment!
Please enter your name here