ବିଜୟ ମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୪୦)
ମଣିଷର ଭାବନା ହେଲା ମସ୍ତିଷ୍କର ଏକ ସ୍ନାୟୁଗତ ପରିଣାମ। ଭାଷା କେଉଁଠୁ ଆସେ ବା କିପରି ଆସେ, ତା’ ଆମେ ଜାଣିନାହୁଁ। ସବୁ ଭାବନା ହେଲା କାଳ୍ପନିକ, ଏହାକୁ ଚିନ୍ତା କୁହାଯାଏ। କାଳ୍ପନିକ ଭାବନା ଛଡା ଦୃଶ୍ୟଗତ ଭାବନା ମଧ୍ୟ ଉପୁଜିଥାଏ। ଆମେ ଯାହା ଦେଖୁ ବା ଶୁଣୁ, ସେଥିରୁ ପୁଣି ଆଗକୁ କ’ଣ ହେବ ଚିନ୍ତାକରି ଆମେ କଳ୍ପନାରେ ପହଞ୍ଚିଥାଉ। ଏହା ମଣିଷର ସ୍ଵଭାବଗତ। କୌଣସି ଦୃଶ୍ୟ ସାଙ୍ଗରେ ତା’ର ଅତୀତ ଓ ଭବିଷ୍ୟତ ଯୋଡି ହୋଇଯାଏ।
ଦୃଶ୍ୟର ବର୍ଣ୍ଣନା ହେଉ, ଦୃଶ୍ୟର ଅତୀତ ସଙ୍ଗରେ ସଂଯୋଗ ହେଉ ବା ଭବିଷ୍ୟତ ସଙ୍ଗରେ କଳ୍ପନା ହେଉ, ସମସ୍ତଙ୍କୁ ଭାଷାରେ ପ୍ରକାଶ କରିବା ହେଲା ବାକ୍ୟ। ଭାବନା ବାକ୍ୟରେ ତିଆରି ହେଲା ବେଳକୁ ମଝିରେ ପଦ ତିଆରି ହୁଏ। ପଦ ହେଲା ଭାବନାର ଗୋଟିଏ ଅଙ୍ଗ ଯାହା ଭାବନାକୁ ଆକାର ଦିଏ। ପଦରେ ବାକ୍ୟ ଭାଙ୍ଗେ, ଏହା ମସ୍ତିଷ୍କଗତ। ମସ୍ତିଷ୍କ ଭାବନାକୁ ରୂପଦେବା ପ୍ରକ୍ରିୟାରେ ପଦ ସୃଷ୍ଟିକରେ। ଏହି ପଦଗୁଡିକ ହେଲେ ଆମେ ଆଗରୁ ଜାଣିଥିବା ବସ୍ତୁ, ଯାହାର ବ୍ୟକ୍ତିଗତ ରୂପକୁ ଆମେ ମସ୍ତିଷ୍କରେ ତିଆରି କରିଥାଉ ଏବଂ ସାଇତି ଥାଉ। ଏହା ହେଲା ଆମର ସ୍ମୃତି। ସ୍ମୃତି ବସ୍ତୁ ବାଚକ। ବସ୍ତୁମାନଙ୍କ ଭିତରେ ବି ଅନେକ ପ୍ରକାରର ସମ୍ପର୍କ ହୋଇପାରେ। ଆମେ ଆବଶ୍ୟକ ମନେକଲେ ସେହି ସମ୍ପର୍କକୁ ବିସ୍ମୃତିରେ ଜାଗରୂକ କରୁ। ବସ୍ତୁ ପରିବର୍ତ୍ତନ ହୁଏନାହିଁ, ସମ୍ପର୍କ ପରିବର୍ତ୍ତନ ହୁଏ।
ଏ’ସମସ୍ତ ମସ୍ତିଷ୍କ ଭିତରେ କିପରି ହୁଏ, ତାହର ବୈଜ୍ଞାନିକ ତଥ୍ୟ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ମଣିଷର ଗୋଟିଏ ଇଚ୍ଛାଶକ୍ତି ଅଛି ବୋଲି ମତ ଦିଆଯାଉଅଛି। ଏ ଇଚ୍ଛାଶକ୍ତି କିପରି ସୃଷ୍ଟି ହୁଏ, ତା’ଆମକୁ ଅଜ୍ଞାତ। ଆଉ ମଧ୍ୟ ଏହା ସବୁ ସ୍ମୃତିରେ ସମାନ ଭାବରେ ଜାଗରୂକ ହୁଏ କି ନାହିଁ, ତା’ର ପରୀକ୍ଷା ହୋଇନାହିଁ।
ବସ୍ତୁ କହିଲେ ମସ୍ତିଷ୍କ କଣ ବୁଝେ? ଗଛ ଉଚ୍ଚା, ଗେଡା, କୁଜା ବା ବୁଦା ହୋଇପାରେ – କିନ୍ତୁ ସମସ୍ତେ ହେଲେ ଗଛ। ତେଣୁ ଏ’ସବୁ ବିଭେଦକୁ କାଟିଦେଇ ଏହି ପ୍ରକାରର ବସ୍ତୁମାନଙ୍କୁ ଗଛ ଜାତିର ବୋଲି କୁହାଯାଇପାରେ। ଅର୍ଥାତ୍ ଗଛ ହେଲା ଗୋଟିଏ ଜାତି ଏବଂ ଏହାର ବିଭିନ୍ନ ରୂପ ହୋଇପାରେ। ସେହିପରି ମଣିଷ ଗୋଟିଏ ଜାତି, ଚଢେଇ ଗୋଟିଏ ଜାତି ବା ଗାଈ ଗୋଟିଏ ଜାତି। ମଣିଷ କହିଲେ କି ଭାବିଲେ ମଣିଷ ଛବିଟି ଏ ମସ୍ତିଷ୍କକୁ ଆସେ, ତା’କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି।
ଏହି ଜାତି ବାଚକ ପ୍ରତ୍ୟୟକୁ ବିଶେଷ୍ୟ ବୋଲି କୁହାଗଲା। ଏମାନଙ୍କର ରଙ୍ଗ ବା ଆକୃତି ଅଲଗା ଅଲଗା ହୋଇପାରେ, କିନ୍ତୁ ଗୁଣ ସମାନ। ଗୁଣ ସହଜରେ ଜଣା ନ ପଡିପାରେ। ପାଣିର ଗୁଣ ବହିବା କିମ୍ବା ବିଛାର ଗୁଣ କାମୁଡିବା ବୋଲି ଆମେ ନିର୍ଣ୍ଣୟ କରି ନେଇଥାଉ। ତେଣୁ ପୋଖରୀର ପାଣି, ନଈର ପାଣି ବା ସମୁଦ୍ରର ପାଣିକୁ ଆମେ“ପାଣି ଜାତୀୟ”ବୋଲି ଜ୍ଞାନ କରୁ। ସେହିପରି କୌଣସି କୁଟିଳ ପୋକକୁ ଆମେ ବିଛା ଜାତିଭୁକ୍ତ କରି କାମୁଡିବା ତା’ର ଗୁଣ ବୋଲି ଭାବି ନେଇଥାଉ।
ନାଲି ଗୋଲାପ, ଧଳା ଗୋଲାପ ଓ ହଳଦିଆ ଗୋଲାପରୁ ରଙ୍ଗ ବାଦ୍ ଦେଇ ଗୋଲାପକୁ ଚିହ୍ନିବା ମସ୍ତିଷ୍କର ବୈଶିଷ୍ଟ୍ୟ। ଆମେ ଗୋଲାପ ବୋଲି ଚିହ୍ନୁ ଏବଂ ତା’ପରେ ଏ’ରଙ୍ଗ କଥା ବୁଝୁ। ଏହି ପ୍ରକ୍ରିୟା ମସ୍ତିଷ୍କ ଭିତରେ ବହୁତ ଶୀଘ୍ର ସମାହିତ ହୁଏ। ନାଲି, ଧଳା ବା ହଳଦିଆ ଭାବାର୍ଥକ ଭାବରେ ମସ୍ତିଷ୍କରେ ରହେ, ବସ୍ତୁ ସହ ଯୋଡି ହୋଇ ରହେନାହିଁ।
ଗୋଟିଏ ଗାଈ ଦେଖିଲେ ଆମେ ତାକୁ ପୃଥିବୀର ଗାଈ ଜାତି ସହ ଯୋଡିଥାଉ। ବଡଗାଈ, ସାନଗାଈ, କଳାଗାଈ, ନାଲିଗାଈ, ଦୁଧିଆଳି ଗାଈ ଏ’ସମସ୍ତେ ଏ’ଜାତିର ଅନ୍ତର୍ଭୁକ୍ତ। କିନ୍ତୁ ବାଛୁରୀ ହେଲା ଆଉ ଗୋଟିଏ ଜାତି। ସବୁ ବାଛୁରୀମାନେ ଗୋଟିଏ ଶ୍ରେଣୀର – ସେଥିରେ ଗାଈର ବାଛୁରୀ, ଘୋଡା ବାଛୁରୀ, ବା ବାଘ ବାଛୁରୀ ମଧ୍ୟ ରହିପାରନ୍ତି। ଏ’ବିଭାଗ ହେଲା ଗୁଣାତ୍ମକ। ଆମର ମସ୍ତିଷ୍କ ଆମର ଅଜାଣତରେ ଏହି ବିଭାଗ ସୃଷ୍ଟି କରିଥାଏ। ବାଛୁରୀ ନିଜେ ଚାଲି ପାରେନାହିଁ, ଖାଇବା ଯୋଗାଡ କରି ପାରେନାହିଁ – ତେଣୁ ତା’ଗାଈଠାରୁ ଅଲଗା ଜାତି।
ଏହି ଜାତି ବାଚକ ଶବ୍ଦମାନେ ହେଲେ ବିଶେଷ୍ୟ। ଏମାନଙ୍କର ଭିତରେ ଯଦି ଆମେ ନାମକରଣ କରିବା ତା’ହେଲେ ତା’ହେବ ସଂଜ୍ଞା। ଜାତି ଭିତରେ କୌଣସି ଉପଜାତି ବି ସଂଜ୍ଞା ହୋଇପାରନ୍ତି, ଯେପରି ଗଛମାନଙ୍କ ଭିତରେ ଖଜୁରୀ। ଖଜୁରୀ ହେଲା ପ୍ରଥମେ ଗୋଟିଏ ଗଛ, ଏ’ଗଛରେ କଣ୍ଟା ଥାଏ, ଏଥିରେ ଉପାଦେୟ ଫଳ ଫଳେ। ଏହା ଫଳରେ ଗଛମାନଙ୍କ ଭିତରେ ଖଜୁରୀକୁ ଚିହ୍ନି ତା’ପରେ ଖଜୁରୀ ଜାତି ନିର୍ଣ୍ଣୟ କରା ଯାଇପାରେ।
(କ୍ରମଶଃ)