ସୁରସିଂହ ପଟ୍ଟନାୟକ
ଆମ୍ବେଦକର ଓ ମଧୁସୂଦନ ଦଳିତ ଜାତିର ଉନ୍ନତି କଳ୍ପେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ଦଳିତମାନଙ୍କ ବିକାଶ ପାଇଁ ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ପ୍ରକଳ୍ପକୁ ମହାତ୍ମାଗାନ୍ଧୀ ପରିଦର୍ଶନ କରିଥିଲେ ଏବଂ ପରେ ମଧୁସୂଦନଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ ରୂପେ ଗ୍ରହଣ କରିଥିଲେ।
ସ୍ୱାଧୀନତାର ଅଗ୍ରଦୂତ ମହାତ୍ମାଗାନ୍ଧୀଙ୍କର ଜାତୀୟବାଦୀ କାର୍ଯ୍ୟଧାରାର ପଟ୍ଟଭୂମିରେ ପରାଧୀନ ଭାରତରେ ଆମ୍ବେଦକର ଏବଂ ମଧୁସୂଦନ, ଗାନ୍ଧିଜୀଙ୍କ ପ୍ରତି ଉଚ୍ଛ୍ୱସିତ ସମର୍ଥନ ଜଣାଇଥିଲେ ମଧ୍ୟ ନିଜର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, କଲ୍ୟାଣପ୍ରଦ ତଥା ମହତ୍ତର ଲକ୍ଷ୍ୟ ତୁରନ୍ତ ହାସଲ କରିବାର ଆତୁରତା ପାଇଁ ସେମାନଙ୍କୁ ଗାନ୍ଧିଜୀଙ୍କର କିଞ୍ଚିତ୍ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାଛଡ଼ା ସେଇ ସମୟର ତୁଙ୍ଗ ନେତୃବର୍ଗଙ୍କ ସହିତ ସେମାନଙ୍କୁ ରୀତିମତ ସଂଘର୍ଷ କରିବାକୁ ପଡ଼ିଥିଲା। ଆମ୍ବେଦକର ଆଉ ମଧୁସୂଦନଙ୍କ କାର୍ଯ୍ୟଧାରାକୁ ବିଶ୍ଳେଷଣ କଲେ, ସେମାନଙ୍କ ମଧ୍ୟରେ କିଛି ସମାନତା ବାରି ହୁଏ।
ଭାରତରତ୍ନ ଭୀମରାଓ ଆମ୍ବେଦକର (୧୮୯୧-୧୯୫୬) ନିର୍ଯାତିତ ଆଉ ନିଷ୍ପେସିତ ଦଳିତ ଜାତିର ମୁକ୍ତି ଓ ଆର୍ଥିକ ବିକାଶ ପାଇଁ ଏବଂ ଜାତୀୟ ଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪) ବିଖଣ୍ଡିତ ଓ ବିଭାଜିତ କଙ୍କାଳସାର ଓଡ଼ିଆ ଜାତିର ନିଜସ୍ୱ ଭାଷାଭିତ୍ତିକ (ଓଡ଼ିଶା) ପ୍ରଦେଶର ସ୍ଥାପନ ପାଇଁ ଜୀବନବ୍ୟାପୀ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ। ଏହି ଲକ୍ଷ୍ୟପ୍ରାପ୍ତି ପାଇଁ ସେମାନେ ମହାତ୍ମାଗାନ୍ଧୀଙ୍କର ଅକୁଣ୍ଠିତ ସମର୍ଥନ ମଧ୍ୟ ହାସଲ କରିଥିଲେ। ଆମ୍ବେଦକର ଆଉ ମଧୁସୂଦନଙ୍କ ପାଇଁ ସ୍ୱାଧୀନତା ପ୍ରାପ୍ତିର ଯଥେଷ୍ଟ ପୂର୍ବରୁ ସେମାନଙ୍କ ଲକ୍ଷ୍ୟପୂରଣ ହେବା ଆବଶ୍ୟକ ଥିଲା, କାରଣ ସ୍ୱାଧୀନତା ପରେ ସେହି ଲକ୍ଷ୍ୟହାସଲ କରିବା ଅତ୍ୟନ୍ତ ଦୁରୂହ ଓ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଥାନ୍ତା।
ଦଳିତ ଜାତିମାନଙ୍କ ସମସ୍ୟାର ଆଶୁ ସମାଧାନ କ୍ଷେତ୍ରରେ ଆମ୍ବେଦକରଙ୍କର ବକ୍ତବ୍ୟ ଥିଲା, “ମୁଁ ଅତ୍ୟନ୍ତ ଆତଙ୍କିତ ଯେ ଭାରତ, ବର୍ତ୍ତମାନସ୍ଥିତିରେ ଯଦି ସ୍ୱାଧୀନତା ଲାଭକରେ, ତାହାହେଲେ ଉଚ୍ଚବର୍ଗର ହିନ୍ଦୁମାନଙ୍କ ଦ୍ୱାରା ଅସ୍ପୃଶ୍ୟମାନେ ଅଧିକ ନିର୍ଯାତିତ ଓ ନିପୀଡ଼ିତ ହେବେ।” ଏହି କଥାକୁ ତାତ୍ତ୍ୱିକ ସମର୍ଥନ ଜଣାଇ ମହାତ୍ମା ଗାନ୍ଧୀ ୧୯୩୨ ସାଲର ମଧ୍ୟଭାଗରେ କହିଥିଲେ, “ଅସ୍ପୃଶ୍ୟତାକୁ ହ୍ରାସ ନକରି ଯଦି ଆମେ କ୍ଷମତାକୁ ଆସୁ, ତେବେ ମୁଁ ନିଶ୍ଚିତ ଯେ ଅସ୍ପୃଶ୍ୟମାନଙ୍କ ପରିସ୍ଥିତି ସ୍ୱାଧୀନତାପ୍ରାପ୍ତି ପରେ ଅଧିକ ଦୟନୀୟ ହେବ। କାରଣ ସ୍ୱାଧୀନତାପ୍ରାପ୍ତି ମାତ୍ରକେ ଆମ ଦେଶରେ କୁସଂସ୍କାରଜନିତ ମତାନ୍ଧତା ଅଧିକ ବ୍ୟାପକ ଓ ଗଭୀର ହେବ।”
ସେହିପରି ମଧୁସୂଦନ ଦାସ ଚାରିଟି ପ୍ରଦେଶରେ ବିଭାଜିତ ଓଡ଼ିଆ ଜାତି ସଂଖ୍ୟାଲଘୁ ଭାବେ ନିର୍ଯାତନାର ଶିକାରହେବା ସମ୍ପର୍କରେ ୧୯୨୦ ସାଲରେ ଗାନ୍ଧିଜୀଙ୍କୁ (ବ୍ରଜସୁନ୍ଦର ଦାସଙ୍କ ଜରିଆରେ) ଯେଉଁ ଚିଠି ଲେଖିଥିଲେ, ତାହାର କିଛି ଅଂଶ ଏହିପରି ଥିଲା।
‘ହେ ମହାତ୍ମାଗାନ୍ଧୀ! ଆପଣଙ୍କର ନବନିର୍ମିତ ଭାରତ କ’ଣ ଓଡ଼ିଆ ଜାତିର ଭସ୍ମାବଶେଷ ଉପରେ ପ୍ରତିଷ୍ଠିତ ହେବ?’ ଏହି ଚିଠିଟିକୁ ମହାତ୍ମାଗାନ୍ଧୀ ‘ଉତ୍କଳର ଚିତ୍କାର’ ନାମରେ ୧୮.୨.୧୯୨୦ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ପ୍ରକାଶିତ କରିଥିଲେ ଏବଂ ସେହି ବର୍ଷ ଡିସେମ୍ବର ମାସରେ ନାଗପୁରର ଜାତୀୟ କଂଗ୍ରେସ ଅଧିବେଶନରେ ଭାଷାଭିତ୍ତିକ ପ୍ରଦେଶ ଗଠନ ପାଇଁ ନୀତି ଗ୍ରହଣ କରିଥିଲେ। ସେହିପରି ୩୦.୩.୧୯୨୧ ରେ ବ୍ରହ୍ମପୁରଠାରେ ଏକ ସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ସମ୍ଭବପର କରିବା ସକାଶେ ମାର୍ଗପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ଅଧିକ ବଳଶାଳୀ ଆନ୍ଧ୍ରବାସୀମାନଙ୍କୁ ଦୁର୍ବଳ ଓଡ଼ିଆମାନଙ୍କର ଦାବି ମାନି ନେବା ପାଇଁ ଆହ୍ୱାନ ଜଣାଇଥିଲେ।
ମଧୁସୂଦନ ଦାସ ସ୍ୱାଧୀନତାପ୍ରାପ୍ତି ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନପାଇଁ ଅଗ୍ରାଧିକାର ଭିତ୍ତିରେ ଦାବି କରିଥିଲେ। କାରଣ ତାଙ୍କ ଦୂରଦୃଷ୍ଟି ବଳରେ ସେ ଜାଣିପାରିଥିଲେ ଯେ, ସ୍ୱାଧୀନତାପ୍ରାପ୍ତି ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି ଅବହେଳିତ ହେଇଯିବାର ଆଶଙ୍କା ରହିଛି। ସ୍ୱାଧୀନତ୍ତୋର ଭାରତରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସତ୍ୟ ପ୍ରମାଣିତ ହୋଇଥିଲା। ଏଣୁ ୧୧.୧୨.୧୯୧୭ରେ କଲିକତା ଯାଇ ମଣ୍ଟେଗୁ -ଚେମସ୍ଫୋଡର କମିଟି ଆଗରେ ମଧୁସୂଦନ ତାହାଙ୍କର ବଳିଷ୍ଠ ଓଡ଼ିଶା ଗଠନ ଦାବି ଉପସ୍ଥାପନ କରିଥିଲେ।
ସେହିପରି ଭାବେ ଆମ୍ବେଦକର ୧୯୧୮ସାଲରେ ସାଉଥବରୋ ଓ ଅନ୍ୟାନ୍ୟ କମିଟି ସମ୍ମୁଖରେ ଦଳିତ ଜାତିର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ପ୍ରାପ୍ତି ପାଇଁ ବିଭିନ୍ନ ପ୍ରସ୍ତାବମାନ ଦୃଢ଼ ଭାବେ ଆଗତ କରିଥିଲେ। ଭାରତୀୟ ପ୍ରଶାସନରେ ପର୍ଯ୍ୟାପ୍ତ ସଂସ୍କାର ଆଣିବାପାଇଁ ୧୯୨୭ସାଲରେ ଜନ୍ ସାଇମନଙ୍କର ଅଧ୍ୟକ୍ଷତାରେ ବ୍ରିଟିଶ ସରକାର ଏକ କମିଶନ ଗଠନ କରିଥିଲେ। ମାତ୍ର ସେଥିରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାତ୍ର ଅନ୍ୟ ବହୁ ସଂଖ୍ୟାଲଘୁ ଦଳ, ଆମ୍ବେଦକରଙ୍କର ଅଧ୍ୟକ୍ଷତାରେ ଦଳିତ ସମାଜ ଓ ମଧୁସୂଦନଙ୍କର ନେତୃତ୍ୱରେ ଓଡ଼ିଶାର ରାଜନୈତିକ ଦଳ ଏହାର ସ୍ୱାଗତ କରିଥିଲେ।
ମଧୁସୂଦନଙ୍କର ପରାମର୍ଶକ୍ରମେ ଓଡ଼ିଆମାନେ ସାଇମନ କମିଶନକୁ ୧୨.୧୨.୧୯୨୮ରେ ପାଟଣା ରେଳବାଇ ଷ୍ଟେସନଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ଆଉ ୧୪.୧୨.୧୯୨୮ରେ ପାଟନା ସଚିବାଳୟରେ ଏହି କମିଶନ ନିକଟରେ ଦାବିପତ୍ର ଦାଖଲ କରିଥିଲେ। ଅଟଲି କମିଟିର ସୁପାରିଶକ୍ରମେ ୭.୬.୧୯୩୦ ରେ ପ୍ରକାଶିତ ସାଇମନ କମିଶନଙ୍କ ରିପୋର୍ଟରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ସ୍ଥାପନ ପାଇଁ ଅନୁମୋଦନ କରାଯାଇ-ଥିଲା। ପୂର୍ବରୁ ୧୮୯୭ ଏବଂ ୧୯୦୭ରେ ମଧୁସୂଦନ ଲଣ୍ଡନ ଯାଇ ଏଥିପାଇଁ ଭିତ୍ତିଭୂମି ନିର୍ମାଣ କରିଥିଲେ।
ପରେ ଅବଶ୍ୟ ସ୍ୱାସ୍ଥ୍ୟଗତ କାରଣରୁ ମଧୁସୂଦନ ଲଣ୍ଡନ ଯାଇନପାରିବାରୁ ତାଙ୍କ ଦ୍ୱାରା ପ୍ରେରିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ଗୋଲ ଟେବୁଲ ବୈଠକରେ ୧୬.୧.୧୯୩୧ରେ ଓଡ଼ିଶା ପକ୍ଷରୁ ବଳିଷ୍ଠ ଦାବି ଉପସ୍ଥାପନ କରିଥିଲେ। ପରେ ୭.୧୨.୧୯୩୨ରେ ତୃତୀୟ ଗୋଲଟେବୁଲ ବୈଠକରେ ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଓ ଭୁବନାନନ୍ଦ ଦାସଙ୍କର ଦାବି ଉପସ୍ଥାପିତ ପରେ ୨୪.୧୨.୧୯୩୨ରେ ଓଡ଼ିଶା ପ୍ରଦେଶ ସ୍ଥାପନାର ସିଦ୍ଧାନ୍ତ ଉଦ୍ଘୋଷିତ ହେଲା।
ଏଥିପାଇଁ ଅବଶ୍ୟ ମହାତ୍ମାଗାନ୍ଧୀଙ୍କ ପକ୍ଷରୁ ପରୋକ୍ଷ ସମର୍ଥନ ମିଳିଥିଲା। ତଥାପି ଜାତୀୟତାବାଦୀ ନେତୃବର୍ଗ ଏହାର ତୀବ୍ରବିରୋଧ କରିଥିଲେ। କିନ୍ତୁ ପରିଶେଷରେ ଏହି ପ୍ରୟାସର ଅନ୍ତିମ ପରିଣତିସ୍ୱରୂପ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ୧.୪.୧୯୩୬ରେ ଓଡ଼ିଶା ପ୍ରଦେଶ ଗଠିତ ହେଲା। ଆଉ ମଧୁସୂଦନ ଦାସ ସମଗ୍ର ଭାରତରେ ଭାଷାଭିତ୍ତିକ ରାଜ୍ୟ ସ୍ଥାପନାର ଆଦ୍ୟ ପ୍ରବର୍ତ୍ତକ ରୂପେ ସ୍ୱୀକୃତ ହେଲେ।
ଦଳିତମାନଙ୍କ ସାମଗ୍ରିକ ଉନ୍ନତି କଳ୍ପେ ଆମ୍ବେଦକରଙ୍କୁ ମଧୁସୂଦନଙ୍କର ପ୍ରଦର୍ଶିତ ସାମ୍ବିଧାନିକ ମାର୍ଗକୁ ଗ୍ରହଣ କରିବାକୁ ପଡ଼ିଥିଲା। ସାଇମନ କମିଶନ ୩.୨.୧୯୨୮ରେ ବମ୍ବେରେ ପହଞ୍ଚିବା ପରେ ବମ୍ବେ ବିଧାନ କାଉନସିଲର ସଦସ୍ୟ ରୂପେ ତଥା ଦଳିତଜାତିର ଅଧ୍ୟକ୍ଷ ରୂପେ ଆମ୍ବେଦକର ପୁନାଠାରେ ଅକ୍ଟୋବର ୧୯୨୮ରେ ସାଇମନ କମିଶନଙ୍କ ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିବା ପରେ ୩.୫.୧୯୨୯ରେ ବମ୍ବେ ଠାରେ ସୁବିସ୍ତାରିତ ପ୍ରସ୍ତାବମାନ ସାଇମନ କମିସନଙ୍କ ନିକଟରେ ଦାଖଲ କରିଥିଲେ।
ଏହି ପ୍ରସ୍ତାବ ସବୁର ଆଲୋଚନା ପାଇଁ ଲଣ୍ଡନଠାରେ, ୧୯୩୦ରୁ ୧୯୩୨ପର୍ଯ୍ୟନ୍ତ ତିନିଗୋଟି ଗୋଲଟେବୁଲ ବୈଠକ ବସିଥିଲା। ଆମ୍ବେଦକର ୧୨. ୧୧. ୧୯୩୦ରେ ପ୍ରଥମ ଗୋଲଟେବୁଲ ବୈଠକ ଆଉ ୧୫.୯. ୧୯୩୧ରେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ ଦଳିତ ଜାତିର ଉନ୍ନୟନ ପାଇଁ ବିଭିନ୍ନ ପ୍ରସ୍ତାବ ସହିତ, ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଦାବି ପତ୍ର ଉପସ୍ଥାପନ କରିଥିଲେ। ମାତ୍ର ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିବା ମହାତ୍ମାଗାନ୍ଧୀ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ।
ଭାରତକୁ ଫେରିବା ପରେ ମହାତ୍ମାଗାନ୍ଧୀ ପୁନା ନିକଟସ୍ଥ ୟେରୱାଡ଼ା ଜେଲରେ ବନ୍ଦୀ ହୋଇଥିବା ସମୟରେ ବ୍ରିଟିଶ ସରକାର ୧୭.୮.୧୯୩୨ରେ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ ପ୍ରସ୍ତାବକୁ ସ୍ୱୀକୃତି ଦେଲେ। କିନ୍ତୁ ଏହା ଦ୍ୱାରା ଭାରତରେ ହିନ୍ଦୁସମାଜ ସବର୍ଣ୍ଣ ଆଉ ଦଳିତମାନଙ୍କ ମଧ୍ୟରେ ବିଭାଜିତ ହେବାର ଅଶଙ୍କା ଥିବାରୁ ୨୦.୯.୧୯୩୨ ରେ ୟେରୱାଡ଼ା ଜେଲରେ ବଗିଚାର ଏକ ବଡ଼ ଆମ୍ବଗଛର ଛାଇରେ ମହାତ୍ମା ଗାନ୍ଧୀ ତାହାଙ୍କର ଆମରଣ ଅନଶନ ଆରମ୍ଭ କରିଥିଲେ ଯାହା ଯୁଗାନ୍ତକାରୀ ଅନଶନର ମାନ୍ୟତା ପାଇଥିଲା। ଏ କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ଆମ୍ବେଦକରଙ୍କ ସହିତ କିଛି ବୁଝାମଣା ହେବା ପରେ ୨୬.୯.୧୯୩୨ରେ ମହାତ୍ମାଗାନ୍ଧୀ ଅନଶନ ଭଙ୍ଗ କରିଥିଲେ। ଏହିଭଳି ବିଭିନ୍ନ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ଆମ୍ବେଦକର ଦଳିତମାନଙ୍କ ପାଇଁ ବହୁ ସାମ୍ବିଧାନିକ ଅଧିକାର ହାସଲ କରିଥିଲେ।
ଆମ୍ବେଦକର ଓ ମଧୁସୂଦନ ଯେପରି ଗୋଟିଏ ଉପାଦାନରେ ଗଢ଼ା ହୋଇଥିଲେ ଏବଂ ଏକନିଷ୍ଠ ସଂକଳ୍ପବଦ୍ଧତା ସହ ଆପଣାର ଲକ୍ଷ୍ୟ ପ୍ରାପ୍ତି ପାଇଁ ଜୀବନବ୍ୟାପୀ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ। ଆମ୍ବେଦକର ଓ ମଧୁସୂଦନ ଦଳିତ ଜାତିର ଉନ୍ନତି କଳ୍ପେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ଦଳିତମାନଙ୍କ ବିକାଶ ପାଇଁ ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ପ୍ରକଳ୍ପକୁ ମହାତ୍ମାଗାନ୍ଧୀ ପରିଦର୍ଶନ କରିଥିଲେ ଏବଂ ପରେ ମଧୁସୂଦନଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ ରୂପେ ଗ୍ରହଣ କରିଥିଲେ।
ସେ ୩.୯.୧୯୩୪ରେ ‘ହରିଜନ’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ ଲେଖିଥିଲେ ‘ମଣିଷ ସମାଜର ଗୋଟିଏ ଭାଗ ପ୍ରତି ଯେଉଁ ନିର୍ଘାତ ଅପରାଧ କରାଯାଉଛି ତାର ନିବାରଣକୁ ନେଇ ସ୍ୱର୍ଗତ ମଧୁସୂଦନ ଦାସ ମୋର ଆଖି ଖୋଲି ଦେଇଥିଲେ। ଉଚ୍ଚଜାତିର ଲୋକେ ତଳ ଜାତିର ଲୋକଙ୍କ ଉପରେ ଯେଉଁ ଅତ୍ୟାଚାର କରି ଆସୁଛନ୍ତି ତାର ପ୍ରାୟଶ୍ଚିତ ପାଇଁ ସେ (ମଧୁବାବୁ)ଗୋଟିଏ ଶିକ୍ଷାମୂଳକ ଟ୍ୟାନେରି ଖୋଲିଥିଲେ।’
ଆମ୍ବେଦକର ଦଳିତମାନଙ୍କ ଉନ୍ନତି ପାଇଁ ସମର୍ପିତ ନିଜ ଜୀବନର ମୂଲ୍ୟାୟନ କରି ଜୀବନର ଅନ୍ତିମ ବର୍ଷରେ ୧୯୫୭ସାଲରେ ଲେଖିଥିଲେ ‘ମୋଜେସ୍ ଯେପରି ତାଙ୍କର ଅନୁଗାମୀ ଜନ ସମ୍ପ୍ରଦାୟକୁ ପାଲେଷ୍ଟାଇନରେ ଆଶ୍ରୟ ପ୍ରଦାନ କରିଥିଲେ, ସେଇଭଳି ମୁଁ ଦଳିତମାନଙ୍କୁ ସ୍ୱାଧୀନତା ପ୍ରଦାନ କରି ସେମାନଙ୍କୁ ନିର୍ଯାତନାରୁ ମୁକ୍ତ କରିଛି। ’ ମଧୁସୂଦନ ଓଡ଼ିଆମାନଙ୍କ ପାଇଁ ଏହିଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ସେ ପ୍ରଚାର ବିମୁଖ ଥିବାରୁ ନିଜ ସମ୍ପର୍କରେ ନୀରବ ରହିଥିଲେ। ମାତ୍ର ୪.୨.୧୯୩୪ରେ ତାଙ୍କର ତିରୋଧାନରେ ଓଡ଼ିଶା ଡିଭିଜନର କମିଶନର ଇ.ଏସ୍.ହରନେଲଙ୍କର ଏହିଭଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ‘ପର୍ବତର ଶିଖର ଦେଶରେ ଠିଆହୋଇ ମୋଜେସ୍ ଯେପରି ତାଙ୍କର ପଦଦଳିତ ଓ ନିଷ୍ପେଷିତ ବଂଶଧରଙ୍କର ଭବିଷ୍ୟତର ବାସଭୂମିକୁ ଅପଲକ ଦୃଷ୍ଟିରେ ଦେଖୁ ଦେଖୁ ଏ ସଂସାରରୁ ବିଦାୟ ନେଇଥିଲେ, ମଧୁସୂଦନ ସେହିପରି ନୂତନ ସମ୍ଭାବନାମୟ ସ୍ୱତନ୍ତ୍ର ପ୍ରଦେଶ ଗଠନର ପ୍ରାକ୍କାଳରେ ସଂସାରରୁ ବିଦାୟ ନେଇ ଚାଲିଗଲେ।’
ପ୍ରକୃତରେ ଅନବଦ୍ୟ ଏହି ମନିଷୀମାନଙ୍କ ଅବଦାନ। ନିଜ ନିଜ ନିଷ୍ପେଷିତ ଜାତିର ବିକାଶ ପାଇଁ ସେମାନେ କରି ଯାଇଥିବା ତ୍ୟାଗ ଆଜିବି ଦେଶବାସୀଙ୍କୁ ଉଦ୍ବେଳିତ କରେ।