ଓଡ଼ିଶାଲାଇଭ୍ ବ୍ୟୁରୋ
ବିମୁଦ୍ରାକରଣ ଘୋଷଣାପରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।ଏଥିପାଇଁ ନଗଦହୀନ ବା କ୍ୟାସଲେସ କାରବାରରେ ବୃଦ୍ଧି ଘଟିଛି। ଡେବିଟ ଓ କ୍ରେଡିଟ କାର୍ଡ ସହିତ ବୃଦ୍ଧି ପାଇଛି ଭିନ୍ନ ଭିନ୍ନ ଇ- ୱାଲେଟ ଏବଂ ମୋବାଇଲ ଆପର ବ୍ୟବହାର। ଡିଜିଟାଲ ଏବଂ କ୍ୟାସଲେସ୍ ଅର୍ଥନୀତିର ପ୍ରବର୍ତ୍ତନକୁ ଆଗେଇ ନେବାଲାଗି ସରକାର ଘୋଷଣା କରିଛନ୍ତି ବିଭିନ୍ନ ପ୍ରୋତ୍ସାହନମୂଳକ ପଦକ୍ଷେପ।
କ୍ୟାସଲେସ ପଦ୍ଧତିରେ କିଣିଲେ ପେଟ୍ରୋଲ ଓ ଡିଜେଲ ହେବ ଶସ୍ତା
କାର୍ଡ, ଇ- ୱାଲେଟ ଜରିଆରେ ପେଟ୍ରୋଲ, ଡିଜେଲ କିଣିଲେ ୦.୭୫ ରିହାତି। ଦେଶରେ ଦୈନିକ ପ୍ରାୟ ୧୮୦୦ କୋଟି ଟଙ୍କାର ପେଟ୍ରୋଲ, ଡିଜେଲ ବିକ୍ରି ହୋଇଥାଏ। ଆଗରୁ ଏ ବାବଦରେ ୨୦ପ୍ରତିଶତ ଡିଜିଟାଲ ପଇଠ ହେଉଥିବାବେଳେ ବର୍ତ୍ତମାନ ଏହା ୪୦ପ୍ରତିଶତ ଡିଜିଟାଲ ପଇଠ ହେଉଛି। ଡିଜିଟାଲ କାରବାର ଦ୍ଵାରା ପେଟ୍ରୋଲ, ଡିଜେଲ କିଣିବା ପାଇଁ ବର୍ଷକୁ ୨ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ଆବଶ୍ୟକତାକୁ ହ୍ରାସ କରାଯାଇପାରିବ।
ମାଗଣାରେ ଟ୍ରେନ୍ ଯାତ୍ରା
ଭାରତୀୟ ରେଳ ବିଭାଗ ଏକ ‘ଲକି ଡ୍ର ସ୍କିମ୍’ ଲଞ୍ଚ କରିଛି। ଏହି ସ୍କିମ ଜରିଆରେ ପ୍ରତିଦିନ ଟ୍ରେନ୍ରେ ଯାତ୍ରା କରୁଥିବା ୫ଜଣ ଯାତ୍ରୀଙ୍କୁ ଫ୍ରି’ରେ ଟ୍ରେନ୍ ଯାତ୍ରା କରିବାର ସୁଯୋଗ ମିଳିପାରିବ। ସବୁବେଳେ କ୍ୟାସ୍ଲେସ୍ ପେମେଣ୍ଟ କରି ଟ୍ରେନ୍ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣଙ୍କୁ ‘ଲକି ଡ୍ର ସ୍କିମ୍’ ଜରିଆରେ ବଛାଯିବ। ସେମାନେ ଟ୍ରେନରେ ମାଗଣା ଯାତ୍ରା କରିବାର ସୁବିଧା ପାଇପାରିବେ।
ରୋଷେଇ ଗ୍ୟାସ୍ରେ ମଧ୍ୟ ମିଳିବ ଫାଇଦା
ଗ୍ୟାସ ସିଲିଣ୍ଡର ବୁକ୍ କରିବାବେଳେ ଯଦି କ୍ୟାସ୍ଲେସ୍ ଲେଣ-ଦେଣ କରୁଛନ୍ତି ତେବେ ଆପଣଙ୍କୁ ଅନ୍ୟ ତୁଳନାରେ ଅଧିକ ଫାଇଦା ମିଳିବ। ଯଦି ଗ୍ୟାସ୍ ବୁକିଂ ଅନ୍ଲାଇନ୍ କରୁଛନ୍ତି ତେବେ ଆପଣଙ୍କୁ ୫ଟଙ୍କାର ରିହାତି ମିଳିବ।
ଆହୁରି ଅନେକ ଫାଇଦା
- ଭୀମ ଆପ୍, ଗୁଗୁଲ ଆପ୍ ଓ ଫୋନ ପେ ସମେତ ଅନ୍ୟ କୌଣସି ମୋବାଇଲ ୱାଲେଟକୁ ନିଜ ବନ୍ଧୁ ଓ ପରିଜନଙ୍କୁ ସହ ରେଫର୍ କରୁଛନ୍ତି ତେବେ ଆପଣଙ୍କୁ ଟଙ୍କା କ୍ୟାସ୍ବ୍ୟାକ୍ ମିଳିବ। ଗୁଗୁଲ ତେଜ୍ ଆପଣଙ୍କୁ ୫୧ଟଙ୍କା ଦେଉଥିବାବେଳେ ଭୀମ ଆପ ଦେଉଛି ୧୦ଟଙ୍କା କ୍ୟାସ୍ବ୍ୟାକ୍।
- ଲକ୍ଷେ ଗାଁକୁ ମାଗଣାରେ ମିଳିବ ୨ଟି ଲେଖାଏଁ ପିଓଏସ ମେସିନ। ଏଗୁଡ଼ିକ ନାବାର୍ଡ ସ୍ଥାପନ କରିବ
- ପ୍ରାୟ ୭୫କୋଟି ଲୋକ ସେମାନଙ୍କର କୃଷି ଜନିତ କାରବାର କ୍ୟାସଲେସ ଭାବେ କରିପାରିବେ
- ଡିଜିଟାଲ ପେମେଣ୍ଟ କଲେ ରେଳବାଇ ପକ୍ଷରୁ କ୍ୟାଟରିଙ୍ଗ, ରିଟାୟାରିଙ୍ଗ ରୁମ ଉପରେ ୫ ପ୍ରତିଶତ ରିହାତି
- ସମସ୍ତ ଅନଲାଇନ ରେଳ ଟିକଟରେ ମାଗଣାରେ ମିଳିବ ୧୦ ଲକ୍ଷର ଦୁର୍ଘଟଣା ବୀମା
- ଅନଲାଇନରେ ସରକାରୀ ବୀମା କମ୍ପାନୀ ପୋର୍ଟାଲରୁ ଜୀବନବୀମା ପଲିସି କିଣିଲେ ୮ପ୍ରତିଶତ ଓ ସାଧାରଣ ବୀମା ପଲିସି କିଣିଲେ ୧୦ପ୍ରତିଶତ ରିହାତି ମିଳିବ
- ରାଜପଥ ଟୋଲରେ ଡିଜିଟାଲ ପେମେଣ୍ଟ କଲେ ୧୦ପ୍ରତିଶତ ରିହାତି ମିଳିବ
- କିସାନ କ୍ରେଡିଟ କାର୍ଡଧାରୀଙ୍କୁ ନାବାର୍ଡ ଦେବ ‘ରୂପେ କିସାନ କାର୍ଡ‘
- ସରକାରୀ ସଂସ୍ଥାରେ ଡିଜିଟାଲ ପେମେଣ୍ଟରେ କାରବାର ଶୁଳ୍କ ପଡ଼ିବନି। ସମ୍ପୃକ୍ତ ଅନୁଷ୍ଠାନ କ୍ୟାସଲେସ କାରବାର ରିହାତିର ଖର୍ଚ୍ଚ ବହନ କରିବେ
- ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ କାରବାର ଉପରେ ସେବାକର ଛାଡ଼