ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଏହି ଅଘଟଣ ପାଇଁ ସମ୍ପୃକ୍ତ ଠିକାଦାର ଦାୟୀ ବୋଲି ତିନିଜଣିଆ ତଦନ୍ତ ରିପୋର୍ଟରେ କୁହାଯାଇଛି।

ବମିଖାଲ୍‍ ଓଭରବ୍ରିଜ୍‍ ଦୁର୍ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଗୁରୁବାରଦିନ ପୂର୍ତ୍ତ ବିଭାଗର ହସ୍ତଗତ ହୋଇଛି। ଦୁର୍ଘଟଣା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ତିନିଜଣିଆ କମିଟି ରିପୋର୍ଟରେ ଉଲ୍ଲେଖ ରହିଛି।

“ନିର୍ମାଣବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରତି ଠିକାଦାର ସଂସ୍ଥା ଅଣଦେଖା କରିଥିଲା। ନିର୍ମାଣ କାମରେ ଅଣକୁଶଳୀ ଶ୍ରମିକ ନିୟୋଜିତ ହୋଇଥିଲେ। ତେଣୁ ଏହି ଘଟଣା ପରେ ପଣ୍ଡା ଇନ୍‍ଫ୍ରାକୁ ବମିଖାଲ୍‍ ଓଭରବ୍ରିଜ୍‍ ସମେତ ଜଟଣୀ ଓ ସମ୍ବଲପୁର ବ୍ରିଜ୍‍ ନିର୍ମାଣ କାମରୁ ଅନ୍ତର କରାଯାଇଛି। ବମିଖାଲ୍‍ ଓଭରବ୍ରିଜ୍‍ର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ସରକାର ନିଜେ ହାତକୁ ନେଇଛନ୍ତି। କାମ ୨ମାସ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି”, କହିଛନ୍ତି ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ସମ୍ବଲପୁର ଓ ଜଟଣୀ ଓଭରବ୍ରିଜ ପାଇଁ ନୂଆ ଟେଣ୍ଡର ହେବ। ଏହି ସବୁ କାମରୁ ପଣ୍ଡା ଇନ୍‌ଫ୍ରା କମ୍ପାନିକୁ ବାଦ ଦିଆଯାଇଛି।

ବମିଖାଲ ଓଭରବ୍ରିଜ ଭୁଶୁଡିବା ନେଇ ପଣ୍ଡା ଇନ୍‌ଫା ପ୍ରୋଜେକ୍ଟର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ିଙ୍କୁ ଦଫା ୩୦୪, ୩୩୪, ୩୩୫ ଆଇପିସି ଧାରାରେ ଗିରଫ କରାଯାଇଛି। ପୂର୍ବରୁ ସଂସ୍ଥାର ଏମ୍‌ଡି ପ୍ରତାପ ପଣ୍ଡା ଗିରଫ ହୋଇଥିଲେ। ପୂର୍ବରୁ ପଣ୍ଡା ଇନ୍‍ଫ୍ରାର ଏମ୍‍ଡି ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରାଯାଇଥିଲା।

ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଗତ ୩ତାରିଖ ରାତିରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ରଡ୍‌ ତଳେ ଚାପି ହୋଇଯାଇଥିଲେ। ଫଳରେ ଜଣେ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here