ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଆଦିବାସୀ ହସ୍ତକଳା ତଥା ହସ୍ତଶିଳ୍ପଗୁଡ଼ିକର ଏକ ସ୍ଵତନ୍ତ୍ର ପରିଚୟ ରହିଆସିଛି। ଏହି କ୍ରମରେ ଏବେ ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସଉରା ଜନଜାତିଙ୍କ ଚିତ୍ରକଳା ‘ଇଡ଼ିତାଲ୍’କୁ ଜିଆଇ ଟ୍ୟାଗ ବା ଭୌଗୋଳିକ ସୂଚକ ମିଳିବା ଏହାର ବିଶେଷତ୍ଵକୁ ଦର୍ଶାଉଛି। ଜିଆଇ ମାନ୍ୟତା ମିଳିବା ଫଳରେ ଏହି ଚିତ୍ରକଳା ବିଶ୍ଵସ୍ତରରେ ଆହୁରି ଲୋକପ୍ରିୟ ହୋଇପାରିବ, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।

‘ଇଡ଼ିତାଲ୍’ ଚିତ୍ରକଳାକୁ ଜିଆଇ ମାନ୍ୟତା ପାଇଁ ୨୦୨୨ ଏପ୍ରିଲ ୧୩ ତାରିଖରେ ଆବେଦନ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ଇଡ଼ାଇ ଇଡ଼ିତାଲ୍ ଆସୋସିଏସନ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା।

ଏବେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ‘ଇଡ଼ିତାଲ୍’କୁ ମାନ୍ୟତା ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଜିଆଇ ସାର୍ଟିଫିକେଟ ନମ୍ବର ୫୪୭ରେ ଇଡ଼ିତାଲ୍ ରହିଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହାକୁ ହସ୍ତଶିଳ୍ପ ବିଭାଗରେ ଜିଆଇ ଟ୍ୟାଗ୍ ମିଳିଛି।       

ଇଡ଼ିତାଲ୍ ଚିତ୍ରକଳାର ବିଶେଷତା

ରାୟଗଡ଼ାର ଗୁଣୁପୁର ବ୍ଲକର ପୁଟାସିଂ, ଶଗଡ଼ା, ଟଲଣା, ଜଲତାରା ତଥା ଚିନ୍ନାସାରି ଭଳି ପଞ୍ଚାୟତରେ ଲାଞ୍ଜିଆ ସଉରା ଜନଜାତିର ଲୋକମାନେ ବସବାସ କରିଥାନ୍ତି। ସେମାନେ ନିଜ ଘରର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥାନ୍ତି, ଯାହାକୁ ସାଉରା ଭାଷାରେ ‘ଇଡ଼ିତାଲ୍’ କୁହାଯାଇଥାଏ। ସଉରା ଭାଷାରେ ‘ଇଡ଼ି’ର ଅର୍ଥ ଚିତ୍ର ଓ ‘ତାଲ୍’ର ଅର୍ଥ କାନ୍ଥ। କାନ୍ଥ ଉପରେ ଚିତ୍ର ହୋଇଥିବାରୁ ଏହାର ନାମ ‘ଇଡ଼ିତାଲ୍’ ରହିଛି।  

ଏହି ଇଡ଼ିତାଲ୍ ଚିତ୍ରକଳା ବା ଝୋଟିଚିତ୍ରକୁ ବିଭିନ୍ନ ପର୍ବପର୍ବାଣି ପାଳନ ଅବସରରେ ଲାଞ୍ଜିଆ ସଉରା ଜନଜାତିର ଲୋକମାନେ ଆଙ୍କିଥାନ୍ତି। ନିଜର ଇଷ୍ଟ ଦେବଦେବୀଙ୍କୁ ଆବାହନ କରି ସନ୍ତୁଷ୍ଟ କରିବା ଏହାର ମୂଳଲକ୍ଷ୍ୟ ରହିଥାଏ। ଏହାସହ ନୂଆ ଘର କରିଲେ ଘରର କାନ୍ଥରେ ଇଡ଼ିତାଲ୍ କରିବା ଲାଞ୍ଜିଆ ସଉରାଙ୍କ ପରମ୍ପରାର ଏକ ଅଂଶ।

ଇଡ଼ିତାଲ୍ ଅଙ୍କନ ବିଧି

ଇଡ଼ିତାଲ୍ ଚିତ୍ରକଳାକୁ ଚାଉଳର ପିଠଉ ଓ ସରୁ ବାଉଁଶ କାଠି ସାହାଯ୍ୟରେ ମାଟି କାନ୍ଥରେ ନିଖୁଣ ଭାବେ ଅଙ୍କା ଯାଇଥାଏ। ଏଥିପାଇଁ କାନ୍ଥ ଉପରେ ଏକ କୋଠି ଆଙ୍କି ତାହା ଭିତରେ ଗଛଲତା, ଜୀବଜନ୍ତୁ, ମଣିଷ ଇତ୍ୟାଦିର ରେଖାଚିତ୍ର ଅଙ୍କନ କରିଥାଏ। ଏହାପୂର୍ବରୁ ମାଟିରେ କାନ୍ଥକୁ ଭଲ ଭାବେ ଲିପା ଯାଇଥାଏ। ଏବେ ଏହିସବୁ ଚିତ୍ରରେ ରଙ୍ଗର ବ୍ୟବହାର ସହ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଖିବାକୁ ମିଳୁଛି।

ଇଡ଼ିତାଲ୍ ଅଙ୍କିବାର ଉଦ୍ଦେଶ୍ୟ

ପୃଥିବୀର ମଙ୍ଗଳ ନିମନ୍ତେ ଭଗବାନ ଜୀବଜନ୍ତୁ, ବୃକ୍ଷଲତା ଇତ୍ୟାଦି ସୃଷ୍ଟି କରିଛନ୍ତି ବୋଲି ଲାଞ୍ଜିଆ ସଉରାମାନଙ୍କର ବିଶ୍ୱାସ। ପ୍ରକୃତିକୁ ସନ୍ତୁଷ୍ଟ କଲେ ନିଜର ତଥା ଗ୍ରାମର ମଙ୍ଗଳ ହୁଏ ବୋଲି ସେମାନେ ମତ ଦେଇଥାନ୍ତି। ସେଥିପାଇଁ ଚିତ୍ରକଳାରେ ସେମାନେ ନିଜର ପ୍ରତ୍ୟକ୍ଷ ଦେବଦେବୀଙ୍କ ଚିତ୍ର ନ ରଖି ଦୈନନ୍ଦିନ ଜୀବନ ପ୍ରଣାଳୀକୁ ଆଙ୍କି ପରୋକ୍ଷରେ ସେମାନଙ୍କୁ ଆବାହନ କରିଥାନ୍ତି।

ଏହି ‘ଇଡ଼ିତାଲ୍’ ଚିତ୍ରକଳାରେ ଲାଞ୍ଜିଆ ସଉରାଙ୍କ ସଂସ୍କୃତି, ପରମ୍ପରା, ଚାଲିଚଳନ ଓ ଐତିହ୍ୟର ବିଭିନ୍ନ ପ୍ରସଙ୍ଗ ଚିତ୍ରିତ ହୋଇଥାଏ। ମଣିଷ, ଜୀବଜନ୍ତୁ, ବୃକ୍ଷଲତା ଓ ଅନ୍ୟାନ୍ୟ ଚିତ୍ର ଆଦି ମଧ୍ୟରେ ଏହା ସମାହିତ ହୋଇଥାଏ। ଜୀବଜନ୍ତୁ ମଧ୍ୟରେ ହାତୀ, ଘୋଡ଼ା, ମାଙ୍କଡ଼, ବାଘ, ହରିଣ, ଗାଈ ଓ ବଳଦରୁ ଆରମ୍ଭ କରି ବିଭିନ୍ନ ପକ୍ଷୀ ଯଥା ମୟୂର, ପାରା, ହଂସ ସହିତ ଅନ୍ୟାନ୍ୟ ସରୀସୃପ ଆଦିର ଛବି ଏହି ଚିତ୍ରରେ ଅଙ୍କା ଯାଇଥାଏ।  

ତେବେ ଏହି  ‘ଇଡ଼ିତାଲ୍’ ଚିତ୍ରକଳାକୁ ମାନ୍ୟତା ଦେବାନେଇ ଯଦି କିଛି ଅଭିଯୋଗ ରହିଥାଏ, ତେବେ ୬ ମାସ ମଧ୍ୟରେ ତାହା ଦାଖଲ କରିବାକୁ ଜିଆଇ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି। ‘ଇଡ଼ିତାଲ୍’କୁ ନେଇ ଅନ୍ୟ ସ୍ଥାନରୁ ବିରୋଧ ନହେଲେ, ଏହାକୁ ବିଧିବଦ୍ଧ ଭାବେ ଜିଆଇ ଟ୍ୟାଗ୍‍ ମିଳିବ।      

‘ଇଡ଼ିତାଲ୍’କୁ ଜିଆଇ ଟ୍ୟାଗ୍‍ ମିଳିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା। ଜିଆଇ ଟ୍ୟାଗ୍‍ ପାଇବା ଦ୍ଵାରା ଏହି ଚିତ୍ରକଳାର ପରିସର ଆହୁରି ବୃଦ୍ଧି ପାଇବା ସହ ଏହା ଆହୁରି ଲୋକପ୍ରିୟ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।  

Tags: #IDITAL #LanjiaSauraTribe #Painting #GITag #TribalArt #Odisha #ଇଡ଼ିତାଲ୍ #ଲାଞ୍ଜିଆସଉରାଜନଜାତି

LEAVE A REPLY

Please enter your comment!
Please enter your name here