ଓଡ଼ିଶାଲାଇଭ୍‌ ବ୍ୟୁରୋ

୨ ଲକ୍ଷ ଟଙ୍କା ପାଇଁ ବାପାରୁ ସଇତାନ ସାଜିଲା ଅକ୍ଷୟ ସେଠୀ। ନିଜ ଜନ୍ମକଲା ଝିଅ ସହ ନାତି-ନାତୁଣୀଙ୍କୁ ହତ୍ୟା କରି ଗିରଫ ହୋଇଛି ସଇତାନ ବାପା।

ମହାନଦୀରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ଘଟଣା ଉପରୁ ପରଦା ଉଠାଇଛି ଜଗତସିଂହପୁର ପୋଲିସ। ୨ ଲକ୍ଷ ଟଙ୍କା ପାଇଁ ବାପା ନିଜ ଜନ୍ମକଲା ଝିଅ ଏବଂ ନାତି, ନାତୁଣୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପୋଲିସ କହିଛି। ଟଙ୍କା ପାଇଁ ବାପାରୁ ସଇତାନ ସାଜିଥିବା ଅକ୍ଷୟ ସେଠୀକୁ ପୋଲିସ ଗିରଫ କରିଛି।

ମେ’ ୧୦ ତାରିଖର ଘଟଣା। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଶନି ମନ୍ଦିର ନିକଟସ୍ଥ ମହାନଦୀରେ ଭାସୁଥିଲା ୪ ଜଣଙ୍କ ମୃତଦେହ। ୩ ଶିଶୁଙ୍କ ମୃତଦେହ ମଝି ନଦୀରେ ଭାସୁଥିବା ବେଳେ କୂଳରେ ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ।

ମୃତଦେହ ଭାସୁଥିବା ଖବର ପାଇ ଗାଁ ଲୋକେ ନଦୀ କୂଳରେ ଭିଡ଼ ଲଗାଇଥିଲେ। ଏହି ମୃତଦେହ କୁଜଙ୍ଗ ଅଞ୍ଚଳର ମାମିନା ସେଠୀ ଏବଂ ତାଙ୍କ ପିଲାଙ୍କର ବୋଲି ଜଣାପଡ଼ିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। କେଉଁ କାରଣ ପାଇଁ ଗୋଟିଏ ପରିବାରର ମା’ ଏବଂ ଛୁଆଙ୍କ ମୃତଦେହ ନଦୀରେ ଭାସିଲା ତାକୁ ନେଇ ଖୋଳତାଡ଼ କରିଥିଲା ପୋଲିସ।

କିଏ କହିଥିଲା ଜମିବାଡ଼ି ଗଣ୍ଡଗୋଳକୁ ନେଇ ମାମିନା ଏବଂ ତାଙ୍କ ଛୁଆମାନଙ୍କୁ କେହି ହତ୍ୟା କରିଛି ତ ଆଉ କିଏ କହୁଥିଲା ଦାରିଦ୍ର୍ୟର ତାଡ଼ନା ସହି ନପାରି ଛୁଆମାନଙ୍କୁ ନେଇ ମାମିନା ଆତ୍ମହତ୍ୟା କରିଛନ୍ତି।

ହେଲେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ପୋଲିସ। ବିଭିନ୍ନ ଦିଗକୁ ତର୍ଜମା କରି ତଦନ୍ତ କରୁଥିବା ପୋଲିସ ଆଜି ମୃତ ମାମିନାଙ୍କ ବାପାଙ୍କୁ ଗିରଫ କରିଛି। ଏହି ଘଟଣାରେ ପୋଲିସ ଯେଉଁ ଚାଞ୍ଚଳ୍ୟକର ତଥ୍ୟ ଦେଇଛି ତାହା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।

ପୋଲିସ କହିଛି ଯେ ମାମିନାଙ୍କ ସ୍ବାମୀ ପାରାଦୀପର ଏକ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଦୁଇ ମାସ ତଳେ ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କମ୍ପାନି ପକ୍ଷରୁ ମାମିନାଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଥିଲା। ଏହି ଟଙ୍କା ଉପରେ ନଜର ପକାଇଥିଲା ମାମିନାଙ୍କ ବାପା।

୨ ଲକ୍ଷ ଟଙ୍କା ନେବା ପାଇଁ ଝିଅ ପାଖରେ ବହୁତ ନାଟକବାଜୀ କରିଥିଲା ମାମିନାଙ୍କ ବାପା ଅକ୍ଷୟ। କିନ୍ତୁ ମାମିନା ନିଜ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ଟଙ୍କା ଦେଇ ନଥିଲା। ଫଳରେ ଅକ୍ଷୟ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ଶେଷରେ ନିଜ ଝିଅ ମାମିନା ଏବଂ ନାତି, ନାତୁଣୀଙ୍କୁ ହତ୍ୟା କରିବାକୁ ପଛାଇ ନଥିଲା।

ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିଲା। ସନ୍ଦେହରେ ମାମିନାର ବାପାକୁ ଥାନାକୁ ଡାକି ୪ ଦିନ ହେଲା ପଚରା ଉଚରା କରିଥିଲା। ପୋଲିସର ଘନ ଘନ ଜେରାରେ ଅକ୍ଷୟ ସବୁ ସତ କଥା ମାନିଯିବା ପରେ ପୋଲିସ ଆଜି ତାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here