ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ମହାନଦୀର ବନ୍ୟା ଜଳରେ ଭାସିଯାଉଥିବାବେଳେ ଦୁଇ ବଳଦ ଓ ଜଣେ ଚାଷୀଙ୍କ ଜୀବନ ରକ୍ଷା କଲା ଅଗ୍ନିଶମ ଦଳ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଥରଚକଡ଼ା ନିକଟରେ ଜଣେ ଚାଷୀ ନିଜ ବଳଦଙ୍କ ସହ ମହାନଦୀରେ ଭାସିଯାଉଥିବା ବେଳେ ତାଙ୍କୁ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ରକ୍ଷା କରିଛି।

ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପଥରଚକଡ଼ା ଗାଁର ଚାଷୀ ଫଗୁ ଗୋଛି ଜମିରେ ହଳକାମ ସାରି ନିକଟସ୍ଥ ମହାନଦୀରେ ବଳଦଙ୍କୁ ଗାଧୋଇ ଦେଉଥିଲେ। ହେଲେ ସେହି ସମୟରେ ମହାନଦୀ ପ୍ରଖର ବନ୍ୟାଜଳ ସ୍ରୋତରେ ବଳଦ ଦୁଇଟି ନଦୀରେ ଭାସିଯାଇଥିଲେ। ଏହାପରେ ଚାଷୀ ଜଣକ ମଧ୍ୟ ବଳଦଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ।ମହାନଦୀ ପ୍ରଖର ଜଳସ୍ରୋତ ଆଗରେ ଚାଷୀ ଫଗୁ ଗୋଛି ମଧ୍ୟ ବଳଦଙ୍କ ସହିତ ଭାସିଯାଇଥିଲେ। ଖବର ପାଇ ଭାପୁର ଦମକଳ ବାହିନୀ ସେଠାରେ ପହଞ୍ଚି ଏକ ବୋଟ୍ ଦ୍ୱାରା ଦୁଃସାହସିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଉଦ୍ଧାରକାରୀ ଦଳ ପ୍ରଥମେ ଚାଷୀ ଫଗୁ ଗୋଛିଙ୍କୁ ଉଦ୍ଧାର କରିଥିଲେ। ଏବଂ ପରେ ପରେ ବଳଦ ଦୁଇଟିଙ୍କୁ ମଧ୍ୟ ରଶିରେ ବାନ୍ଧି କୂଳକୁ ଆଣିଥିଲେ।BGUଭାପୁର ଦମକଳ କେନ୍ଦ୍ରର ଅଧିକାରୀ ସୁରେନ୍ଦ୍ର ନାଥ ଗଡ଼ପାଳଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଏହି ଦୁଃସାହାସିକ କାର୍ଯ୍ୟ କରିଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଟିମକୁ ପ୍ରଂଶସା କରିଛନ୍ତି।

Comment