ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ମାସ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସ୍ୱାମୀ। ଆଜି ପୂରା ପରିବାରର ମୃତଦେହ ମହାନଦୀରୁ ଉଦ୍ଧାର କରାଯାଇଛି। ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁର ଜିଲ୍ଲାରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା। ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗାଁର ମାମିନା ସେଠୀ, ତାଙ୍କ ଦୁଇ ଝିଅ ଏବଂ ପୁଅର ମୃତଦେହ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ମାମିନାଙ୍କ ସ୍ୱାମୀ ଅନନ୍ତ ସେଠୀ ଦୁଇ ମାସ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଅନନ୍ତ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ମାତ୍ର ଅନନ୍ତଙ୍କ ଦେହାନ୍ତ ପରେ ଦୁଇ ଝିଅ ଏବଂ ପୁଅକୁ ଧରି ମାମିନା ଦୁଃଖକଷ୍ଟରେ ଜୀବନ ବିତାଉଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ସହି ନପାରି ଛୁଆଙ୍କୁ ଧରି ମା’ ନଈକୁ ଡେଇଁ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଉ କିଛି ଲୋକଙ୍କ କହିବା କଥା ହେଉଛି ମୃତ ମାମିନାଙ୍କ ପରିବାରର ଜମି ବିବାଦ ରହିଥିଲା। ଏଣୁ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆଯାଇଥିବା ଆଲୋଚନା ହେଉଛି।

କେଉଁ କାରଣ ପାଇଁ ପୂରା ପରିବାରର ମୃତଦେହ ନଦୀରୁ ମିଳିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comment