ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଯେତେବେଳେ କୌଣସି ଅଞ୍ଚଳରେ ଭୂମିକମ୍ପ ହୁଏ ତେବେ  ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥାନ୍ତି। ଯଦି ସମ୍ବଲପୁର କିମ୍ବା ଅନ୍ୟ କୌଣସି ନଦୀବନ୍ଧ ଥିବା ଅଞ୍ଚଳରେ ଭୂମିକମ୍ପ ହୁଏ ତେବେ ପରିସ୍ଥିତି କ’ଣ ହେବ?

ରାୟପୁରଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ ଦୀର୍ଘ ୬ ଶହ କିଲୋମିଟର ମଧ୍ୟରେ ମହାନଦୀର ଅବବାହିକାରେ ରହିଛି ଅନେକ ଫାଟ। ଯଦି ଏହି ଫାଟଗୁଡ଼ିକ ଚାପଗ୍ରସ୍ତ ହୁଏ ତେବେ ଭୂମିକମ୍ପ ହେବାର ଆଶଙ୍କା ରହିଛି।

ହୀରାକୁଦ ନଦୀବନ୍ଧ ଅଞ୍ଚଳ ଓ ରେଙ୍ଗାଲି ନଦୀବନ୍ଧ ଅଞ୍ଚଳରେ ବିଗତ ଦେଢ଼ଶହ ବର୍ଷ ହେଲା ଖଣିଖନନ କାର୍ଯ୍ୟ ଚାଲିଛି। ସମ୍ବଲପୁର ଅଞ୍ଚଳଟି ସିସୋମୋ ଜୋନ୍‌ ବା ଭୂମିକମ୍ପ ପ୍ରବଣ ଜୋନ୍‌-୩ରେ ରହିଛି। ହୀରାକୁଦ ନଦୀବନ୍ଧ ୧୩ ଜାନୁଆରି ୧୯୫୭  ମସିହାରେ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାରି ମଧ୍ୟରେ ଅନେକ ଛୋଟଛୋଟ ଭୂମିକମ୍ପ ଝଟ୍‌କା ଖାଇଛି।

ଏସିଆର ସବୁଠାରୁ ଦୀର୍ଘତମ ମାଟି ନଦୀବନ୍ଧରେ ଯଦି ବଡ଼ଧରଣର ଭୂମିକମ୍ପ ଝଟ୍‌କା ପାଏ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ। କାରଣ ହେଲା, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଭୂମିକମ୍ପ ନିରୋଧ ଶୈଳୀରେ ନିର୍ମାଣ କରାଯାଇଛି କି ନାହିଁ, ସେନେଇ ସେତେବେଳେ ବନ୍ଧ ନିର୍ମାଣ ସମୟରେ ଏଠାରେ କାର୍ଯ୍ୟ କରିଥିବା ନିର୍ବାହୀ ଯନ୍ତ୍ରୀ କିଛି କହିପାରୁ ନାହାନ୍ତି। ଅନ୍ୟପକ୍ଷରେ ବନ୍ଧ ନିର୍ମାଣକୁ ୬୦ ବର୍ଷ ପୂରିଥିଲେ ମଧ୍ୟ ନଦୀବନ୍ଧ ଏବଂ ଏହାର ଦୁଇ ପାଖରେ ବିଗତ ଦେଢ଼ଶହ ବର୍ଷ ହେଲା ଚାଲିଥିବା ଖଣି ଖନନ ଯୋଗୁଁ ଭୂମିକମ୍ପ ହେଲେ ବନ୍ଧ ପ୍ରତି କେତେ ବିପଦ ଓ କ’ଣ କରାଗଲେ ଏହି ବିଶାଳକାୟ ମାଟି ନଦୀବନ୍ଧ ସୁରକ୍ଷିତ ରହିବ ସେ ନେଇ କୌଣସି ଗବେଷଣା କରାଯାଇନାହିଁ।

 

ତେଣୁ କୌଣସି ନା କୌଣସି ସମୟରେ ବଡ଼ଧରଣର ଭୂମିକମ୍ପ ହେଲେ ଏହା ନଦୀବନ୍ଧ ପାଇଁ ଘାତକ ସାଜିପାରେ। କେବଳ ସେତେକି ନୁହେଁ, ଯଦି ନଦୀବନ୍ଧର କିଛି କ୍ଷତି ଘଟେ ତେବେ ସମ୍ବଲପୁର ସମେତ ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ସାମୁହିକ ଭାବରେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା କରିଛନ୍ତି ପରିବେଶବିତ୍‌ ଓ ଯନ୍ତ୍ରୀମାନେ।

ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଏଠାରେ ନିର୍ବାହୀ ଯନ୍ତ୍ରୀ ଭାବରେ କାମ କରିଥିବା କରୁଣାକର ସୁପକାର କୁହନ୍ତି, “ବର୍ତ୍ତମାନ ହୀରାକୁଦ ନଦୀବନ୍ଧକୁ ୬୧ ବର୍ଷ ପୂରିଛି। ନଦୀବନ୍ଧର ଦୁଇଟି ସ୍ପିଲ୍‌-ୱେ ର କିଛି ସ୍ଥାନରେ ଫାଟ ବା ଚୂନ ଛାଡ଼ିଥିବା ସୂଚନା ରହିଛି। ପୁର୍ବରୁ ସେଗୁଡ଼ିକୁ ଦୁଇଥର ମରାମତି କରାଗଲାଣି। ହେଲେ ଯଦି ବଡ଼ଧରଣର ଭୂମିକମ୍ପ ହୁଏ ତେବେ ନଦୀବନ୍ଧରେ ଫାଟ ସୃଷ୍ଟି ହେବା ଆଶଙ୍କା ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ନଦୀବନ୍ଧ ନିର୍ମାଣ ସମୟରେ, ଭାରତୀୟ ଭୂତତ୍ତ୍ୱ ବିଶେଷଜ୍ଞଙ୍କ ସହ ଆମେରିକା ଓ ଇଂଲଣ୍ଡର କିଛି ବିଶେଷଜ୍ଞ ଏଦିଗ ପ୍ରତି ସତର୍କତା ଅବଲମ୍ବନ କରି ନିର୍ମାଣ କାର୍ଯ୍ୟ କରିଥିଲେ। ହେଲେ ବର୍ତ୍ତମାନ ନଦୀବନ୍ଧ ପୁରୁଣା ହୋଇଯାଇଥିବାରୁ ଓ ଏହାର ଆୟୁଷ ଶହେବର୍ଷ ଟାଗେର୍ଟ ରଖାଯାଇଥିବାରୁ କିଛି ବି ହୋଇପାରେ ବୋଲି ସେ ସର୍ତକ କରାଇଦେଇଛନ୍ତି।

ପରିବେଶବିତ୍‌ ରଞ୍ଜନ କୁମାର ପଣ୍ଡା ତାଙ୍କର ଦୀର୍ଘ ଦିନର ଗବେଷଣାକୁ ନେଇ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁହାପଥର ଓ କୋଇଲା ଖନନ ପାଇଁ ବିସ୍ଫୋରଣ କରାଯାଉଥିବାରୁ ନିଶ୍ଚିତ ରୂପେ ଭୂମିକମ୍ପ ହେବାର ଆଶଙ୍କା ସୃଷ୍ଟି ହୋଇଛି। ହେଲେ ବଡ଼ଧରଣର ଭୂମିକମ୍ପ ହେଲେ ହୀରାକୁଦ ନଦୀବନ୍ଧକୁ ବଞ୍ଚାଇବା ଅସମ୍ଭବ ହୋଇପାରେ।

୨୦୧୫ ଏପ୍ରିଲ୍‌ ୨୫, ୨୦୧୪  ମେ ୨୧, ୨୦୧୩  ଜୁନ୍‌ ୬, ୨୦୦୩  ଜୁଲାଇ ୩୦, ୨୦୦୧ ଜୁନ୍‌ ୧୭ରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

ବାରମ୍ବାର ସମ୍ବଲପୁର ଓ ହୀରାକୁଦ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର, କେନ୍ଦ୍ର ଜଳଆୟୋଗ ଓ ଭାରତ ସରକାର ଏ ଦିଗରେ ଯେତେଟା ତତ୍ପରତା ପ୍ରକାଶ କରିବା କଥା ତାହା କରିନାହାନ୍ତି।

ଅବିଭାଜିତ ସମ୍ବଲପୁର ଜିଲ୍ଲାରେ ୧୮୮୩ ମସିହାରୁ ରାମପୁର ଅଞ୍ଚଳରେ ପ୍ରଥମେ ଖଣି ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୮୮୩ରୁ ୧୯୯୪ ମଧ୍ୟରେ ପ୍ରଥମ ଥର ପାଇଁ ଫିଲିକ୍ସ କମ୍ପାନି ଦ୍ୱାରା ପିଟ୍‌ ମାଇନିଂ ପକ୍ରିୟାରେ ଖଣି ଖନନ ଆରମ୍ଭ କରାଯାଇଥିଲା। ବ୍ରଜରାଜ ନଗରରେ ଓରିଏଣ୍ଟ୍ କମ୍ପାନି ଖଣି ଖନନ କରିଥିଲା। ଏବେ ହୀରାକୁଦ ନଦୀବନ୍ଧ ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମହାନଦୀ କୋଲ୍‌ ଫିଲ୍‌ଡ ଦ୍ୱାରା ଖଣି ଖନନ କରାଯାଇ କୋଇଲା ଉତ୍ପାଦନ କରାଯାଉଛି।

ଝାରସୁଗୁଡ଼ାର ବେଲ୍‌ପାହାଡ଼, ଲଖନପୁର, ହୀମଗିରି ଓ ଲିହାରୀ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣି ଖନନ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସମ୍ବଲପୁର ନିକଟବର୍ତ୍ତୀ ରେଙ୍ଗାଲିରେ ତଳବିରା-୨ରେ ଖଣିଖନନ କାର୍ଯ୍ୟ ଚାଲିଛି। ମୁଖ୍ୟତଃ ଖୋଲାମୁହଁ ଖଣିରୁ କୋଇଲା ଓ ଅନ୍ୟାନ ଖଣିଜ ଦ୍ରବ୍ୟ ଖୋଳି କାଢ଼ିବା ପରେ ସେଥିରେ ବାଲି ଓ ପାଣି ପକାଇ ତାହା ବନ୍ଦ କରାଯାଇଥାଏ। କିନ୍ତୁ ଏବେ ମଧ୍ୟ ଅନେକ ଅଞ୍ଚଳରେ ଖଣି ଖୋଳା ସାରି ତାହା ସେପରି ଖୋଲା ଛଡ଼ାଯାଇଛି। ଯଦି ଭବିଷ୍ୟତରେ ଭୂମିକମ୍ପ ହୁଏ ତାହାଲେ ଏହି ଅଞ୍ଚଳ ଏହାର ଝଟକା ସମ୍ଭାଳି ପାରିବ ନାହିଁ। ଫଳରେ ଏକ ସମ୍ଭାବ୍ୟ ପ୍ରଳୟର ଆଶଙ୍କା ଦେଖାଦେଇପାରେ ବୋଲି ଭୂମିକମ୍ପ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ମହାରାଷ୍ଟ୍ରର ଲାଟୁର ସହର ମଧ୍ୟ ଭୂମିକମ୍ପ ପ୍ରବଣତାର ଜୋନ୍‌-୩ ରେ ରହିଥିଲା। ହେଲେ ସେଠାରେ ୨୦୦୧ରେ ପ୍ରଳୟଙ୍କରୀ ଭୂମିକମ୍ପରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରିବା ସହ ଅନେକ ଅଟ୍ଟାଳିକା ଧ୍ୱସଂସ୍ତୁପରେ ପରିଣତ ହୋଇଥିଲା। ହେଲେ ହୀରାକୁଦ ନଦୀବନ୍ଧଟି ସିସୋମୋ ଜୋନ୍‌ ୩ରେ ଥିବାରୁ ନଦୀବନ୍ଧକୁ ସେପରି ବିପଦ ନାହିଁ ବୋଲି କହିଛନ୍ତି ହୀରାକୁଦ ନଦୀବନ୍ଧର ପୂର୍ବତନ ମୁଖ୍ୟଯନ୍ତ୍ରୀ ବିଶ୍ୱଜିତ ମହାନ୍ତି।

ସେହିପରି ସିକିମ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭୂମିକମ୍ପ ବିଶେଷଜ୍ଞ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି, “ଯଦି ଭୂମିକମ୍ପର ତୀବ୍ରତା ୬ରୁ ଅଧିକ ରୁହେ ଏବଂ ଏହା ୨୦ ସେକେଣ୍ଡରୁ ଅଧିକ ସମୟ ଧରି ଜାରି ରହେ ତେବେ ହୀରାକୁଦ ନଦୀବନ୍ଧ ସହ ଏ ଅଞ୍ଚଳ ପ୍ରତି ବିପଦ ନିଶ୍ଚିତ।”

ପଶ୍ଚିମଓଡ଼ିଶାରେ ବାସକରୁଥିବା ଲୋକମାନଙ୍କ କହିବା କଥା ହେଲା, ରାଜ୍ୟ ସରକାର ବେଦାନ୍ତକୁ ପାଣିକର ବକେୟା ଅର୍ଥ ବାବଦରେ ୩ ଶହ କୋଟି ଟଙ୍କା ଛାଡ଼ କରିପାରୁଛନ୍ତି। ସେହିପରି ଘରୋଇ କମ୍ପାନିକୁ ୨ ହଜାର କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ଛାଡ଼ କରିପାରୁଛନ୍ତି। ହେଲେ ସବୁଠାରୁ ସମ୍ବେଦନଶୀଳ ହୀରାକୁଦ ନଦୀବନ୍ଧ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପର ବିପଦ ଜନିତ ଗବେଷଣା ପାଇଁ ମାତ୍ର ୨ ଶହ କୋଟି ଖର୍ଚ୍ଚ କରିପାରୁ ନାହାନ୍ତି କାହିଁକି? ସମୟ ଥାଉଥାଉ ଏହି ବିଷୟ ପ୍ରତି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦାବି ହେଉଛି।

Comment