ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ାରେ ଅଘଟଣ
  • ପିକ୍‌ନିକ୍‌ରୁ ଫେରିବା ବେଳେ ନଦୀରେ ବୁଡ଼ିଲା ଡଙ୍ଗା
  • ୧୦ରୁ ଅଧିକ ନିଖୋଜ, ଜଣେ ମୃତ
  • ୩୫ ଜଣ ସୁରକ୍ଷିତ ଭାବେ ଉଦ୍ଧାର
  • ଡଙ୍ଗାରେ ଥିଲେ ୫୦ ଯାତ୍ରୀ
  • ଚାଲିଛି ଉଦ୍ଧାର କାର୍ଯ୍ୟ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ନଦୀରେ ବୁଧବାର ସନ୍ଧ୍ୟାରେ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିଛି। ଜଣକର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି। ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଜୋରଦାର ଉଦ୍ୟମ ଜାରି ରଖିଛି।

ଜଗସିଂହପୁର ଜିଲାର କୁଜଙ୍ଗ ଥାନା ଅନ୍ତର୍ଗତ ହଂସିଣା ଗାଁର କିଛି ଲୋକ ବଙ୍ଗୋପସାଗର ମଧ୍ୟରେ ଥିବା ହୁକିଟୋଲା ବୁଲିବାକୁ ଯାଇଥିଲେ। ଫେରିବା ବେଳେ ଏହି ଅଘଟଣ ଘଟିଛି।

ବୁଧବାର ସକାଳୁ ଜଗତସିଂହପୁର ଜିଲ୍ଲା ମହାନଦୀର ଭୁତମୁଣ୍ଡାଇ ପୋଲ ନିକଟରୁ ଏକା ଟାପା ଡଙ୍ଗାରେ କୁଜଙ୍ଗ ଥାନା ହଂସିଣା ଗାଁର ଲୋକେ ବଙ୍ଗୋପସାଗର ମଧ୍ୟରେ ରହିଥିବା ହୁକିଟୋଲା ବୁଲିବାକୁ ଆସିଥିଲେ। କେମିତି ଘଟିଲା ଅଘଟଣ?

ହୁକିଟୋଲାରେ ପିକନିକ ସାରି ପର୍ଯ୍ୟଟକମାନେ ଘରକୁ ଫେରୁଥିଲେ। ହୁକିଟୋଲାରୁ ଡଙ୍ଗାଟି ବତୀଘର ନଦୀ ଦେଇ ମହାନଦୀରେ ପହଞ୍ଚିବାର ଥିଲା।

ବତୀଘର ପଞ୍ଚାୟତର ନିପାଣିଆଠାରେ ଡଙ୍ଗାରେ ଥିବା ଜଣେ ବୃଦ୍ଧା ସୌଚ ହେବାକୁ ଚାହିଁବାରୁ ଡଙ୍ଗା ଚାଳକ ଡଙ୍ଗା ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସାମନା ପଟୁ ଆଉ ଏକ ମାଛଧରା ବୋଟ୍ ଆସୁଥିଲା। ମାଛଧରା ବୋଟ୍ ଯାତ୍ରୀବାହୀ ଡଙ୍ଗାରେ ପିଟି ହେବାର ଆଶଙ୍କା କରି ଯାତ୍ରୀମାନେ ହଠାତ ଚିତ୍କାର କରି ଡଙ୍ଗାର ଗୋଟିଏ ପାଖକୁ ଚାଲି ଯାଇଥିଲେ। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ସେଠାରେ ବୁଡ଼ି ଯାଇଥିଲା।

ଡଙ୍ଗା ବୁଡ଼ିବା ବେଳକୁ ପ୍ରାୟ ଅନ୍ଧାର ହୋଇ ଯାଇଥିଲା। ଖବରପାଇ ନିପାଣିଆ ଗାଁ ଲୋକେ ନଦୀରେ ବୁଡ଼ି ଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡିଥିଲେ। ଗାଁ ଲୋକେ ପାଣି ଭିତରୁ ୩୫ ଜଣଙ୍କୁ ଉଦ୍ଧାର କରିଥିଲେ। ପ୍ରଭାତୀ ସ୍ୱାଇଁ ନାମକ ଜଣେ ମହିଳା ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।

ତେବେ ନିଖୋଜଙ୍କ ସଂଖ୍ୟା ସଠିକ ଭାବରେ ଜଣାପଡ଼ୁନି। ପ୍ରଥମେ ନିଖୋଜଙ୍କ ସଂଖ୍ୟା ୭ ଜଣ କୁହାଯାଉଥିବା ବେଳେ ଏବେ ଏହା ୧୦ ଜଣକୁ ବୃଦ୍ଧି ପାଇଛି। ନିଖୋଜଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ଉଦ୍ଧାର ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ଲୋକେ ନିଆଁ ଜାଳି ସେକିଥିଲେ। ଏହାସହ ସୁଖିଲା ବସ୍ତ୍ର ମଧ୍ୟ ପିନ୍ଧିବାକୁ ଦେଇଥିଲେ।

ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଥଇଥାନ ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ଏହି ପର୍ଯ୍ୟଟନସ୍ଥଳୀ ହୁକିଟୋଲାକୁ ପର୍ଯ୍ୟଟକମାନଙ୍କ ଯିବା ଆସିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ପର୍ଯ୍ୟଟକମାନେ ବିପଦସଙ୍କୁଳ ଭାବରେ ଏଠାକୁ ଆସିଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ଡଙ୍ଗାରେ ଏହି ପର୍ଯ୍ୟଟକମାନେ ଆସିଥିଲେ ତାହା ଏକ ଟାପା ଡଙ୍ଗା ଥିଲା। ଏହି ଡଙ୍ଗା କେବଳ ସମୁଦ୍ରରେ ମାଛ ଧରିବା କାମରେ ବ୍ୟବହାର କରାଯାଏ।

ଏହି ଡଙ୍ଗାରେ ୧୦ରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ। ତେବେ ସେହି ମାଛଧରା ଡଙ୍ଗା କିପରି ୫୦ରୁ ଅଧିକ ଯାତ୍ରୀମାନଙ୍କୁ ନେଇଥିଲା ତାହା ତଦନ୍ତସାପେକ୍ଷ।

LEAVE A REPLY

Please enter your comment!
Please enter your name here