ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲ୍ସ ନିଶା ଏବେ ସମସ୍ତଙ୍କୁ ବାୟା କରିଛି। ଏ ନିଶା ଏପରି ଘାରିଛି ଯେ, ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ଯୁବପିଢ଼ି। ଏହି ରିଲ୍ସ ନିଶା ଓମ ପ୍ରକାଶ ରଥ ନାମକ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋମବାର ଦିନ ଗଭୀର ପାଣିରେ ବୁଡ଼ିଯାଇଥିବା ଓମ ପ୍ରକାଶଙ୍କର ଏଯାଏଁ ପତ୍ତା ମିଳିପାରୁ ନାହିଁ।

କ’ଣ ଥିଲା ପୂରା ଘଟଣା?

ସୋମବାର ଦିନ ଓମ ପ୍ରକାଶ ରଥ ତିନିଜଣ ସାଙ୍ଗଙ୍କ ସହ ଗାଡ଼ି ଭଡ଼ା କରି ଭୁବନେଶ୍ଵରରୁ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ସ୍ଥିତ ନିଜିଗଡ଼କୁ ଯାଇଥିଲେ। ଟ୍ୟାକ୍ସି ଡ୍ରାଇଭର ବାରଣ କରିଥିଲେ ମଧ୍ୟ ଓମ ପ୍ରକାଶ ଏବଂ ତାଙ୍କ ସାଙ୍ଗମାନେ ଗଭୀର ଖଣି ପୋଖରୀ ନିକଟକୁ ଯିବାକୁ ଜିଦ କରିଥିଲେ।

ବେଆଇନ ଭାବେ ଖୋଳାଯାଇଥିବା ପଥର ଖଣିରେ ଜମି ରହିଥିବା ଅକାତକାତ ନୀଳ ଜଳ ଦେଖି ଏଠାରେ ରିଲ୍ସ କରିବାକୁ ଓମ ପ୍ରକାଶ ଓ ତାଙ୍କ ସାଙ୍ଗମାନେ ଯୋଜନା କରିଥିଲେ। ଖଣିରେ ଭରି ରହିଥିବା ପାଣି ଭିତରେ ପଶି ରିଲ୍ସ କରିବା ସମୟରେ ଓମ ପ୍ରକାଶଙ୍କର ଜଣେ ସାଙ୍ଗଙ୍କ ଗୋଡ଼ ଖସିଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଓମ ପ୍ରକାଶ ନିଜେ ପାଣିରେ ବୁଡ଼ି ଯାଇଥିଲେ।

ଅନ୍ୟ ସାଙ୍ଗମାନଙ୍କ ଚିତ୍କାର ଶୁଣି ଟ୍ୟାକ୍ସି ଡ୍ରାଇଭର ପ୍ରଥମେ ବୁଡ଼ିଥିବା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଓମ ପ୍ରକାଶଙ୍କୁ ପାଇନଥଲେ। ଗଭୀର ଖାତ ଯୋଗୁଁ ଓମ ପ୍ରକାଶଙ୍କୁ ଉଦ୍ଧାର କରିବା ପାଇଁ କେହି ସାହସ କରିନଥିଲେ।

ଟ୍ୟାକ୍ସି ଡ୍ରାଇଭର ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଓମ ପ୍ରକାଶଙ୍କ ସନ୍ଧାନ ମିଳିପାରିନଥିଲା। ପରେ ଓ୍ଵାଟର କ୍ୟାମେରା, ସ୍କୁବା ଡାଇଭ ଟିମ ଏବଂ ଓଡ୍ରାଫ ଟିମର ଦୁଇଟି ବୋଟ ସହାୟତାରେ ଓମ ପ୍ରକାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଘଟଣାକୁ ୪ଦିନ ବିତିଥିଲେ ମଧ୍ୟ ଏଯାଏଁ ଓମ ପ୍ରକାଶଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ନିଜିଗଡ଼ରେ ବେଆଇନ ଭାବେ ଖୋଳା ଯାଇଥିବା ପଥର ଖଣିରେ ପାଣି ଜମି ରହିଛି। ଏଠାରେ ଜମି ରହିଥିବା ପାଣିର ନୀଳ ରଙ୍ଗ ଲୋକଙ୍କୁ ଖୁବ ଆକର୍ଷିତ କରେ। ଏଠାରେ ରିଲ୍ସ କରିବାକୁ ଯୁବକ ଯୁବତୀ ସୁଯୋଗ ଖୋଜୁଥାନ୍ତି। ସମ୍ପକ୍ତ ଅଞ୍ଚଳକୁ ଯିବା ପାଇଁ କଟକଣା ଲାଗୁ ହୋଇଥିଲେ ହେଁ ଏହାକୁ ଖାତିର ନକରି ଅନେକ ଯୁବକ ଯୁବତୀ ଏଠାକୁ ଯାଉଛନ୍ତି ଏବଂ ଅସାବଧାନତା ପାଇଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ନିଜିଗଡ଼ରେ ବାରମ୍ବାର ଏଭଳି ଅଘଟଣ ଘଟିଚାଲିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Tags: #Accident #Reels #Nijigarh #Tapang #OmPrakashRath

LEAVE A REPLY

Please enter your comment!
Please enter your name here