ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗ ଆୟୋଜିତ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ ଉଦଯାପିତ ହୋଇଯାଛି।

ଜୁଲାଇ ୧୦ ତାରିଖରେ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଥିଲା ‘ଗୁହାରି ୨୦୨୪’। ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତକୁ ଲୋକ ଲୋଚନକୁ ଆଣିବା ଓ ତା’ର ପ୍ରଚାର ପ୍ରସାର କରିବା ଲାଗି ରଥଯାତ୍ରା ସମୟରେ ଏହି ଉତ୍ସବର ଆୟୋଜନ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ପୃକ୍ତ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ରଥ, ବିଶିଷ୍ଟ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିକତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍ସବର ପ୍ରଥମ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଗବେଷଣାତ୍ମକ ଇଂରାଜୀ ପୁସ୍ତକ ଇଭୋଲ୍ୟୁସନ ଅଫ୍‍ ଓଡ଼ିଶୀ ମ୍ୟୁଜିକ୍‍ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ବୃନ୍ଦ ଗାୟନ ପରିବେଷଣ କରିବା ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ‘କାଳିଆ ତୋ କଳା ବୋଳା ଚିକ୍କଣ ମୁହଁ’ ଓ ‘କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ’ ଭଜନ ପରିବେଷଣ କରିଥିଲେ। ଏହା ପରେ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଭଜନ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଶରତ କୁମାର ନାୟକ, ସୋହିନୀ ମିଶ୍ର ଏବଂ ସଞ୍ଜୟ ଦାଶ ଭଜନ ପରିବେଷଣ କରିଥିଲେ।  

କାର୍ଯ୍ୟକ୍ରମଟିକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବାବେଳେ କେଳୁ ଚରଣ ମହାପାତ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡକ୍ଟର ଅନୁଜା ତାରିଣୀ ମିଶ୍ର ଏଥିରେ ସହଯୋଗ କରିଥିଲେ।

ସେହିପରି ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ, ଅଭିଜିତ ମିଶ୍ର, ଇପ୍ସିତା ପଣ୍ଡା, ପିନାକୀ ନାୟକ, ସୁରସରିତା ରାଉତ, ବୀରପ୍ରତାପ ସିଂ, ଶିବାନନ୍ଦ ତ୍ରିପାଠୀ, ସସ୍ମିତା ମିଶ୍ର ଓ ସୌରଭ ଭରଦ୍ୱାଜ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।  

‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଡକ୍ଟର ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିବା ବେଳେ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଏଥିରେ ସହଯୋଗ କରିଥିଲେ।

ତିନିଦିନ ଧରି ଆୟୋଜିତ କାର୍ଯକ୍ରମର ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଥିଲା। ଉଦପନୀ ସନ୍ଧ୍ୟାରେ  କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ସ୍ୱାଗତ ମହାପାତ୍ର, ଅମ୍ରିତା ନାୟକ, ସୁଶାନ୍ତ କୁମାର ପାଣି, ତନ୍ମୟ କୁମାର ହୋତା, ଭାରତୀ ଜେନା, ଅର୍ପିତା ଚୌଧୁରୀ ଓ ଗଗନବିହାରୀ ସ୍ୱାଇଁ ପରିବେଷଣ କରିଥିବା ଭକ୍ତି ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଉଦଯାପନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ବସନ୍ତ ପଣ୍ଡା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁରୁ ସିକତା ଦାସ ଓ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶ୍ଵଜିତ ବଳିଆରସିଂହ।

Tags: #DevotionalProgram #Guhari2024 #Rathyatra #Event #Bhubaneswar #Odisha

LEAVE A REPLY

Please enter your comment!
Please enter your name here