ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ‘ଫକୀରମୋହନ ସାହିତ୍ୟ ପରିଷଦ’ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ସୋମବାର ସ୍ଥାନୀୟ ଶାନ୍ତି କାନନ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ୨୦୨୪ରୁ ୨୦୨୭ ଯାଏଁ ୩ ବର୍ଷ ପାଇଁ ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ନିର୍ଦ୍ଵନ୍ଦ୍ଵରେ ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଡକ୍ଟର ରତ୍ନାକର ସିଂହ ୧୩୬ ଖଣ୍ଡ ଭୋଟ ପାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
‘ଫକୀରମୋହନ ସାହିତ୍ୟ ପରିଷଦ’ର ଉପସଭାପତି ଭାବେ ଅଞ୍ଜଳି ପଣ୍ଡା ଓ ଦୀନବନ୍ଧୁ ଲେଙ୍କା ବିଜୟ ହାସଲ କରିଥିବାବେଳେ ଯତୀନ୍ଦ୍ର ପୁହାଣ ପରାଜିତ ହୋଇଛନ୍ତି। ସେହିପରି ଯୁଗ୍ମ ସଂପାଦକ ଭାବେ କଲ୍ୟାଣୀ ନନ୍ଦ ଓ ରାଜେଶ ଗିରି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ତପନ ରାୟ ତାଙ୍କର ପୂର୍ବ ଆସନ ବଜାୟ ରଖିପାରିଛନ୍ତି।
ପରିଷଦ ଇତିହାସରେ ପ୍ରଥମ କରି କାର୍ଯ୍ୟକାରୀ ସମିତିର ସଭ୍ୟ ଭାବରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ରଞ୍ଜନ ବାଗ, ପ୍ରଦୀପ ଚାଟାର୍ଜୀ, ସ୍ମୃତି ଦାସ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା,ବିଷ୍ଣୁପ୍ରସାଦ ମହାନ୍ତି, ଯଶୋଧାରା ଦାସ ଓ ଡକ୍ଟର ସୁକାନ୍ତ ଗିରି ନିର୍ବାଚିତ ହୋଇଛନ୍ତି।
ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, “ସମସ୍ତଙ୍କ ସହଯୋଗ କ୍ରମେ ଅନୁଷ୍ଠାନକୁ ଆମେ ଆଗେଇ ନେବାକୁ କାର୍ଯ୍ୟ କରିବୁ। ଏହାସହ ଫକୀରମୋହନ ସାହିତ୍ୟର ବିକାଶ ଦିଗରେ ଆହୁରି ଉଦ୍ୟମ କରାଯିବ।
ଏହି ନିର୍ବାଚନରେ ପରିଷଦର ବରିଷ୍ଠ ସଦସ୍ୟ ଡକ୍ଟର ଭାଗବତ ପ୍ରସାଦ ଦାସ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଏହାସହ ପଣ୍ଡିତ ସଂଜୟ ପଣ୍ଡା, କରୁଣାକର ସ, ଡାକ୍ତର କୁମାର ଗୋପାଳ, ଶାନ୍ତିଲତା ପଣ୍ଡା ଓ ପ୍ରବୀର କାମିଲା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ସୋମବାର ଦିନ ୨ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଭୋଟ ଗଣତି ପରେ ରାତି ୯ଟା ୩୦ ସମୟରେ ଫଳାଫଳ ଘୋଷଣା କରାଯାଇଥିଲା।
Tags: #FakirMohanSahityaParisad #MemberElection #Literature #Baleswar