ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି। ରବିବାର ଭୁବନେଶ୍ଵରରେ ୯୫ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସେ ନିଜ ଜୀବନରେ ଅନେକ ଗଳ୍ପ, ଉପନ୍ୟାସ ଓ କବିତା ଆଦିର ରଚନା କରିଥିଲେ।

କିଛି ଦିନ ତଳେ ସାତକଡ଼ି ହୋତା ଅସୁସ୍ଥ ହୋଇଥିଲେ। ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତେବେ ରବିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାତକଡ଼ି ହୋତାଙ୍କ ମୃତ୍ୟୁରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମୟରେ ରାଜ୍ୟ ସାହିତ୍ୟ ଜଗତର ଅନେକ ବ୍ୟକ୍ତି ଯୋଗ ଦେଇଥିଲା।

୧୯୨୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସାତକଡ଼ି ହୋତା। ସେ ତାଙ୍କ ସାହିତ୍ୟିକ ଜୀବନରେ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଏକାଧିକ କବିତା ରଚନା କରିଥିଲେ। କବିତାରୁ ସେ ନିଜର ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ। ୧୯୬୭ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶ ପାଇଥିଲା।

ସାତକଡ଼ି ହୋତା ୧୯୮୭ ମସିହାରେ ନିଜ ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହାସହ ‘ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ’ ଗଳ୍ପ ସଙ୍କଳନ ପାଇଁ ୨୦୦୪ ମସିହାରେ ସେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହାବ୍ୟତୀତ ସେ ସାହିତ୍ୟ ଭାରତୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ।

ସାତକଡ଼ି ହୋତା ଓଡ଼ିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ। ଏହାସହ ସେ ଦୈନିକ ଖବର କାଗଜ ’ସମୟ’ର ସମ୍ପାଦକ ମଧ୍ୟ ଥିଲେ। ୧୯୮୫ ମସିହାରେ ‘ଭୁବନେଶ୍ୱର ପୁସ୍ତକ ମେଳା’ ଆରମ୍ଭ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିଲା।

Tags: #SatakadiHota #EminentWriter #Literature #Odisha

Comment