ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତିଙ୍କୁ ମିଳିବ ‘ଉଦୟ ପ୍ରତିଭା’ ପୁରସ୍କାର।   

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବାର୍ଷିକ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଏ ବର୍ଷ ବିଭିନ୍ନ ବିଭାଗରେ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ୨୦ ଜଣ ଲବ୍ଧପ୍ରତିଷ୍ଠ ପ୍ରତିଭାଙ୍କୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରାଯିବ। ପରିଷଦ ଆନୁକୂଲ୍ୟରେ ଜାନୁଆରି ୧୪ରୁ ୧୭ ତାରିଖ ଯାଏଁ ହେବାକୁଥିବା କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ଓ ପରିଷଦର ୭୭ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଚଳିତ ବର୍ଷ ରାଜ୍ୟର ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ପରିଷଦର ସର୍ବୋଚ୍ଚ ପୁରସ୍କାର ‘ସାହିତ୍ୟଶ୍ରୀ’ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଏହାସହିତ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତି ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଅନ୍ୟପଟେ ପରିଷଦ ପକ୍ଷରୁ ସାହିତ୍ୟ ସମାଲୋଚନା ପାଇଁ ଡକ୍ଟର କୈଳାସ ଚନ୍ଦ୍ର ଦାଶ, ପ୍ରବନ୍ଧ ପାଇଁ ଡକ୍ଟର ମଥୁରାନାଥ ହୋତା, କବିତା ପାଇଁ ପିନାକୀ ମିଶ୍ର, ଗଳ୍ପ ପାଇଁ କାର୍ତ୍ତିକ ଚନ୍ଦ୍ର ବାରିକ, ଉପନ୍ୟାସ ପାଇଁ ଡକ୍ଟର ପ୍ରଜ୍ଞା ପ୍ରବତ୍ତିର୍କା ଦାଶ, ନାଟକ ପାଇଁ ରାମଚନ୍ଦ୍ର ମିଶ୍ର ଏବଂ ଗୀତିକବିତା ପାଇଁ ଚିନ୍ତାମଣି ଦାସଙ୍କୁ ପୁରସ୍କୃତ କରାଯିବ।

ସେହିପରି ଶିଶୁସାହିତ୍ୟ ପାଇଁ ଡକ୍ଟର ହେମନ୍ତ ଛୋଟରାୟ, ସମ୍ବାଦ ସାହିତ୍ୟ ପାଇଁ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଅନୁବାଦ ପାଇଁ ଡକ୍ଟର ଭଗବାନ ବେହେରା, ହାସ୍ୟ ଓ ବ୍ୟଙ୍ଗ ପାଇଁ ଶାନ୍ତନୁ ପାଣିଗ୍ରାହୀ, ଭ୍ରମଣ ସାହିତ୍ୟ ପାଇଁ ବିଜୟ ପଟ୍ଟନାୟକ ଏବଂ ଆଧ୍ୟାତ୍ମିକ ସାହିତ୍ୟ ପାଇଁ ଡକ୍ଟର ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ଡକ୍ଟର ଅଭୟ ନାୟକ, ପତ୍ରିକା ସମ୍ପାଦନା କ୍ଷେତ୍ରରେ କୃଷ୍ଣ ନାୟକ, ସାହିତ୍ୟ ସଂଗଠନ କ୍ଷେତ୍ରରେ କମଳାକାନ୍ତ ଦାଶ ଏବଂ ସମାଜସେବା ପାଇଁ ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କୁ ସମ୍ମାନିତ କରାଯିବ।

ଏହି କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ଡକ୍ଟର ଭରତଚନ୍ଦ୍ର ପାତ୍ରଙ୍କୁ ‘ପରିଷଦ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ। ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ହେବାକୁ ଥିବା ଏହି ଚାରିଦିନ ବ୍ୟାପି କାର୍ଯ୍ୟକ୍ରମରେ ଏକାଧିକ ସାହିତ୍ୟ ସଭା, ସଙ୍ଗୀତ ବିଚିତ୍ରା, ବିଭିନ୍ନ ପ୍ରତିଯୋଗିତା ଓ ମଞ୍ଚ ନାଟକ ଅନୁଷ୍ଠିତ ହେବ।

Tags: #FakirmohanSahityaParisad #OdiaLiterature #Award #Balasore #Odisha  

LEAVE A REPLY

Please enter your comment!
Please enter your name here