ମିନତି ମିଶ୍ର
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଗାଜାରେ ଏବେ ବି ଇସ୍ରାଏଲର ସୈନ୍ୟ ଅଭିଯାନ ଜାରି ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ମଙ୍ଗଳବାର ଅଚାନକ ଗାଜା ଗସ୍ତ କରିଛନ୍ତି। ଏହି ଗସ୍ତ ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ମୁଖ୍ୟ ବି ଥିଲେ। ନେତେନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି, ଗାଜାରେ ଆଉ ହମାସର ଶାସନ ରହିବ ନାହିଁ। ଏଥିସହିତ ବନ୍ଧକମାନଙ୍କ ମୁକ୍ତି ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା କରିଛନ୍ତି।
ଗାଜା ଗସ୍ତ ସମୟରେ ବେଞ୍ଜାମିନ ନେତେନ୍ୟାହୁ କହିଛନ୍ତି, “ଏହି ଯୁଦ୍ଧ ପରେ ହମାସ କେବେ ବି ଗାଜା ଉପରେ ଶାସନ କରିବ ନାହିଁ। ଇସ୍ରାଏଲ ହମାସକୁ ପୁରା ଧ୍ୱଂସ କରି ଦେଇଛି ଏବଂ ହମାସର ସୈନ୍ୟ କ୍ଷମତାକୁ ପୁରା ନଷ୍ଟ କରି ଦେଇଛି।”
ସେ ଆହୁରି ମଧ୍ୟ କହିଛନ୍ତି, “ଗାଜାରେ ୧୦୧ ଜଣ ଇସ୍ରାଏଲର ବନ୍ଧକଙ୍କୁ ଖୋଜାଖୋଜି ଚାଲିଛି। ଯିଏ ବି ସେହି ବନ୍ଧକଙ୍କୁ ମୁକ୍ତ କରିବାରେ ସହାୟତା କରିବ, ଇସ୍ରାଏଲ ସରକାର ପ୍ରତ୍ୟେକ ବନ୍ଧକଙ୍କ ପାଇଁ ୫୦ ଲକ୍ଷ ଡଲାର ଅର୍ଥାତ ୪୨ କୋଟିରୁ ଅଧିକ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ।”
ଇସ୍ରାଏଲର ବନ୍ଧକଙ୍କ ଟିକେ ବି କ୍ଷତି ହେଲେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ହମାସକୁ ଚେତାବନୀ ଦେଇଛନ୍ତି ବେଞ୍ଜାମିନ ନେତେନ୍ୟାହୁ।
ଇସ୍ରାଏଲି ସେନାର ଅଭିଯାନ ବିଷୟରେ ସମୀକ୍ଷା କରିବା ପାଇଁ ଗାଜା ଯାଇଥିଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ। ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଏବେ ବି ଗାଜାରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ।
ଇସ୍ରାଏଲର ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୪ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାସହ ଲକ୍ଷାଧିକ ଲୋକ ଆହତ ହୋଇଛନ୍ତି। ଏହା ପୂର୍ବରୁ ହମାସର ଆକ୍ରମଣରେ ଇସ୍ରାଏଲରେ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୫୦ ଜଣ ଆହତ ହୋଇଥିଲେ। ହମାସ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ କରି ନେଇଯାଇଥିଲା।
Tags: #Israel-HamasWar #PMBenjaminNetanyahu #IsrailiHostages #Gaza