ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ହମାସ ସହ ଏବେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁହ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହାର ଜବାବରେ ଗାଜା ସହ ଦକ୍ଷିଣ ଲେବାନନରେ ଘନ ଘନ ବୋମା ବର୍ଷାଉଛି ଇସ୍ରାଏଲ।

ଶୁକ୍ରବାର ଦିନ ଦକ୍ଷିଣ ଲେବାନନରେ ଇସ୍ରାଏଲର ‌କ୍ଷେପଣାସ୍ତ୍ର ମାଡ଼ରେ ଅନ୍ତର୍ଜାତୀୟ ମିଡିଆ ସଂସ୍ଥା ‘ରଏଟର୍ସ’ର ଜଣେ ସାମ୍ବାଦିକ ଇସାମ ଅବଦୁଲ୍ଲାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟାନ୍ୟ ମିଡିଆ ସଂସ୍ଥାର ୬ ଜଣ ସାମ୍ବାଦିକ ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି।

ଇସ୍ରାଏଲର ସେନା ଓ ହିଜବୁହ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ବାବଦରେ ରିପୋର୍ଟ ସଂଗ୍ରହ ଲାଗି ‘ରଏଟର୍ସ’, ‘ଅଲଜଜିରା’ ଓ ‘ଆସୋସିଏଟ ପ୍ରେସ’ର ଅନେକ ସାମ୍ବାଦିକ ଓ କ୍ୟାମେରାମ୍ୟାନ ଦକ୍ଷିଣ ଲେବାନନର ଅଲମା ଅଲ-ଶାବ୍‌ ନାମକ ସ୍ଥାନରେ ଉପସ୍ଥିତ ଥିଲେ। ଶୁକ୍ରବାର ସେମାନେ ସେଠାରେ କାମ କରୁଥିବାବେଳେ ଇସ୍ରାଏଲର କ୍ଷେପଣାସ୍ତ୍ର ପଡ଼ିଥିଲା।

ଏହି ଘଟଣା ପାଇଁ ଇସ୍ରାଏଲକୁ ସମାଲୋଚନା କରାଯାଉଥିବାବେଳେ ଏହାର ତଦନ୍ତ ପାଇଁ ବିଭିନ୍ନ ଦେଶ ଦାବି କରିଛନ୍ତି। ତେବେ ଇସ୍ରାଏଲ ସରକାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

“କର୍ତ୍ତବ୍ୟ କରୁଥିବା କୌଣସି ସାମ୍ବାଦିକଙ୍କୁ ଆକ୍ରମଣ କରିବା କି, ମାରିବାକୁ ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ସମସ୍ତେ ଜାଣନ୍ତି, ଆମେ ହମାସ ବିରୋଧରେ ଯୁଦ୍ଧ କରୁଛୁ। ଯୁଦ୍ଧ କ୍ଷେତ୍ରରେ ଏମିତି ଅଘଟଣ ଘଟିପାରେ। ଏଥିପାଇଁ ଆମେ ଦାୟୀ ନୁହଁ”, କହିଛନ୍ତି ଇସ୍ରାଏଲ ସରକାର।

ଅନ୍ୟପଟେ ଯୁଦ୍ଧ ଆରମ୍ଭ ହେବାରୁ ଏ ଯାଏଁ ଗାଜାରେ ଇସ୍ରାଏଲ ସେନାର ଆକ୍ରମଣରେ ପାଲେଷ୍ଟାଇନର ୯ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଲାଣି। ସେମାନେ କାମ କରୁଥିବାବେଳେ ଇସ୍ରାଏଲ ପକାଇଥିବା ବୋମାର ଶିକାର ହୋଇଥିଲେ।

ସେହିପରି ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଏବେ ଇସ୍ରାଏଲରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ୧୩୦୦ ପାର କରିଛି। ଅନ୍ୟପଟେ ଗାଜାରେ ଇସ୍ରାଏଲ ସେନାର ଆକ୍ରମଣରେ ଏବେ ସୁଦ୍ଧା ପ୍ରାୟ ୧୯୦୦ ଲୋକ ପ୍ରାଣ ହରାଇଲେଣି।  

Tags: #Israel-HamasWar #TerroristAttack #AirStrike #ReutersJournalists #Israel #Lebanon

Comment