ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ନାମ ‘ଅପରେସନ ଅଜୟ’ ରଖାଯାଇଛି। ଏଥିରେ ଇସ୍ରାଏଲରୁ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବିମାନର ବ୍ୟବସ୍ଥା କରାଯିବ। ଏନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି।

“ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ରହୁଥିବା ଭାରତୀୟମାନେ ସେଠାରେ ଆମ ଦୂତାବାସ ସହ ସମ୍ପର୍କରେ ଅଛନ୍ତି। ସେମାନଙ୍କୁ ଆଣିବା ପାଇଁ ଆମେ ଚାର୍ଟର ବିମାନର ବ୍ୟବସ୍ଥା କରିବୁ। ଯେଉଁମାନେ ଚାହିଁବେ ସେମାନେ ଭାରତ ଫେରିପାରିବେ”, କହିଛନ୍ତି ଏସ୍ ଜୟଶଙ୍କର।

ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ନାଗରିକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ହୀରା ବ୍ୟବସାୟୀ, ଶ୍ରମିକ ଓ ଅନ୍ୟ ଲୋକ ସାମିଲ ଅଛନ୍ତି। ତେବେ ସେମାନେ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି।

ହମାସ ସହ ଯୁଦ୍ଧ ଚାଲିଥିବାରୁ ଇସ୍ରାଏଲକୁ ଅନ୍ୟ ଦେଶରୁ ବିମାନ ସେବା ବନ୍ଦ ରହିଛି। ଏଥିପାଇଁ ଭାରତ ସମେତ ବିଭିନ୍ନ ଦେଶର ଲୋକେ ସେଠାରେ ଫସି ରହିଛନ୍ତି। ଭାରତୀୟ ନାଗରିକଙ୍କ ସୁରକ୍ଷିତ ଦେଶ ଫେରିବା ଦିଗରେ ଇସ୍ରାଏଲ ସରକାର ମଧ୍ୟ ସହାୟତା କରିବେ ବୋଲି କହିଛନ୍ତି।    

Tags: #Israel-HamasWar #IndiansinIsrael #OperationAjay #RescueOperation #India

Comment