ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ସ୍ଵଦେଶ ଫେରିଛନ୍ତି ୨୧୨ ଭାରତୀୟ ନାଗରିକ। ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅପରେସନ ଅଜୟ ଅଧୀନରେ ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିଛି। ଭାରତ ଫେରିଥିବା ନାଗରିକଙ୍କ ମଧ୍ୟରେ ଓଡ଼ିଶାର ୯ ଜଣ ଲୋକ ସାମିଲ ଅଛନ୍ତି।

ଅପରେସନ ଅଜୟ ଅଧୀନରେ ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନ ୨୧୨ ଭାରତୀୟ ନାଗରିକଙ୍କୁ ନେଇ ଗୁରୁବାର ରାତିରେ ଇସ୍ରାଏଲର ତେଲ ଅଭିଭରୁ ଉଡ଼ାଣ ଭରିଥିଲା। ଶୁକ୍ରବାର ସକାଳେ ଏହା ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ସ୍ଵଦେଶ ଫେରିଥିବା ଭାରତୀୟଙ୍କୁ ବିମାନବନ୍ଦରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ଵାଗତ କରିଥିଲେ।

ଇସ୍ରାଏଲରୁ ଫେରିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ଭାରତରେ ପହଞ୍ଚି ଆଶ୍ଵସ୍ତ ଥିବା ଦେଖିବାକୁ ମିଳିଥିଲା। ଅନେକ ଲୋକ ଯୁଦ୍ଧ ମଧ୍ୟରେ ସେଠାକାର ଭୟର ବାତାବରଣକୁ ମଧ୍ୟ ବର୍ଣ୍ଣନା କରିଥିଲେ। ଏବେ ଦିଲ୍ଲୀରୁ ସେମାନେ ନିଜ ନିଜ ରାଜ୍ୟକୁ ଯିବେ।     

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରୁ ଭାରତୀୟ ନାଗରିକକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଅପରେସନ ଅଜୟ ନାମକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରଥମ ବିମାନ ଭାରତ ଫେରିଥିବାବେଳେ ଆଗକୁ ଆହୁରି ମଧ୍ୟ ବିମାନରେ ଭାରତୀୟ ଆସିବେ।

ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ନାଗରିକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ହୀରା ବ୍ୟବସାୟୀ, ଶ୍ରମିକ ଓ ଅନ୍ୟ ଲୋକ ସାମିଲ ଅଛନ୍ତି। ତେବେ ସେମାନେ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି। ସେମାନଙ୍କ ସହାୟତା ପାଇଁ ଇସ୍ରାଏଲରେ ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।  

Tags: #Israel-HamasWar #IndiansinIsrael #OperationAjay #RescueOperation #India

Comment