ଓଡ଼ିଶାଲାଇଭ୍ ବ୍ୟୁରୋ

ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ୪୧ ଜଣ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ମଧ୍ୟରେ ଥିଲେ ଓଡ଼ିଶାର ୫ ଜଣ। ସମସ୍ତ ଓଡ଼ିଆ ଶ୍ରମିକ ଗୁରୁବାର ଦିନ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି। ଓଡ଼ିଶାର ଶ୍ରମିକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ବିଶ୍ଵେଶ୍ଵର ନାୟକ, କୁଲଡ଼ିହାର ରାଜୁ ନାୟକ, ବଡ଼କୁଦର ଧୀରେନ ନାୟକ, ନବରଙ୍ଗପୁର ଜିଲ୍ଲା ତାଳବେଡ଼ାର ଭଗବାନ ଭତ୍ରା ଏବଂ ଭଦ୍ରକ ଜିଲ୍ଲା ଶଙ୍କର୍ଷଣପୁରର ତପନ ମଣ୍ଡଳ। ଶ୍ରମିକମାନେ ଉଦ୍ଧାର ହେବା ପରେ ନିଜ ନିଜ ପରିବାର ସହ ଯୋଗାଯୋଗ କରିଛନ୍ତି।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସଫଳତା ପାଇଁ ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଶ୍ରମିକମାନଙ୍କ ମନୋବଳକୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ଉତ୍ତରାଖଣ୍ଡର ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା। ଏଥିରେ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ନଭେମ୍ବର ୧୨ ତାରିଖରେ କାମ ଚାଲୁଥିବାବେଳେ ଏହାର ଏକ ଅଂଶ ଭୁଷୁଡ଼ି ଯାଇଥିଲା। ଫଳରେ ୪୧ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫସି ଯାଇଥିଲେ।

ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ। କେବଳ ସେତିକି ନୁହେଁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବିଦେଶରୁ ପହଞ୍ଚିଥିଲେ ବିଶେଷଜ୍ଞ। ଶକ୍ତିଶାଳୀ ଅଗର ମେସିନ ଲଗାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଲା। ବହୁ ବାଧାବିଘ୍ନ ପରେ ଶେଷରେ ମିଳିଲା ସଫଳତା।

୪୧ ଜଣଙ୍କ ଜୀବନ ବଞ୍ଚାଇବାକୁ ଦିନ ରାତି ଏକ କରିଦେଇଥିଲେ ଉଦ୍ଧାରକାରୀ ଦଳ। ଶେଷରେ ୧୭ ଦିନରେ ମିଳିଲା ସଫଳତା। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Tags: #Uttarakhand #Uttarkashi #TunnelCollapse #Workers #RescueOperation

Comment