ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାର ୧୬ ଦିନପରେ ମଙ୍ଗଳବାର ଏହି ସଫଳତା ମିଳିଛି। ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ ଜାରି ରହିଛି।

ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚିବା ପାଇଁ ଛୋଟ ସୁଡ଼ଙ୍ଗ ଖୋଳା ଚାଲିଥିବାବେଳେ ଯନ୍ତ୍ରପାତିରେ ବାରମ୍ବାର ଅସୁବିଧା ଦେଖାଦେଉଥିଲା। ଗତ ନଭେମ୍ବର ୧୮ ତାରିଖରେ ଛୋଟ ସୁଡ଼ଙ୍ଗ ଖୋଳୁଥିବା ଅଙ୍ଗର ମେସିନ ଭାଙ୍ଗି ଯିବାରୁ ୧୧ ମିଟର ବାକିଥାଇ ଖନନ କାର୍ଯ୍ୟ ବନ୍ଦ ହୋଇଥିଲା। ଏହାପରେ ଉଦ୍ଧାରକାରୀ ଦଳ ମାନୁଆଲ୍ ଡ୍ରିଲିଂ ଆରମ୍ଭ କରିଥିଲେ।

ମାନୁଆଲ୍ ଡ୍ରିଲିଂ କରି ଉଦ୍ଧାରକାରୀମାନେ ଏବେ ଫସିଥିବା ଶ୍ରମିକମାନଙ୍କ ଖୁବ୍ ନିକଟତର ହୋଇଛନ୍ତି। ଆଉ କିଛି ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ବାହାରକୁ ଅଣାଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଶ୍ରମିକମାନଙ୍କ ଚିକିତ୍ସା ପାଇଁ ମୁଖ୍ୟ ସୁଡ଼ଙ୍ଗ ମୁହଁରେ ଅସ୍ଥାୟୀ ହସ୍ପିଟାଲର ନିର୍ମାଣ କରାଯାଇଛି। ଏଥିପାଇଁ ଏକାଧିକ ଶଯ୍ୟା ଓ ଚେୟାର ପ୍ରସ୍ତୁତ କରି ରଖାଯାଇଛି। ଏହାସହ ଘଟଣାସ୍ଥଳରେ ଏକ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି।

ଉକ୍ତ ସୁଡ଼ଙ୍ଗରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ସମେତ ବିହାରର ୬ ଜଣ, ଉତ୍ତରାଖଣ୍ଡର ୪ ଜଣ, ଉତ୍ତରପ୍ରଦେଶର ୮ ଜଣ, ଝାଡ଼ଖଣ୍ଡର ୧୫ ଜଣ, ଆସାମର ୨ ଜଣ, ହିମାଚଳପ୍ରଦେଶର ଜଣେ ଶ୍ରମିକ ଫସି ରହିଛନ୍ତି।

ଉତ୍ତରାଖଣ୍ଡର ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା। ଏଥିରେ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ନଭେମ୍ବର ୧୨ ତାରିଖରେ କାମ ଚାଲୁଥିବାବେଳେ ଏହାର ଏକ ଅଂଶ ଭୁଷୁଡ଼ି ଯାଇଥିଲା। ଫଳରେ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫସି ଯାଇଥିଲେ।

Tags: #Uttarakhand #Uttarkashi #TunnelCollapse #Workers #RescueOperation

Comment