ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଜଣ ଓଡ଼ିଆ ଶ୍ରମିକ ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରମିକମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ବିମାନରେ ଓଡ଼ିଶା ଫେରିଥିଲେ।

ଏବେ ଶ୍ରମିକମାନଙ୍କୁ ବିମାନବନ୍ଦରରୁ ଭୁବନେଶ୍ଵରର ସର୍କିଟ୍ ହାଉସକୁ ନିଆଯାଇଛି। ସେଠାରୁ ସେମାନେ ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେମାନେ ନିଜ ନିଜ ଘର ଅଭିମୁଖେ ଯିବେ।  

ତେବେ ଆଉ ଜଣେ ଓଡ଼ିଆ ଶ୍ରମିକ ତପନ ମଣ୍ଡଳ ଏବେ ରାଜ୍ୟକୁ ଫେରି ନାହାନ୍ତି। ସେ ତାଙ୍କ ଭାଇଙ୍କ ପରେ ଓଡ଼ିଶା ଆସିବେ।

ଉତ୍ତରକାଶୀର ନଭେମ୍ବର ୧୨ ତାରିଖରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଷୁଡ଼ି ଯିବାରୁ ମୋଟ ୪୧ ଜଣ ଶ୍ରମିକ ଏଥିରେ ଫସି ଯାଇଥିଲ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଞ୍ଜର ବିଶେଶ୍ଵର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ ରହିଥିଲେ।

ଦୀର୍ଘ ୧୭ ଦିନ ସୁଡ଼ଙ୍ଗରେ ଫସି ରହିବାପରେ ଗତ ନଭେମ୍ବର ୨୮ ତାରିଖରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଏମ୍ସ ଋଷିକେଶରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସା ପରେ ସମସ୍ତେ ନିଜ ନିଜ ଘରକୁ ଫେରୁଛନ୍ତି।   

Tags: #Uttarakhand #Uttarkashi #TunnelCollapse #OdiaWorkers #RescueOperation

Comment