ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ନଭେମ୍ବର ୧୨ ତାରିଖ ସକାଳଠାରୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଦିନରାତି ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ।

ଏକ ୩ ଫୁଟର ପାଇକ୍ ସହାୟତାରେ ସୁଡ଼ଙ୍ଗ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ। ବାହାର ପଟୁ ଏକ ଦଉଡ଼ି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ଷ୍ଟ୍ରେଚର ସହାୟତାରେ ଜଣ ଜଣ କରି ଶ୍ରମିକମାନଙ୍କୁ ସୁଡ଼ଙ୍ଗ ଭିତରୁ ଉଦ୍ଧାର କରାଯିବ। ଶୁକ୍ରବାର ଏହାର ଡେମୋ ଦେଖାଇଛି ଏନଡିଆରଏଫ ଟିମ୍।

ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ।। ଏହି ମିଶନରେ ସାମିଲ ହୋଇଛନ୍ତି ବିଦେଶରୁ ଆସିଥିବା ବିଶେଷଜ୍ଞ। ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବାଟ ଫିଟି ସାରିଛି। ଆଉ କିଛି ଘଣ୍ଟା ମଧ୍ୟରେ ଖୁସି ଖବର ଆସିବା ନେଇ ଅପେକ୍ଷାରେ ରହିଛନ୍ତି ସାରା ଦେଶବାସୀ।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କ ନିକଟକୁ ଖାଦ୍ୟ ଏବଂ ଅମ୍ଳଜାନ ନିୟମିତ ବ୍ୟବଧାନରେ ପଠାଯାଉଛି।

ନଭେମ୍ବର ୧୨ ତାରିଖ, ରବିବାର ସକାଳେ ଉତ୍ତରକାଶୀର ବ୍ରହ୍ମଖାଲ-ଯମୁନୋତୀ ଜାତୀୟ ରାଜପଥର ସିଲକୟାରା ଏବଂ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ କୌଣସି କାରଣରୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।

Tags: #Uttarakhand #Uttarkashi #TunnelCollapse #RescueOperation

Comment