ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୧ ଦିନ ହେଲା ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅକ୍ଲାନ୍ତ ପରିଶ୍ରମ। ଶ୍ରମିକମାନଙ୍କୁ ମରଣ ମୁହଁରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଦିନରାତି ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ। ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି।

ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସୁଡ଼ଙ୍ଗ ବାହାରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି।

ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ।  ଏହି ମିଶନରେ ସାମିଲ ହୋଇଛନ୍ତି ବିଦେଶରୁ ଆସିଥିବା ବିଶେଷଜ୍ଞ। ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବାଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସୁଡ଼ଙ୍ଗ ଭିତରକୁ ପ୍ରାୟ ୪୦ ମିଟର ଡ୍ରିଲିଂ କରାଯାଇଛି। ୬୦-୭୦ ମିଟର ଲମ୍ବ ପାଇପ୍ ତା’ ମଧ୍ୟକୁ ପ୍ରବେଶ କରାଯିବ। ଏହି ପାଇପ୍ ସହାୟତାରେ ଏନଡିଆରଏଫ୍ ଟିମ ଭିତରକୁ ଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବେ।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କ ନିକଟକୁ ଖାଦ୍ୟ ଏବଂ ଅମ୍ଳଜାନ ନିୟମିତ ବ୍ୟବଧାନରେ ପଠାଯାଉଛି।

ନଭେମ୍ବର ୧୨ ତାରିଖ, ରବିବାର ସକାଳେ ଉତ୍ତରକାଶୀର ବ୍ରହ୍ମଖାଲ-ଯମୁନୋତୀ ଜାତୀୟ ରାଜପଥର ସିଲକୟାରା ଏବଂ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ କୌଣସି କାରଣରୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।

Tags: #Uttarakhand #Uttarkashi #TunnelCollapse #RescueOperation

Comment