ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାକୁ ୧୫ ଦିନ ବିତିଛି। ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଜାରି ରହିଛି। ହେଲେ ବାରମ୍ବାର କିଛି ନା କିଛି କାରଣରୁ ଉଦ୍ଧାର ଅଭିଯାନରେ ବାଧା ସୃଷ୍ଟି ହେଉଛି।

ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚିବା ପାଇଁ ଛୋଟ ସୁଡ଼ଙ୍ଗ ଖୋଳା ଚାଲିଥିବା ବେଳେ ଯନ୍ତ୍ରପାତିରେ ଅସୁବିଧା ପରିଲକ୍ଷିତ ହେଉଛି। ସେଥିପାଇଁ କାମକୁ ଅଧାରୁ ଅଟକାଇବାକୁ ପଡ଼ୁଛି। ପ୍ରତିଥର ଲାଗୁଛି ଶ୍ରମିକମାନେ ଉଦ୍ଧାର ହୋଇଯିବେ, କିନ୍ତୁ ସେଭଳି କିଛି ହେଉନାହିଁ।

ଏବେ ସୁଡ଼ଙ୍ଗ ଖୋଳା ଯନ୍ତ୍ରପାତିଗୁଡ଼ିକ ବାରମ୍ବାର ଭାଙ୍ଗୁଥିବାରୁ ଉଦ୍ଧାରକାରୀ ଦଳ ମାନୁଆଲ୍ ଡ୍ରିଲିଂ ଆରମ୍ଭ କରିଛନ୍ତି। ଏଥିରେ ଆଉ ମାତ୍ର ୯ ମିଟରର ଦୂରତା ବାକି ରହିଛି। ହେଲେ ଏହା ସବୁଠାରୁ କଠିନ ରହିବ ବୋଲି କୁହାଯାଉଛି।

ଅନ୍ୟପଟେ ଉଦ୍ଧାର ଅଭିଯାନରେ ଏବେ ସେନାର ସହାୟତା ନିଆଯାଉଛି। ଶ୍ରମିକମାନଙ୍କୁ ବାହାର କରିବା ପାଇଁ ବିକଳ୍ପ ସ୍ଵରୂପ ସୁଡ଼ଙ୍ଗର ଉପରୁ ଆଉ ଏକ ରିଫ୍ଟ ଟନେଲ ଖୋଳାଯିବା କାମ ଆରମ୍ଭ ହୋଇଛି। ଏହାର ଓସାର ୧.୨ ମିଟର ରହିବ। ଏହାର ନିର୍ମାଣ କରିବା ପାଇଁ ଆହୁରି ପାଖାପାଖି ୪ ଦିନର ସମୟ ଲାଗିବ।

ଅନ୍ୟପଟେ ଏବେ ଫସିଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖାଯାଉଛି। ସେମାନଙ୍କ ନିକଟରେ ଟେଲିଫୋନର ସୁବିଧା ପହଞ୍ଚାଯାଇଛି। ଫଳରେ ସେମାନେ ଡାକ୍ତରଙ୍କ ସହ ସମ୍ପର୍କରେ ରହିବା ସହ ନିଜ ଘର ଲୋକଙ୍କ ସହ କଥାବାର୍ତ୍ତା କରିପାରୁଛନ୍ତି।

ଶ୍ରମିକମାନଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏହାସହ କ୍ୟାମେରା ମାଧ୍ୟମରେ ସେମାନଙ୍କ ଉପରେ ନଜର ରଖାଯାଉଛି।

ଉକ୍ତ ସୁଡ଼ଙ୍ଗରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ସମେତ ବିହାରର ୬ ଜଣ, ଉତ୍ତରାଖଣ୍ଡର ୪ ଜଣ, ଉତ୍ତରପ୍ରଦେଶର ୮ଜଣ, ଝାରଖଣ୍ଡର ୧୫ ଜଣ, ଆସାମର ୨ ଜଣ, ହିମାଚଳପ୍ରଦେଶର ଜଣେ ଶ୍ରମିକ ଫସି ରହିଛନ୍ତି।

ଉତ୍ତରାଖଣ୍ଡର ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା। ଏଥିରେ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ନଭେମ୍ବର ୧୨ ତାରିଖରେ କାମ ଚାଲୁଥିବାବେଳେ ଏହାର ଏକ ଅଂଶ ଭୁଷୁଡ଼ି ଯାଇଥିଲା। ଫଳରେ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫସି ଯାଇଥିଲେ।

Tags: #Uttarakhand #Uttarkashi #TunnelCollapse #Workers #RescueOperation

Comment