ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏହା ମଧ୍ୟରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ୫ ଦିନ ଧରି ଉଦ୍ୟମ ପରେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ।

ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଟିମ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି କେନ୍ଦ୍ର ସରକାର।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ପରିବାର ଆଶା ଏବଂ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହି ଘଟଣାକୁ ୫ ଦିନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସୁଡ଼ଙ୍ଗ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇନଥିବାରୁ ଅନ୍ୟ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି। ସେମାନଙ୍କ ନିକଟକୁ ଖାଦ୍ୟ ଏବଂ ଅମ୍ଳଜାନ ପଠାଯାଉଛି।

ରବିବାର ସକାଳେ ଉତ୍ତରକାଶୀର ବ୍ରହ୍ମଖାଲ-ଯମୁନୋତୀ ଜାତୀୟ ରାଜପଥର ସିଲକୟାରା ଏବଂ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ କୌଣସି କାରଣରୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।

Tags: #Uttarakhand #Uttarkashi #TunnelCollapse #RescueOperation

Comment