ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନରାତି ଏକ କରି ସାତଦିନ ହେଲା ନାକେଦମ ହେଲେଣି ଉଦ୍ଧାରକାରୀ ଦଳ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଫିଟୁନି ବାଟ।

ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏହା ମଧ୍ୟରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ଦିନରାତି ଏକ କରି ଦୀର୍ଘ ୭ ଦିନ ଧରି ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଥିଲେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବାଟ ଫିଟି ପାରୁନାହିଁ। ସମୟ ଯେତିକି ଗଡ଼ୁଛି ଆଶା ଓ ଆଶଙ୍କା ସେତିକି ବଢ଼ିବଢ଼ି ଚାଲିଛି।

ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଏହି ମିଶନରେ ଲାଗିପଡ଼ିଛନ୍ତି। ବିଦେଶରୁ ବିଶେଷଜ୍ଞ ମଧ୍ୟ ପହଞ୍ଚିଛନ୍ତି, କିନ୍ତୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବାଟ ଫିଟି ପାରୁନାହିଁ।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି। ସେମାନଙ୍କ ନିକଟକୁ ଖାଦ୍ୟ ଏବଂ ଅମ୍ଳଜାନ ପଠାଯାଉଛି। ପାଇପ୍ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଥିଲେ ମଧ୍ୟ ସଫଳତା ମିଳିପାରୁ ନାହିଁ।

ଶକ୍ତିଶାଳୀ ଅଗର ମେସିନ ସାହାଯ୍ୟରେ ୯୦୦ ମିଟର ହୁମ ପାଇପ ଭର୍ତ୍ତି କରାଯିବାକୁ ଯେଉଁ କାମ ଚାଲିଥିଲା ତାହା ଅଟକି ଯାଇଛି। ପାଇପ୍ ପ୍ରବେଶ କରାଇବା ପାଇଁ ଡ୍ରିଲିଂ ସମୟରେ ସମସ୍ୟା ହେଉଛି। ସୁଡ଼ଙ୍ଗ ଭିତରେ ଆହୁରି ମାଟି ଅତଡ଼ା ଧସିବା ନେଇ ଆଶଙ୍କା କରାଯାଉଛି।

ବିଜ୍ଞାନ ଏବଂ ଭଗବାନଙ୍କ ଭରସାରେ ରହିଛନ୍ତି ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକ, ସେମାନଙ୍କ ପରିବାର ଏବଂ ଶୁଭଚିନ୍ତକ। ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିବାବେଳେ ସୁଡ଼ଙ୍ଗ ନିକଟରେ ସମସଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରାଯାଉଛି।

ରବିବାର ସକାଳେ ଉତ୍ତରକାଶୀର ବ୍ରହ୍ମଖାଲ-ଯମୁନୋତୀ ଜାତୀୟ ରାଜପଥର ସିଲକୟାରା ଏବଂ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ କୌଣସି କାରଣରୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।

Tags: #Uttarakhand #Uttarkashi #TunnelCollapse #RescueOperation

Comment