ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ପଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଏହି ଯୁଦ୍ଧରେ ଦିନ ବିତିବା ସହ ହମାସର ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। ଏହିସବୁ ଦୃଶ୍ୟ ଆତଙ୍କବାଦର ଅସଲ ଚେହେରା ଲୋକଲୋଚନକୁ ଆଣୁଛି।

ଗାଜା ବର୍ଡର ନିକଟରେ ଥିବା ଇସ୍ରାଏଲର ‘କଫାର ଆଜା’ ନାମକ ଏକ ଜନବସତି ଅଞ୍ଚଳରେ ହମାସର ଆତଙ୍କବାଦୀଙ୍କ ବର୍ବରୋଚିତ ଗଣହତ୍ୟା ସମସ୍ତଙ୍କୁ ଚକିତ କରିଛି। ଏଠାରେ ଆତଙ୍କବାଦୀମାନେ ଅନେକ ଲୋକଙ୍କ ସହ ୪୦ ଜଣ ନିରୀହ ଶିଶୁଙ୍କୁ ବିଭତ୍ସ ହତ୍ୟା କରିବା ଘଟଣା ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କେମିତି ହୋଇଥିଲା ଆକ୍ରମଣ

ଶନିବାର ଇସ୍ରାଏଲର ବିଭିନ୍ନ ସହର ଉପରକୁ ଗାଜାରୁ ରକେଟ ମାଡ଼ ଚାଲୁଥିବାବେଳେ କଫାର ଆଜା ଅଞ୍ଚଳରେ ହମାସର ୭୦ରୁ ଅଧିକ ଆତଙ୍କବାଦୀ ପଶି ଯାଇଥିଲେ। ଗାଜା ବର୍ଡରରୁ ମାତ୍ର ୩ କିଲୋମିଟର ଦୂରରେ ପ୍ରାୟ ୪୦୦ ଲୋକ ରହୁଥିବା ଏହି ଅଞ୍ଚଳରେ ସେମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ସେଠାରେ ଦିନଚର୍ଯ୍ୟା ଆରମ୍ଭ କରୁଥିବା ଲୋକେ ଏହାକୁ ଦେଖି ଭୟଭୀତ ହୋଇ ନିଜ ଘରେ ଲୁଚି ଯାଇଥିଲେ।

ଏହାପରେ ଆତଙ୍କବାଦୀମାନେ ଘର ଘର ଯାଇ ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲେ। ସେଠାରେ ସେମାନେ ନିରୀହ ଶିଶୁମାନଙ୍କୁ ମଧ୍ୟ ଛାଡ଼ି ନଥିଲେ। ଆତଙ୍କବାଦୀ ୪୦ ଜଣ ଶିଶୁଙ୍କୁ ଗୁଳିମାରିବା ସହ କେତେକଙ୍କ ମୁଣ୍ଡ କାଟ ମଧ୍ୟ କରିଥିଲେ। ମୃତ ଶିଶୁଙ୍କ ମଧ୍ୟରେ ନବଜାତ ମଧ୍ୟ ସାମିଲ ଅଛନ୍ତି। ଅଧିକାଂଶ ଶିଶୁଙ୍କ ବୟସ ୬ ବର୍ଷ ଭିତରେ ହୋଇଥିବା କୁହାଯାଉଛି।  

ଆତଙ୍କବାଦୀମାନେ ଏଠାରେ କେବଳ ଲୋକଙ୍କ ହତ୍ୟାକାଣ୍ଡରେ ସୀମିତ ରହିନଥିଲେ, ବରଂ ପୋଷା କୁକୁର ଓ ବିଲେଇଙ୍କୁ ମଧ୍ୟ ନିଜ ଶିକାର ବନେଇଥିଲେ। ଏହାସହ ସେମାନେ କିଛି ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

ହତ୍ୟାକାଣ୍ଡ ଘଟେଇ ସାରିବା ପରେ ସେମାନେ ଅନେକ ଲୋକଙ୍କୁ ବନ୍ଦୀ ବନେଇ ଗାଜା ପଠାଇ ଦେଇଥିଲେ। ଏହାପରେ ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ କବ୍ଜା ହୋଇଥିଲା। ସେମାନେ ଲୋକଙ୍କୁ ହତ୍ୟା କରୁଥିବାର କିଛି ଭିଡିଓ ମଧ୍ୟ ବନେଇ ସୋସିଆଲ ମିଡିଆରେ ଛାଡ଼ିଥିଲେ।

ଇସ୍ରାଏଲର ସେନାର ପ୍ରତିକ୍ରିୟା

ତେବେ ମଙ୍ଗଳବାର ଉକ୍ତ ଅଞ୍ଚଳକୁ ଇସ୍ରାଏଲର ସେନା ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ପରେ ମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିଥିଲା। ଆତଙ୍କବାଦୀମାନେ ହତ୍ୟା ପରେ ଜାଳି ଦେଇଥିବା ଲୋକ ଓ ଶିଶୁଙ୍କ ମୃତ ଦେହକୁ ସେନା ଉଦ୍ଧାର କରିଥିଲା।

ଏହି ହତ୍ୟାକାଣ୍ଡରେ କଫାର ଆଜାରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ତେବେ ମୃତକଙ୍କ ପ୍ରକୃତ ସଂଖ୍ୟା ବାବଦରେ ଏବେ କୌଣସି ସୂଚନା ମିଳିନାହିଁ।

“କୌଣସି ଯୁଦ୍ଧରେ ସାଧାରଣ ଲୋକଙ୍କ ସମେତ ଶିଶୁଙ୍କ ଏଭଳି ହତ୍ୟା ଏକ ଅମାନବୀୟ ଘଟଣା। ହମାସ ଆତଙ୍କବାଦୀମାନେ ନୃଶଂସତାର ସବୁ ସୀମା ଉଲଘଂନ କରିଛନ୍ତି। ଏହି ଗଣହତ୍ୟା ସେମାନଙ୍କ ପ୍ରକୃତ ଚରିତ୍ରକୁ ଉଜାଗର କରୁଛି। ଆମେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ”, କହିଛନ୍ତି ଇସ୍ରାଏଲର ସେନା ଅଧିକାରୀ ମେଜର ଜେନେରାଲ ଇତାଇ ଭେରୁଭ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ଵରେ ଏହାକୁ ନିନ୍ଦା କରାଯାଉଛି। ଖାସ କରି ଇସ୍ରାଏଲର ନାଗରିକଙ୍କୁ ଏହା ଶକ୍ତ ଝଟକା ଦେଇଛି। ସେମାନଙ୍କ ମନରେ ହମାସ ପାଇଁ ଥିବା ପ୍ରତିଶୋଧର ନିଆଁକୁ ଆହୁରି ତୀବ୍ର କରିଛି। ଏହାସହ ହମାସର ଅନ୍ତ କରିବା ପାଇଁ ଇସ୍ରାଏଲ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି।  

Tags: #Israel-PalestineConflict #Hamas #KfarAzaMassacre #TerroristAttack #Israel       

Comment