ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ହମାସ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେବାରେ ଲାଗିଛି ଇସ୍ରାଏଲ। ଏବେ ଇସ୍ରାଏଲର ସମର୍ଥନରେ ଆମେରିକା ଆଗକୁ ଆସିଛି।

ଅନେକ ପରିମାଣର ଯୁଦ୍ଧାସ୍ତ୍ର ନେଇ ଆମେରିକୀୟ ବାୟୁସେନାର ବିମାନ ଇସ୍ରାଏଲରେ ପହଞ୍ଚିଛି। ଏହାସହ ଆମେରିକାର ନୌସେନାର ବିମାନବାହୀ ଯୁଦ୍ଧ ପୋତ ଇସ୍ରାଏଲ ଉପକୂଳରେ ପହଞ୍ଚିଛି। ଅନ୍ୟପଟେ ଗୁରୁବାର ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ସାକ୍ଷାତ କରିଛନ୍ତି।

“ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଅତି ନିନ୍ଦନୀୟ। ଏହାର କଡ଼ା ଜବାବ ଦେବା ଓ ନିଜ ନାଗରିକଙ୍କ ସୁରକ୍ଷା କରିବାର ଅଧିକାର ଇସ୍ରାଏଲ ପାଖରେ ଅଛି। ଏହି କଠିନ ପରିସ୍ଥିତିରେ ଆମେ ଇସ୍ରାଏଲ ସହ ଠିଆ ହୋଇଛୁ”, କହିଛନ୍ତି ଆଣ୍ଟୋନି ବ୍ଲିଙ୍କେନ।

ସେହିପରି ଇସ୍ରାଏଲ ଓ ହମାସ ଯୁଦ୍ଧରେ ଅନ୍ୟ କୌଣସି ଦେଶ ବା ସଂଗଠନ ଇସ୍ରାଏଲ ବିରୋଧରେ ନଯିବାକୁ ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇଛି। ହମାସର ଅନ୍ତ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ୍’ ଭଳି ହେବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଗାଜାରେ ହମାସ ଅପହରଣ କରି ରଖିଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଓ ଆମେରିକା ଯୋଜନା କରୁଛନ୍ତି। ଏଥିରେ ଆମେରିକାର ସେନା ଇସ୍ରାଏଲର ସହାୟତା କରିବ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଶନିବାର ହୋଇଥିବା ହମାସର ଆକ୍ରମଣରେ ଏବେ ଯାଏଁ ଇସ୍ରାଏଲରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ ଏହାର ଜବାବ ଦେବାକୁ ଇସ୍ରାଏଲ କରିଥିବା ପ୍ରତି ଆକ୍ରମଣରେ ଗାଜାରେ ପ୍ରାୟ ୧୪୦୦ ଆତଙ୍କବାଦୀଙ୍କ ସମେତ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

Tags: #Israel-PalestineConflict #Hamas #TerroristAttack #USA #Israel       

Comment