ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ୨୫ ଦିନରେ ପହଞ୍ଚିଛି। ଇସ୍ରାଏଲ ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ଧ୍ଵଂସ କରିବାରେ ଲାଗିଛି। ଗାଜାରେ ଇସ୍ରାଏଲର ବାୟୁସେନା ବୋମା ବର୍ଷାଉଥିବାବେଳେ ଦେଶର ସ୍ଥଳସେନା ମଧ୍ୟ ଏବେ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଆକ୍ରମଣରେ ଗାଜାରେ ଏ ଯାଏଁ ୮ ହଜାର ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଇସ୍ରାଏଲର ସ୍ଥଳସେନା ଗାଜାରେ ଉତ୍ତର ଓ ପୂର୍ବ ଦିଗରୁ ପଶିବା ଆରମ୍ଭ କରିଛି। ଇସ୍ରାଏଲର ଶହ ଶହ ଟ୍ୟାଙ୍କ ଏବେ ଗାଜାର ରାସ୍ତାରେ ଘୁରି ବୁଲୁଛନ୍ତି। ଏହି ସ୍ଥଳ ଅଭିଯାନରେ ହମାସର ପ୍ରାୟ ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଏଥିରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

“ଇସ୍ରାଏଲ ସେନା ଏବେ ଗାଜାରେ ହମାସ ବିରୋଧରେ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ସେମାନେ ଗାଜାରେ ଭୂମି ଉପରେ ଓ ଭୂତଳରେ ଥିବା ହମାସର ସବୁ ଆତଙ୍କବାଦୀଙ୍କୁ ନିପାତ କରିବେ। ଏହି ସ୍ଥଳ ଅଭିଯାନ କଠିନ ରହିବ ଓ ବହୁତ ଦିନ ଯାଏଁ ଚାଲିବ। ହମାସର ଅନ୍ତ ନହେବା ଯାଏଁ ଏହି ଯୁଦ୍ଧ ଜାରି ରହିବ। ଆମେ କୌଣସି ପରିସ୍ଥିତିରେ ହମାସ ସହ ଯୁଦ୍ଧ ବିରତି ଘୋଷଣା କରିବୁ ନାହିଁ”, କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ।

ଅନ୍ୟପଟେ ହମାସ ବନ୍ଧକ ବନେଇଥିବା ଇସ୍ରାଏଲ ନାଗରିକକୁ ମୁକୁଳାଇବା ପାଇଁ ଏବେ ସେଠାକର ସରକାରଙ୍କ ଉପରେ ବହୁତ ଚାପ ରହିଛି। ଏଥିପାଇଁ ଇସ୍ରାଏଲ ସେନା ସ୍ଵତନ୍ତ୍ର ଅଭିଯାନ ଚଳାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।  

ସେହିପରି ଏବେ ଯୁଦ୍ଧ ଯୋଗୁଁ ଗାଜାର ଉତ୍ତର ଭାଗରେ ରହୁଥିବା ଲୋକଙ୍କୁ ସେମାନଙ୍କ ଘର ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛି ଇସ୍ରାଏଲ। ଏଥିପାଇଁ ଗାଜାବାସୀ ଅନେକ ସଂଖ୍ୟାରେ ଦକ୍ଷିଣ ଦିଗକୁ ଯାଉଥିବା ଦେଖିବାକୁ ମିଳିଛି।

ତେବେ ଯୁଦ୍ଧ ଯୋଗୁଁ ଗାଜାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଖାଦ୍ୟ, ପାଣି, ତୈଳ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଯୁଦ୍ଧ ଯୋଗୁଁ ଗାଜାକୁ ସବୁ କିଛି ଯୋଗାଣ ବନ୍ଦ ହୋଇଯାଇଛି। ଏବେ ଗାଜାକୁ କେବେଳ ଇଜିପ୍ଟରୁ ହିଁ କିଛି ମାତ୍ରାରେ ମାନବୀୟ ସହାୟତା ପହଞ୍ଚୁଛି, ଯାହା ଲୋକଙ୍କ ପାଇଁ ଯଥେଷ୍ଟ ହେଉନାହିଁ।

Tags: #Israel-HamasWar #Gaza #GroundOperation #Hamas #TerroristAttack #Israel       

Comment