ଓଡ଼ିଶାଲାଇଭ୍ ବ୍ୟୁରୋ

ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର କଡ଼ା ଜବାବ ଦେଉଛି ଇସ୍ରାଏଲ। ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣା ଉପରେ ଇସ୍ରାଏଲର ଘନ ଘନ ବୋମା ବର୍ଷା ଜାରି ରହିଛି। ଏହି ଯୁଦ୍ଧରେ ଏବେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁହ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଇସ୍ରାଏଲ ଦକ୍ଷିଣରେ ହମାସ ସହ ଲଢ଼ୁଥିବାବେଳେ ଦେଶର ଉତ୍ତର ଦିଗରୁ ହିଜବୁହ୍ଲାର ଆତଙ୍କବାଦୀମାନେ ଆକ୍ରମଣ ଆରମ୍ଭ କରିଥିବା ସୂଚନା ମିଳିଛି। ହେଲେ ଇସ୍ରାଏଲର ସେନାର ଆକ୍ରମଣରେ ସେମାନଙ୍କୁ ପ୍ରତିହତ କରିଛନ୍ତି। ଏଥିରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେହିପରି ଦକ୍ଷିଣ ଲେବାନନରେ ହିଜବୁହ୍ଲାର ଆଡ୍ଡା ଉପରେ ଇସ୍ରାଏଲ ବୋମା ମାଡ଼ କରିଛି।

ଅନ୍ୟପଟେ ହମାସର ଆକ୍ରମଣରେ ଏବେ ସୁଦ୍ଧା ଇସ୍ରାଏଲର ପ୍ରାୟ ହଜାରେ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ଆମେରିକା, ବ୍ରିଟେନ, ଥାଇଲାଣ୍ଡ ଓ ନେପାଳ ଭଳି ଦେଶର ଲୋକ ମଧ୍ୟ ସାମିଲ ଅଛନ୍ତି। ସେହିପରି ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି।

ଏହାମଧ୍ୟରେ ଗାଜାକୁ ବିଜୁଳି, ପାଣି, ଖାଦ୍ୟ, ତେଲ ଓ ଅନ୍ୟାନ୍ୟ ସାମଗ୍ରୀର ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି ଇସ୍ରାଏଲ। ଏହାର ପ୍ରଭାବ ଗାଜାର ସାଧାରଣ ଲୋକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି।

ସେହିପରି ଆକ୍ରମଣକୁ ଆହୁରି ତୀବ୍ର କରିବା ପାଇଁ ଇସ୍ରାଏଲ ନିଜର ୩ ଲକ୍ଷରୁ ଅଧିକ ରିଜର୍ଭ ସୈନିକମାନଙ୍କୁ ଡ୍ୟୁଟିରେ ସାମିଲ କରୁଛି। ଅଧିକାଂଶ ସୈନ୍ୟଙ୍କୁ ପାଲେଷ୍ଟାଇନ ସୀମାରେ ମୁତୟନ କରାଯାଉଛି। ଅନ୍ୟପଟେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ଲୁଚିଥିବା ହମାସ ଆତଙ୍କବାଦୀଙ୍କୁ ମାରିବାରେ ଲାଗିଛି ଇସ୍ରାଏଲ ସେନା। ଏହାଛଡ଼ା ସେମାନେ ହମାସ ବନ୍ଧକ ବନେଇଥିବା ଲୋକମାନଙ୍କୁ ମଧ୍ୟ ମୁକ୍ତ କରୁଛନ୍ତି।    

ଏହି ଯୁଦ୍ଧରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଇସ୍ରାଏଲକୁ ସମର୍ଥନ କରିଛନ୍ତି। ଆମେରିକା ଇସ୍ରାଏଲକୁ ଗୁଳି ଗୋଳା ସମତେ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀର ଯୋଗାଣ ଆରମ୍ଭ କରିଛି। ଏହାଛଡ଼ା ଆମେରିକୀୟ ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ୍ ଜେରାଲ୍ଡ ଆର୍ ଫୋର୍ଡ ସମେତ ଅନ୍ୟାନ୍ୟ ଯୁଦ୍ଧପୋତ ଇସ୍ରାଏଲ ଉପକୂଳରେ ପହଞ୍ଚିଛି।

ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ସେ ଯୁଦ୍ଧର ବର୍ତ୍ତମାନର ସ୍ଥିତି ବାବଦରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।   

ଅନ୍ୟପଟେ ଇରାନ ଏହି ଯୁଦ୍ଧରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବାବେଳେ ଏବେ ସାଉଦି ଆରବ ମଧ୍ୟ ପାଲେଷ୍ଟାଇନର ସମର୍ଥନରେ ବାହାରିଛି। ତେବେ ଆଗକୁ ଏହି ଯୁଦ୍ଧ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।         

Tags: #Israel-PalestineConflict #Hamas #TerroristAttack #ActofWar #Israel #GazaStrip

Comment