ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ହମାସକୁ କଡ଼ା ଜବାବ ଦେବା ପାଇଁ ଇସ୍ରାଏଲ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ଭୟଙ୍କର ବୋମା ବର୍ଷଣ ଜାରି ରଖିଛି। ଏବେ ସୁଦ୍ଧା ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲରେ ୭୦୦ରୁ ଅଧିକ ଲୋକେ ପ୍ରାଣ ହରାଇ ସାରିଲେଣି। ସେହିପରି ଇସ୍ରାଏଲର ଆକ୍ରମଣରେ ଗାଜାରେ ପ୍ରାୟ ୪୦୦ ଆତଙ୍କବାଦୀ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

କେମିତି ଆରମ୍ଭ ହେଲା ଯୁଦ୍ଧ

ଶନିବାର ସକାଳେ ହମାସ ଅପରେସନ ‘ଅଲ୍-ଅକ୍ସା ଫ୍ଲଡ’ ଆରମ୍ଭ କରି ଦକ୍ଷିଣ ଓ ପୂର୍ବ ଇସ୍ରାଏଲର ବିଭିନ୍ନ ସହର ଉପରକୁ ଗାଜାରୁ ୫ ହଜାରରୁ ଅଧିକ ରକେଟ ମାଡ଼ କରିଥିଲା। ଏହାସହ ହଜାରେରୁ ଅଧିକ ହମାସ ଆତଙ୍କବାଦୀ ଇସ୍ରାଏଲର ବିଭିନ୍ନ ସହରରେ ପଶି ଲୋକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଗାଜା ବର୍ଡର ନିକଟରେ ରହୁଥିବା ଲୋକେ ସେମାନଙ୍କ ଆକ୍ରମଣର ପ୍ରଥମ ଶିକାର ହୋଇଥିଲେ। ଏଥିରେ ଅନେକ ସୈନିକଙ୍କ ସମେତ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଗାଜା ବର୍ଡର ନିକଟରେ ଚାଲୁଥିବା ଏକ ମ୍ୟୁଜିକ ଫେଷ୍ଟିଭାଲ ଉପରେ ଆକ୍ରମଣ କରିଥିଲେ। ଏହି ଫେଷ୍ଟିଭାଲରେ ପ୍ରାୟ ୨ରୁ ୩ ହଜାର ଲୋକ ଥିବାବେଳେ ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଚାରିଆଡ଼ୁ ଗୁଳି ଚଳାଇଥିଲେ। ଅନେକ ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ିବାର ଦେଖିବାକୁ ମିଳିଥିଲା।

କେବଳ ଏହି ଫେଷ୍ଟିଭାଲ ହେଉଥିବା ଅଞ୍ଚଳରୁ ହିଁ ୨୬୦ ଇସ୍ରାଏଲ ଲୋକଙ୍କ ମୃତଦେହ ମିଳିଛି। ସେହିପରି ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ଗାଜା ବର୍ଡର ନିକଟରେ ଥିବା ଗୋଟିଏ ପରେ ଗୋଟିଏ ଘରକୁ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ।    

ଇସ୍ରାଏଲର ପ୍ରତିଶୋଧ

ଏବେ ଅନେକ ଆତଙ୍କବାଦୀ ଇସ୍ରାଏଲର ବିଭିନ୍ନ ସ୍ଥାନରେ ଲୁଚି ଆକ୍ରମଣ କରୁଛନ୍ତି। ସେମାନଙ୍କୁ ବିରୋଧରେ ଇସ୍ରାଏଲ ଅପରେସନ ‘ସ୍ଵର୍ଡସ୍ ଅଫ ଆଇରନ’ ଆରମ୍ଭ କରିଛି। ଏହା ଅନ୍ତର୍ଗତ ଇସ୍ରାଏଲ ସେନା ଅନେକ ଆତଙ୍କବାଦୀଙ୍କୁ ମାରି ସାରିଲାଣି। ସେହିପରି ଇସ୍ରାଏଲର ବାୟୁସେନା ଗାଜାରେ ହମାସର ଠିକଣାକୁ ଧ୍ୱଂସ କରୁଛି।  

ହମାସ ବିରୋଧରେ ଯୁଦ୍ଧ ପାଇଁ ଇସ୍ରାଏଲର ବହୁ ନାଗରିକ ସେନାରେ ନିଜର ରିଜର୍ଭ ଡ୍ୟୁଟିକୁ ଫେରୁଛନ୍ତି। ଅଧିକରୁ ଅଧିକ ସୈନିକଙ୍କ ସହ ବହୁ ପରିମାଣର ଗୋଳାବାରୁଦ ଗାଜା ବର୍ଡରକୁ ପଠାଯାଇଛି। ଇସ୍ରାଏଲର ଅଧିକାଂଶ ନାଗରିକ ଏହି ଯୁଦ୍ଧକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।  

ଅନ୍ୟପଟେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ବହୁ ସୈନିକ ଓ ଲୋକମାନଙ୍କୁ ଗାଜାରେ ବନ୍ଦୀ ବନେଇଛନ୍ତି। ବନ୍ଧକମାନଙ୍କ ମଧ୍ୟରେ ଅନ୍ୟ କିଛି ଦେଶର ନାଗରିକ ମଧ୍ୟ ସାମିଲ ଅଛନ୍ତି। ଯାହା ଏବେ ଇସ୍ରାଏଲ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହମାସ କବଳରୁ ନିଜ ନାଗରିକ ଓ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ଏବେ ପ୍ରସ୍ତୁତ ହେଉଛି ଇସ୍ରାଏଲ।

ଅନ୍ୟ ଦେଶମାନଙ୍କ ପ୍ରତିକ୍ରିୟା

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଏବେ ବିଶ୍ଵର ବିଭିନ୍ନ ଦେଶ ଦୁଇଭାଗରେ ବାଣ୍ଟି ହୋଇଯାଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଭାରତ, କାନାଡା, ବ୍ରାଜିଲ ସମେତ ଅନେକ ଦେଶ ହମାସର ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଇସ୍ରାଏଲକୁ ପ୍ରତିରକ୍ଷା ସହାୟତା ଦେବା ପାଇଁ ଆମେରିକା ପ୍ରତିଶ୍ରୁତି ମଧ୍ୟ ଦେଇଛି।

ଅନ୍ୟପଟେ ଇରାନ ହମାସର ଏହି ଆକ୍ରମଣକୁ ସମର୍ଥନ କରିଛି। ପାଲେଷ୍ଟାଇନର ସ୍ଵାଧିନତା ପାଇଁ ହମାସ ଆକ୍ରମଣ କରିଥିବା ଇରାନ ପକ୍ଷରୁ କୁହାଯାଇଛି। ହମାସର ଆକ୍ରମଣ ପଛରେ ଇରାନର ହାତଥିବା ଅଭିଯୋଗ ହେଉଛି।

ସେହିପରି ରୁଷ, ଚୀନ, ପାକିସ୍ତାନ, ଓମାନ, ସାଉଦି ଆରବ ଭଳି ଦେଶ ଉଭୟ ପକ୍ଷଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ଯୁଦ୍ଧରେ ଉଭୟ ପଟେ ସାଧାରଣ ଲୋକଙ୍କ ମୃତ୍ୟୁ ବନ୍ଦ ହେବା ଦରକାର ବୋଲି ସେମାନେ କହିଛନ୍ତି। ତେବେ ହମାସର ଅନ୍ତ ନହେବା ଯାଏଁ ଏହି ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ସରକାର କହିଛନ୍ତି। ଏଥିପାଇଁ ଉଭୟ ପକ୍ଷରେ ଆହୁରି ଧନ ଜୀବନ ନଷ୍ଟ ହେବ ବୋଲି ଆଶଙ୍କା କରାଯାଉଛି।   

Tags: #Israel-PalestineConflict #Hamas #TerroristAttack #ActofWar #Israel #GazaStrip

Comment