ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ମଧ୍ୟ-ପୂର୍ବ ଏସିଆରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ହମାସ ଉପରେ ଯୁଦ୍ଧ ଘୋଷଣା କରି ଆକ୍ରମଣ କରିଛି। ଶନିବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ଯୁଦ୍ଧ ଘୋଷଣା କରିଥିଲେ।

ଶନିବାର ସକାଳେ ଆତଙ୍କବାଦୀ ସଂଗଠନ ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରୁ ଇସ୍ରାଏଲର ବିଭିନ୍ନ ସହର ଉପରେ ଘନ ଘନ ରକେଟ୍ ମାଡ଼ କରିଥିଲା। ୫ ହଜାରରୁ ଅଧିକ ରକେଟ୍ ମାଡ଼ରେ କମ୍ପି ଉଠିଥିଲା ଇସ୍ରାଏଲ୍।

ଅଧିକାଂଶ ରକେଟକୁ ଇସ୍ରାଏଲର ଆଇରନ ଡୋମ୍ ମିଜାଇଲ ଡିଫେନ୍ସ ସିଷ୍ଟମ ରୋକି ଦେଇଥିଲେ ମଧ୍ୟ କିଛି ରକେଟ ଆସି ଜନବସତି ପଡ଼ିଥିଲା। ଏଥିରେ ଇସ୍ରାଏଲର ୨୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହାସହ ଅନେକ ଲୋକ ଆହତ ହୋଇଥିଲେ। ଇସ୍ରାଏଲର ତେଲ୍ ଅଭିଭ୍ ସହରରେ ସର୍ବାଧିକ ରକେଟ ମାଡ଼ ହୋଇଥିଲା।

ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଇସ୍ରାଏଲର ବାୟୁସେନା ଗାଜା ଷ୍ଟ୍ରିପରେ ଭୟଙ୍କର ବୋମା ବର୍ଷଣ ଜାରି ରଖିଛି। ଗାଜାରେ ଗୋଟିଏ ପରେ ଗୋଟିଏ ହମାସର ଠିକଣାକୁ ଧ୍ଵଂସ କରୁଛି ଇସ୍ରାଏଲ।

ଇସ୍ରାଏଲର ଆକ୍ରମଣରେ ଗାଜାରେ ଅନେକ ଆତଙ୍କବାଦୀଙ୍କ ସହ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆତଙ୍କବାଦୀ ଗାଜାରୁ ଇସ୍ରାଏଲ ଭିତରକୁ ପଶି ଆସିଥିବା ଇସ୍ରାଏଲର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।   

ହମାସ ବିରୋଧରେ ଯୁଦ୍ଧ ପରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଛି। ଦେଶର ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଇସ୍ରାଏଲର ନାଗରିକମାନେ ମଧ୍ୟ ହମାସ ବିରୋଧରେ ଯୁଦ୍ଧକୁ ସମର୍ଥନ କରିଛନ୍ତି।

ଅନ୍ୟପଟେ ଏହି ଯୁଦ୍ଧ ଘୋଷଣା ପରେ ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବା ପାଇଁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ତେବେ ଅନ୍ୟ ଦେଶମାନେ ଏ ଯାଏଁ ଏହି ଯୁଦ୍ଧକୁ ନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଏହାପୂର୍ବରୁ ୨୦୨୧ ମସିହା ମେ’ ମାସରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ହୋଇଥିଲା।    

Tags: #Israel-PalestineConflict #Hamas #ActofWar #Israel #GazaStrip

Comment