ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଛନ୍ତି ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀ। ସେମାନେ ଇସ୍ରାଏଲର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଛନ୍ତି। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ହେଲେ ଯୁଦ୍ଧ ଯୋଗୁଁ ସେଠାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।

ତେବେ ଯୁଦ୍ଧ ଯୋଗୁଁ ଇସ୍ରାଏଲର ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ ହୋଇଥିବାରୁ ବାହାର ଦେଶର ଛାତ୍ରଛାତ୍ରୀମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏବେ ସେମାନେ ବାହାରକୁ ଯାଉନାହାନ୍ତି। ହମାସର ରକେଟ ଆକ୍ରମଣ ବେଳେ ସାଇରନ ବାଜିଲେ ସେମାନେ ସବୁ ବମ ସେଲଟର ଭିତରେ ଆଶ୍ରୟ ନେଉଛନ୍ତି।

ସେହିପରି ଇସ୍ରାଏଲ ସେନା ପକ୍ଷରୁ ସବୁ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ଅତି କମରେ ୭୨ ଘଣ୍ଟା ପାଇଁ ଖାଦ୍ୟ ପାନୀୟ ଜମା କରି ରଖିବାକୁ କୁହାଯାଇଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଛି।

ଏବେ ଇସ୍ରାଏଲକୁ ଭାରତ ସମେତ ବିଭିନ୍ନ ଦେଶରୁ ବିମାନ ଚଳାଚଳ ବନ୍ଦ ରହିଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି। ଅକ୍ଟୋବର ୧୪ ତାରିଖ ଯାଏଁ ଇସ୍ରାଏଲକୁ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ପୁଣି ଏହା କେବେ ସ୍ଵାଭାବିକ ହେବେ ସେନେଇ ଛାତ୍ରଛାତ୍ରୀମାନେ ଦ୍ଵନ୍ଦ୍ଵରେ ରହିଛନ୍ତି।

ଇସ୍ରାଏଲରେ ଓଡ଼ିଶା ସମେତ ଭାରତର ପ୍ରାୟ ୧୮ ହଜାର ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମେତ ଆଇଟି କ୍ଷେତ୍ରରେ ଚାକିରି କରୁଥିବା ଲୋକ ଓ ଅନ୍ୟାନ୍ୟ ଶ୍ରମିକ ରହିଛନ୍ତି।  ସେମାନଙ୍କୁ ଇସ୍ରାଏଲରେ ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Tags: #Israel-PalestineConflict #Hamas #TerroristAttack #OdiaStudents #Israel

Comment