ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଉପକୂଳ ଅଞ୍ଚଳର ପରିବେଶ ଏବଂ ଜୀବିକାର୍ଜନ ଉଦ୍ଦେଶ୍ୟରେ ଆହ୍ଵନ’ ପ୍ରସଙ୍ଗକୁ ନେଇ ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଓ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରାଳୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡର ମିଳିତ ସହଯୋଗରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁବାସ ଚନ୍ଦ୍ର ସାନ୍ତ୍ରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଓଡ଼ିଶା ପରିବେଶ ସୋସାଇଟିର ସେକ୍ରେଟାରି ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ।

ଉପକୂଳ ଅଞ୍ଚଳର ପରିବେଶରେ ବସବାସ କରୁଥିବା ଲୋକମାନଙ୍କ ଜୀବନଯାପନ ଓ ଜୀବିକା ପ୍ରତି ରହିଥିବା ପ୍ରଭାବ ଦେଖାଯାଉଥିବା ଜଟିଳତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।

ଏହି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀର ବୈଷୟିକ ଅଧିବେଶନ ଗୁଡ଼ିକରେ ଭାରତର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଶେଷଜ୍ଞମାନେ ଯୋଗ ଦେବେ।

ଏହି ଦୁଇଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଚାରୋଟି ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ, ଉପକୂଳିଆ ଜଳଉତ୍ସ ଏବଂ ଏହାର ପରିଚାଳନା (ଲୁଣିଆ ଜଳ, ଫ୍ଲୋରାଇଡ୍ ପ୍ରଦୂଷଣ), ଉପକୂଳର ପରିବେଶ ପ୍ରଦୂଷଣର କାରଣ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା, ଉପକୂଳିଆ ଖଣିଖାଦାନର ପରିସର ଏବଂ ପରିବେଶ, ଉପକୂଳ ପରିବେଶର ପରିବର୍ତ୍ତନ ପ୍ରଭାବ ଓ ଏହାର ଆକଳନ, ଉପକୂଳଗତ ଜୈବ ବିବିଧତାର ନିରୀକ୍ଷଣ ଓ ସଂରକ୍ଷଣ, ସାମୁଦ୍ରିକ/ଇଷ୍ଟୁଆରିଆନ୍ ମାଇକ୍ରୋବାୟଲ୍ ବିବିଧତା ଏବଂ ଏହାର ଗୁରୁତ୍ୱ, ଏହି ଅଞ୍ଚଳର ବାୟୋ-ଅନୁସନ୍ଧାନ ବାୟୋଟେକ୍ନୋଲୋଜିକାଲ୍ ପଦ୍ଧତିରେ ଜୈବ ଉତ୍ସଗୁଡ଼ିକ ମାଧ୍ୟମରେ ଉପଯୋଗ, ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ କୃଷି, ଓଡ଼ିଶା ତଟରେ ସାମୁଦ୍ରିକ ମତ୍ସ୍ୟଚାଷର ଅତୀତ ଏବଂ ବର୍ତ୍ତମାନର ସ୍ଥିତି ଆକଳନ ଇତ୍ୟାଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଉଦଘାଟନୀ ଉତ୍ସବରେ ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ଉଦବୋଧନ ଦେଇ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କ ଅବଗତ କରିଥିଲେ। ବିଭାଗର ଅଧ୍ୟାପିକା ଅର୍ପିତା ବାନାର୍ଜୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ସମ୍ମିଳନୀର ସଂଯୋଜକ ଡକ୍ଟର ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #InternationalConference #CoastalZoneEnvironmentandLivelihoodChallenges #FakirmohanUniversity #Balasore

LEAVE A REPLY

Please enter your comment!
Please enter your name here