ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଲେଖିକା ତଥା ଅଧ୍ୟାପିକା ଦେବଯାନୀ ଦାସଙ୍କ ଗଳ୍ପ ଓ ଉପନ୍ୟାସ ଉନ୍ମୋଚିତ ହୋଇଯାଇଛି। ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗେଦେଇ ଏହାକୁ ଉନ୍ମୋଚନ କରିଥିଲେ।
ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଦେବଯାନୀ ଦାସଙ୍କ ‘ଏବଂ ଇତ୍ୟାଦି’ର ଉନ୍ମୋଚନ ଓ ‘ଅପୂର୍ଣ୍ଣ ପୂର୍ଣ୍ଣତା’ର ଆଲୋଚନା ସଭା ସ୍ଥାନୀୟ ଶାନ୍ତିକାନନସ୍ଥିତ ସଭାଗୃହରେ ଅନୁଷ୍ଠିତ ହେଇଯାଇଛି।
ଏଥିରେ ‘ଏବଂ ଇତ୍ୟାଦି’ର ସମୀକ୍ଷକ ଭାବରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଯୋଗଦେଇ ଦେବଯାନୀଙ୍କ ଗଳ୍ପରେ ଜୀବନ ପ୍ରବାହ, ଆଧ୍ୟାତ୍ମିକତା ତଥା ପ୍ରେମର ଉତ୍ତରଣ, ଭାଷା ବିନ୍ୟାସ ଅତି ଆକର୍ଷଣୀୟ ବୋଲି କହିଥିଲେ। ଲେଖିକା ତାଙ୍କ ଗଳ୍ପରେ ଦୂବରେ ଦାରୁ ଦର୍ଶନ କରାଇଛନ୍ତି ବୋଲି ଡକ୍ଟର ପାତ୍ର ମତବ୍ୟକ୍ତ କରିଥିଲେ।
ଅନ୍ୟତମ ସମୀକ୍ଷକ ଭାବେ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ଯୋଗଦେଇ ଉପନ୍ୟାସ ‘ଅପୂର୍ଣ୍ଣ ପୂର୍ଣ୍ଣତା’ର ସମୀକ୍ଷା କରିଥିଲେ। ଏହି ଉପନ୍ୟାସ ଭିତରେ ଭାରତର ଆତ୍ମା ରହିଛି ବୋଲି ସେ କହିଥିଲେ।
ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ଵତ ସମାବେଶରେ ସମ୍ପାଦକ ରତ୍ନାକର ସିଂହ ପ୍ରାକ୍ କଥନ ରଖିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲେଖିକା ଦେବଯାନୀ ଦାସ ଲେଖକୀୟ ଅଭିଭାଷଣରେ ନିଜର ଲେଖକ ହେବା ପଛର ପ୍ରେରଣା ସମ୍ପର୍କରେ କହିଥିଲେ। ଶେଷରେ ଅଧ୍ୟାପକ ଦିଲ୍ଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ସହରର ସାହିତ୍ୟପ୍ରେମୀ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ।
Tags: #BookRelease #StoryBook #Novel #WriterDebjaniDas #Balasore